ମୁଁ ୱିନର୍‌, ମୁଁ ରନର୍‌…

ସ୍ୱାଧୀନ ରାଉତ

ରବିବାର ଦିନ ଟିଭିରେ ବରିଷ୍ଠ ବିଜେଡି ନେତା ସଂଜୟ ଦାସବର୍ମାଙ୍କ ବାଇଟ୍ ଶୁଣିଥିଲି। ସେ କହିଲେ ୮ମ ଥର ପାଇଁ ବିଜେଡିର ସଭାପତି ହିସାବରେ ଆଜି ସେ(ନବୀନ ପଟ୍ଟନାୟକ) ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହା ଏକ ଐତିହାସିକ ମୁହୂର୍ତ୍ତ। ୨୬ ତାରିଖରେ ଘୋଷଣା ହେବ ସଭାପତିଙ୍କ ନାଁ। ଯେହେତୁ ଜଣେ ପ୍ରାର୍ଥୀ ଭାବେ ନବୀନ ପଟ୍ଟନାୟକ ନାମାଙ୍କନ ଭରିଛନ୍ତି ସେ ହିଁ ହେବେ ସଭାପତି। ଏଇଠି ମୋର ବହୁତ ଦିନ ତଳେ ଦେଖିଥିବା ଟିଭି ଆଡ୍‌ ମନେ  ପଡ଼ିଗଲା। ଆଡ୍‌ଟି ଥିଲା ଗୋଲାପଜାମୁନ୍‌ର। ପୁଅ ବିଜୟୀ ହେଲା ବୋଲି ଘରେ ଗୋଲାପଜାମୁନ୍‌ ହୋଇଥାଏ। ବାପା ପଚାରିଲେ କେତେ ଜଣ ଦୌଡୁ ଥିଲେ, ପୁଅ କହିଲା- ୨ ଜଣ ଆଉ ମୁଁ ୱିନର୍‌। ଠିକ୍‌ ସେହିପରି ଏହି ଭୋଟିଂ  ହେଲେ ଏହି ରେସ୍‌ରେ କେବଳ ଜଣେ ପ୍ରତିଯୋଗୀ ଆଉ ସେ ହିଁ ୱିନର୍‌। ଆଉ ସେ ହିଁ ରନର୍‌…।

ଦେଶରେ ଆଞ୍ଚଳିକ ଦଳ ଗୁଡିକର ସ୍ଥିତ ବିଜେଡି ଭଳି। ଏହି ଦଳ ଗୁଡିକର ନେତୃତ୍ୱ ଗୋଟିଏ ପରିବାର ବା ଜଣେ ବ୍ୟକ୍ତି ପାଖରେ ହିଁ ସୀମିତ ରହିଥାଏ। ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ନବୀନ ବାବୁ ଗଢିଲେ ବିଜେଡି  ଆଉ ସେ ହେଲେ ଦଳର ମୁଖିଆ। ଆଉ ତାଙ୍କ ସଫଳ ନେତୃତ୍ୱ ଦଳକୁ ପାଞ୍ଚ ପାଞ୍ଚ ଥର ଲୋକସଭା ଓ ବିଧାନସଭାରେ ଭଲ ଫଳାଫଳ ଦେଇଛି। ବିଜେଡିରେ ଅନେକ ଥର କନ୍ଦଳ ହୋଇଛି, ବିଦ୍ରୋହ ହୋଇଛି ହେଲେ ଏହାକୁ ମୁକାବିଲା କରିବାରେ ନବୀନ ବେଶ ସକ୍ଷମ ହୋଇଛନ୍ତି। ତାଙ୍କ ଶତ୍ରୁଙ୍କୁ ରାସ୍ତାରୁ ଠିକ୍ ଭାବେ ହଟାଇବାରେ ବେଶ୍ ସିଦ୍ଧହସ୍ତ ନବୀନ। ଏବେ ଚର୍ଚ୍ଚା ହେଉଛି ଯେ ନବୀନଙ୍କ ପରେ କିଏ ଧରିବ ଦଳର ମଙ୍ଗ?  ଏକ ଜାତୀୟ ଗଣମାଧ୍ୟମର କନକ୍ଲେଭ୍‌ରେ ଏହାର ଉତ୍ତର ଦେଇ ନବୀନ କହିଛନ୍ତି ଲେକେ ବାଛିବେ ଉତ୍ତରାଧିକାରୀ। ହେଲେ ଉତ୍ତରାଧିକାରୀ ଭାବେ ତାଙ୍କ ପରିବାରରୁ କିଏ ଆସୁଛି ନା ଆଉ କିଏ ଗାଦି ସମ୍ଭାଳୁଛି ତାହା ଭବିଷ୍ୟତ ହିଁ କହିବ।

