ସୁନ୍ଦରଗଡ଼(ବିଜୟ ବରୁଆ) : ପାଚିକା ଚାକିରି ପାଇଁ ୬୦ ହଜାର ଟଙ୍କା ଲାଞ୍ଚ ମାଗିବା ମହଙ୍ଗା ପଡ଼ିଲା। ଘଟଣା ପ୍ରଘଟ ହେବା ପରେ ଚାକିରିରୁ ବହିଷ୍କୃତ ହୋଇଛନ୍ତି ଆବାସିକ ସ୍କୁଲର ଅଧ୍ୟକ୍ଷଙ୍କ ସମେତ ୨ ଜଣ। ବହିଷ୍କୃତ ହୋଇଥିବା କର୍ମଚାରୀମାନେ ହେଲେ ସୁନ୍ଦରଗଡ଼ ଭବାନୀପୁର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଅଧ୍ୟକ୍ଷ ବିଜୟ ବଡ଼ାଇକ ଓ ପିଇଟି ଅମର ଅନନ୍ତ ପଟ୍ଟନାୟକ । ଓଡ଼ିଶା ମଡେଲ୍ ଟ୍ରାଇବାଲ୍ ଏଜୁକେସନ୍ ସୋସାଇଟି ସଚିବ ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।
କିଛି ଦିନ ତଳେ ପାଚିକା ଚାକିରି ପାଇଁ ଜଣେ ମହିଳାଙ୍କଠୁ ଉଭୟ ଅଧିକାରୀ ୬୦ ହଜାର ଲାଞ୍ଚ ମାଗିଥିଲେ । ଏନେଇ OTVରେ ଖବର ପ୍ରସାରଣ ହେବା ପରେ ବିଭାଗ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା ।
ଜିଲ୍ଲା ମଙ୍ଗଳ ଅଧିକାରୀ ଓ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ତଦନ୍ତ କରି ଉଭୟ ଅଧ୍ୟକ୍ଷ ଓ ପିଇଟିଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ । ତେବେ ତଦନ୍ତ ପରେ ଉଭୟଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି । ବିଦ୍ୟାଳୟର ପାଚିକାଙ୍କ ମୃତ୍ୟୁ ପରେ ତାଙ୍କ ଝିଅ ସେହି ଚାକିରି ପାଇଁ ଆବେଦନ କରିଥିଲେ । ତେବେ ଚାକିରି ପାଇଁ ତାଙ୍କଠାରୁ ୬୦ ହଜାର ଟଙ୍କା ଦାବି କରିଥିଲେ ସ୍କୁଲର ପିଇଟି । ଲାଞ୍ଚ ମାଗିବା ସମୟର ଅଡ଼ିଓ OTVରେ ପ୍ରସାରିତ ହେବା ପରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।