ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଇଏଏସ୍ ଅଫିସରଙ୍କ ଘର ଆଗରେ କୁକୁର ଧରି ଯିବା ମହଙ୍ଗା ପଡ଼ିଲା। କୁକୁର ଧରି ବୁଲୁଥିବା ବ୍ୟକ୍ତିଙ୍କୁ ଆଇଏଏସ୍ ଅଫିସର ଭି.ଭି. ଯାଦବ ଗାଳି ଦେବା ସହିତ ଗୋଇଠା ମାରିଥିବା ଅଭିଯୋଗ ହୋଇଛି। ଆଜି ଏପରି ଅଭିଯୋଗ ରାଜଧାନୀ ଭୁବନେଶ୍ୱରର ସହିଦ୍ ନଗର ଅଞ୍ଚଳରୁ ଆସିଛି।
ସହିଦନଗର ଥାନା ଆନନ୍ଦବଜାର ଗଳି ଅଞ୍ଚଳର କାଳୁ ଚରଣ ପରିଡ଼ା ଆଜି ନିଜ କୁକୁରକୁ ଧରି ଆଇଏଏସ୍ ଅଫିସର ଭି.ଭି. ଯାଦବଙ୍କ ଘର ସାମ୍ନା ଦେଇ ଯାଉଥିଲେ। ଶ୍ରୀ ପରିଡ଼ା କୁକୁର ଧରି ଯାଉଥିବା ଦେଖି ଆଇଏଏସ୍ ଅଫିସର ଭି.ଭି. ଯାଦବ ରାଗି ଯାଇଥିଲେ। କାହିଁକି ମୋ ଘର ଆଗରେ କୁକୁର ଧରି ଯାଉଛୁ ବୋଲି ସେ କହିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରେ ଆଇଏଏସ୍ ଅଫିସର ଶ୍ରୀ ଯାଦବ, ତାଙ୍କୁ ଗୋଇଠା ମାରିଥିବା ଅଭିଯୋଗ ହୋଇଛି। ଫଳରେ ସେ ଆହତ ହୋଇଥିଲେ। ଏନେଇ କାଳୁଚରଣ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ଏନେଇ କାଳୁଚରଣ ପରିଡ଼ା କହିଛନ୍ତି-“ମୁଁ ସବୁ ଦିନ ମୋ କୁକୁରକୁ ଧରି ସେହି ରାସ୍ତାରେ ଯାଏ। ଆଜି ମଧ୍ୟ କୁକୁରକୁ ଧରି ଯାଉଥିଲି। ଏହି ସମୟରେ ଭି.ଭି. ଯାଦବ ମୋତେ ଗୋଇଠା ମାରିଥିଲେ। ଏପରିକି ସେ ଧରିଥିବା କୁକୁରକୁ ଛାଡ଼ି ଦେଇଥିଲେ, ମୋତେ ଆକ୍ରମଣ କରିବାକୁ।”
ମାତ୍ର ମାଡ଼ ନେଇ ଆଇଏଏସ୍ ଅଫିସର ଭି.ଭି. ଯାଦବଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।