ତାମିଲନାଡୁରେ କରୁଣାନିଧୀଙ୍କ ନେତୃତ୍ୱରେ ଥିବା ଡିଏମକେଠାରୁ ଅଲଗା ହୋଇ ଏମ.ଜି. ରାମଚନ୍ଦ୍ରନ ଗଢିଥିଲେ ଏଆଇଏଡିଏମକେ। ଏମ.ଜି.ଆରଙ୍କ ଲୋକପ୍ରିୟତା ତାଙ୍କୁ ତାମିଲନାଡୁରେ କ୍ଷମତା ହାସଲ କରିବାରେ ସକ୍ଷମ କଲା। ହେଲେ ଏମ.ଜିଆରଙ୍କ ପରେ ହିରୋଇନ ଜେ.ଜୟଲଳିତା ହେଲେ ଦଳର ମୁଖିଆ।  ଜୟଲଳିତା ଯେ ହେତୁ ଜଣେ ଲୋକପ୍ରିୟ ଅଭିନେତ୍ରୀ ଥିଲେ ଲୋକେ ତାଙ୍କୁ ନିରାଶ କଲେନି। ଭୋଟ ଦେଲେ ଆଉ ସେ ହେଲେ ମୁଖ୍ୟମନ୍ତ୍ରୀ। ତାମିଲନାଡୁରେ ଏମିତି ବି ହୋଇଥିଲା ଯେ ୫ ବର୍ଷ ଜୟଲଳିତା ମୁଖ୍ୟମନ୍ତ୍ରୀ ହେଲେ ଆଉ ୫ ବର୍ଷ କରୁଣାନିଧୀ ମୁଖ୍ୟମନ୍ତ୍ରୀ ହେଉଥିଲେ। ହେଲେ ତାଙ୍କ ପରେ ଦଳର ଅବସ୍ଥା ବଗିଡିଗଲା। ଶଶୀକଳା ଚାହିଁଲେ ଦଳକୁ ପୂରା ଅକ୍ତିଆରକୁ ନେବା ପାଇଁ। ହେଲେ ସେ ସକ୍ଷମ ହେଲେନି। ଆୟବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଜେଲ ଗଲେ। ଜୟଲଳିତାଙ୍କ ମୃତ୍ୟୁ ପରେ ଦଳରେ କିଛି ସମସ୍ୟା ହେଲା। ହେଲେ ଶଶିକଳା ଜେଲ୍‌ ଯିବାପରେ ଏବେ ତାମିଲନାଡୁରେ ଜାରି ରହିଛି ଏଆଇଏଡିଏମକେର ଶାସନ। ଜୟଲଳିତା ବଞ୍ଚିଥିଲେ ବୋଲି ସିନା କ୍ଷମତାକୁ ଆସିଯାଇଥିଲେ। ହେଲେ ପୁଣି ଥରେ ନିର୍ବାଚନ ଦଳ କେଉଁ ପୋଜିସନ୍‌ରେ ରହୁଛି ତାହା ଦେଖିବା କଥା।

ଜମ୍ମୁ-କଶ୍ମୀରରେ ନ୍ୟାସନାଲ କନଫରେନ୍ସକୁ ଗଢିଥିଲେ ଶେଖ୍ ଅବଦ୍ଦୁଲା। ଏହାପରେ ତାଙ୍କ ପରିବାର ପାଖରେ ହିଁ ଦଳ ରହିଆସିଛି। ମାନେ ଫରୁକ୍‌ ଅବଦ୍ଦୁଲା ଏହା ପରେ ଏବେ ଉମର ଅବଦ୍ଦୁଲା। ସେହି ରାଜ୍ୟର ଜାମ୍ମୁ-କଶ୍ମୀର ପିପୁଲସ୍ ଡମୋକ୍ରାଟିକ୍‌ ପାର୍ଟି। ଏହାକୁ ଗଠନ କରିଥିଲେ ମୁଫତି ମହମ୍ମଦ ସୟଦ୍। ତାଙ୍କ ପରେ ଝିଅ ମେହେବୁବା ମୁଫତି ଅଛନ୍ତି ଏହାର ମୁଖିଆ। ସେହପରି ତେଲୁଗୁଦେଶମ୍ ପାର୍ଟି ୧୯୮୨ ମସିହାରେ କଂଗ୍ରେସ ପାର୍ଟିର ମନମୁଖି ଶାସନକୁ ବିରୋଧକରି ଏନ.ଟି. ରାମାରାଓ  ଗଢିଥିଲେ ତେଲୁଗୁ ଦେଶମ ପାର୍ଟି।   ସେ ବଞ୍ଚି ଥାଉଥାଉ ତାଙ୍କ ଜ୍ୱାଇଁ ଏନ୍‌.ଚନ୍ଦ୍ରବାବୁ ନାଇଡୁ ଦଳକୁ ନିଜ ଅକ୍ତିଆରକୁ ନେଇ ଆସିଥିଲେ। ଚନ୍ଦ୍ରବାବୁଙ୍କ ପରେ ତାଙ୍କ ପୁଅ ନାରା ଲୋକଶ୍ ହୋଇପାରନ୍ତି ଟିଡିପିର ଉତ୍ତରାଧିକାରୀ। ସେହିପରି ଡିଏମକେର ଅବସ୍ଥା ସି.ଆନ୍ନାଦୁରାଇ ଏବଂ ପେରିଆର ଇ.ଭି. ରାମାସ୍ୱାମୀଙ୍କ ଭଳି ମହାନ ନେତାମାନେ ଗଠନ କରିଥିଲେ ଏହି ଦଳ। ହେଲେ ତାଙ୍କ ପରେ ଡିଏମକେକୁ ଦଖଲକୁ ନେଲେ ଏମ୍. କରୁଣାନିଧି। ଆଉ ଏବେ ଡିଏମ୍‌କେର ନେତୃତ୍ୱ କରୁଣାନିଧିଙ୍କ ପରିବାରେ ହାତରେ। ଏମ.କେ ଷ୍ଟାଲିନ୍ ଅଛନ୍ତି ଡିଏମକେର ମୁଖିଆ। ମୁଲାୟମ ସିଂହ ଯାଦବଙ୍କ ସମାଜବାଦୀ ପାର୍ଟି। ଏବେ ଏହି ଦଳର ମୁଖିଆ ତାଙ୍କ ପୁଅ ଅଖିଲେଶ ଯାଦବ। ଉତ୍ତରପ୍ରଦେଶର ବହୁଜନ ସମାଜବାଦୀ ପାର୍ଟି। କାଂଶିରାମ ଗଠନ କରିଥିବା ଏହି ପାର୍ଟି ଏବେ ମାୟାବତୀଙ୍କ ନେତୃତ୍ୱାଧୀନରେ।  ଏଭଳି ଅନେକ ଦଳରେ ବଂଶାନୁକ୍ରମିକ ଭାବେ ଏହାର ନେତୃତ୍ୱ କେବଳ ଗୋଟିଏ ପରିବାର ମଧ୍ୟରେ ହିଁ ସୀମିତ ରହିଆସୁଛି।

ଏତ ଗଲା ଆଞ୍ଚଳିକ ଦଳର କଥା। ଦେଶର ସବୁଠାରୁ ବଡ଼ ଜାତୀୟ ଦଳ କଂଗ୍ରେସକୁ ନିଆଯାଉ। ୧୮୮୫ରେ ଜଣେ ବିଦେଶୀ ଅଲାନ୍‌ ଅକ୍ଟୋଭିଆନ୍‌ ହ୍ୟୁମ୍‌ ଏହାକୁ ଗଠନ କରିଥିଲେ। ଦେଶକୁ ସ୍ୱାଧୀନତା ଦେବାରେ ପ୍ରମୁଖ ଗ୍ରହଣ କରିଥିଲା ଏହି ଦଳ। ହେଲେ ସ୍ୱାଧୀନତା ପରେ ପ୍ରାୟତଃ ଗୋଟିଏ ପରିବାରରେ ସୀମିତି। ଏହି ଦଳର କମାଣ୍ଡ ପଣ୍ଡିତ ଜବହାରଲାଲ ନେହରୁ ତାଙ୍କ ପରେ ତାଙ୍କ ଝିଅ ଇନ୍ଦିରା ଗାନ୍ଧୀ, ତା’ପରେ ରାଜୀବ ଗାନ୍ଧୀ। ରାଜୀବଙ୍କ ମୃତ୍ୟୁର କିଛି ବର୍ଷ ପରେ ପୁଣି ଥରେ ଗାନ୍ଧୀ ପରିବାର ହାତକୁ ଗଲା ଦଳର କମାଣ୍ଡ। ସୋନିଆ ହେଲେ ଦଳର ସଭାପତି। ସୋନିଆ ଗାନ୍ଧୀଙ୍କ ପରେ ରାହୁଲ ଗାନ୍ଧୀ ଦଳର କମାଣ୍ଡ ସମ୍ଭାଳିଲେ। ହେଲେ ଗଲା ସାଧାରଣ ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ହେଲା। ଏହାପରେ ପୁଣି ଥରେ ଦଳର କମାଣ୍ଡ ଏବେ ସୋନିଆଙ୍କ ହାତରେ ରହିଛି।

ପ୍ରକୃତ ପକ୍ଷେ କହିବାକୁ ଗଲେ ଗୋଟିଏ ପରିବାର ଉପରେ ନିର୍ଭର କରିଥିବା ଦଳର ଭବିଷ୍ୟତ ବେଳେବେଳେ ଅନ୍ଧକାର ହୋଇଥାଏ। ଏମିତି ଅନେକ ଦଳ ଭାରତ ବର୍ଷରେ ସଂପୃକ୍ତ ବ୍ୟକ୍ତି ଯିବାପରେ ସତ୍ତା ହରାଇ ବସିଥିବା ନିଜିର ରହିଛି। ଦେଶରେ ଆଉ କିଛି ଦଳ ରହିଛି ଯାହାକୁ କ୍ୟାଡର୍‌ ବେସଡ୍ ପାର୍ଟି କୁହାଯାଏ।  କମ୍ୟୁନିଷ୍ଟ ପାର୍ଟି ସେ ସିପିଆଇ ହେଉ ବା ସିପିଏମ୍। ସେହିପରି ବିଜେପି ଏହି ଦଳ ପରିବାରବାଦ ଉପରେ ନିର୍ଭର କରେନି। ହେଲେ ଏଭଳି କିଛି ଜାତୀୟ ଦଳରେ ପାର୍ଟିର କିଛି ବରିଷ୍ଠ ନେତାଙ୍କ ପ୍ରଭାବ ଅଧିକ ଥାଏ।  ସେହି ନେତାଙ୍କ ପ୍ରଭାବ ଦଳର ସଭାପତି ଓ ଦଳର ପରିଚାଳନା ଉପରେ ଅଧିକ ପ୍ରଭାବ ପକାଇଥାଏ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।