ବଢ଼ୁଛି ଅପରାଧ; ଦିନକୁ ୪୨୫ ମାମଲା, ୯ ଦୁଷ୍କର୍ମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି ବୋଲି କହି  ବାଃ ବାଃ ନେଉଥିବା ଓଡ଼ିଶା ପୁଲିସ ଓ ରାଜ୍ୟ ସରକାରଙ୍କ ପାରିବାପଣିଆ ପଦାରେ ପଡ଼ିଛି । ୨୦୨୧ ମସିହାରେ ବର୍ଷ ତମାମ କରୋନା କଟକଣା ସତ୍ତ୍ୱେ ରାଜ୍ୟରେ ଆଖି ଖୋସି ହୋଇଯିବା ଭଳି ଅପରାଧ ବଢ଼ିଛି । ତା’ପୁଣି ସବୁ ବର୍ଗର ଅପରାଧରେ । ୨୦୨୦ ମସିହାରେ ୧ଲକ୍ଷ ୩୪ହଜାର ୨୩୦ଟି ଅପରାଧ ମାମଲା ରୁଜୁ ହୋଇଥିବାବେଳେ ୨୦୨୧ ମସିହାରେ ପ୍ରାୟ ୨୦ହଜାର ଅଧିକ […]

rape

rape

Ordigital Desk
  • Published: Tuesday, 12 July 2022
  • Updated: 20 July 2022, 04:08 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି ବୋଲି କହି  ବାଃ ବାଃ ନେଉଥିବା ଓଡ଼ିଶା ପୁଲିସ ଓ ରାଜ୍ୟ ସରକାରଙ୍କ ପାରିବାପଣିଆ ପଦାରେ ପଡ଼ିଛି । ୨୦୨୧ ମସିହାରେ ବର୍ଷ ତମାମ କରୋନା କଟକଣା ସତ୍ତ୍ୱେ ରାଜ୍ୟରେ ଆଖି ଖୋସି ହୋଇଯିବା ଭଳି ଅପରାଧ ବଢ଼ିଛି । ତା’ପୁଣି ସବୁ ବର୍ଗର ଅପରାଧରେ । ୨୦୨୦ ମସିହାରେ ୧ଲକ୍ଷ ୩୪ହଜାର ୨୩୦ଟି ଅପରାଧ ମାମଲା ରୁଜୁ ହୋଇଥିବାବେଳେ ୨୦୨୧ ମସିହାରେ ପ୍ରାୟ ୨୦ହଜାର ଅଧିକ ଅର୍ଥାତ ୧ଲକ୍ଷ ୫୫ହଜାର ୪୨୦ଟି ଅପରାଧ ମାମଲା ବିଭିନ୍ନ ଥାନାରେ ରୁଜୁ ହୋଇଛି ।
ସବୁଠୁ ଉଦବେଗଜନକ ଭାବେ ରାଜ୍ୟରେ ଦୁଷ୍କର୍ମ ମାମଲା ମଧ୍ୟ ବଢ଼ିଛି । ୨୦୨୦ରେ ମୋଟ ୨୯୮୪ଟି ଦୁଷ୍କର୍ମ ମାମଲା ପଞ୍ଜିକୃତ ହୋଇଥିବାବେଳେ ୨୦୨୧ ମସିହାରେ ୩୩୨୭ଟି ମାମଲା ପଞ୍ଜିକୃତ ହୋଇଛି । ଅର୍ଥାତ ୨୦୨୦ରେ ରାଜ୍ୟରେ ପ୍ରତିଦିନ ହାରାହାରି ୮ଜଣ ମହିଳା ବା ଝିଅ ଦୁଷ୍କର୍ମର ଶିକାର ହେଉଥିବାବେଳେ ୨୦୨୧ ମସିହାରେ ଏହି ସଂଖ୍ୟା ୯ରୁ ଅଧିକ ରହିଥିବା ଜଣାପଡ଼ିଛି ।
ବିଧାନସଭାରେ ଉପସ୍ଥାପିତ ଶ୍ୱେତପତ୍ର ଅନୁସାରେ ୨୦୨୧ ମସିହାରେ ମୋଟ ଲକ୍ଷ ୫୫ହଜାର ୪୨୦ଟି ଧତବ୍ୟ ଅପରାଧ ମାମଲା ରୁଜୁ ହୋଇଥିବାବେଳେ ଏଥିରେ ୩୩୨୭ଟି ଦୁଷ୍କର୍ମ(ବଳାତ୍କାର), ୧୩୯୪ଟି ହତ୍ୟା, ୫୫୨ଟି ଡକାୟତି, ୨୮୨୬ ଲୁଟ,  ୫୧୩୩ ଛିନତାଇ, ୧୩୦୨୪ଟି ଚୋରି, ୫୧୩୮ଟି ସିନ୍ଧିଚୋରି, ୨୨୨୦ଟି ହିଂସାକାଣ୍ଡ(riot), ୧୦୯୮୩ଟି ମୋଟର ଦୁର୍ଘଟଣା ଓ ୧ଲକ୍ଷ ୧୦୮୨୩ଟି ଅନ୍ୟାନ୍ୟ ବିଭିନ୍ନ ପ୍ରକାରର ମାମଲା ରୁଜୁ ହୋଇଛି । କେବଳ ହତ୍ୟାକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଅପରାଧ ମାମଲା ୨୦୨୦ ମସିହା ତୁଳନାରେ ୨୦୨୧ରେ ଅଧିକ ବୋଲି ଜଣାପଡ଼ିଛି ।
ତେବେ ରାଜ୍ୟରେ ମହିଳାଙ୍କ ବିରୁଦ୍ଧରେ ଦୁଷ୍କର୍ମ ମାମଲା ବୃଦ୍ଧି ପାଇଥିବା ସତ୍ତ୍ୱେ ସରକାର ୨୦୨୦ ମସିହା ତୁଳନାରେ କମ ସଂଖ୍ୟକ ମାମଲାକୁ ‘ରେଡ ଫ୍ଲାଗ’ ବର୍ଗରେ ସାମିଲ କରାଇଥିଲେ । ୨୦୨୦ ମସିହାରେ ମୋଟ ୨୭୬ଟି ମାମଲା ରେଡ୍ ଫ୍ଲାଗ ବର୍ଗରେ ଥିବାବେଳେ ୨୦୨୧ରେ ମାତ୍ର ୧୧୬ଟି ମାମଲା ଏହି ବର୍ଗରେ ସାମିଲ କରି ତା’ର ତଦନ୍ତ କରାଇଥିଲେ । ମହିଳାଙ୍କ ବିରୁଦ୍ଧରେ ହିଂସା ମାମଲାର ତଦନ୍ତ ଓ ସମ୍ବେଦନଶୀଳ ମହିଳା ବିରୁଦ୍ଧ ହିଂସା ମାମଲାକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ପାଇଁ ଏହି ‘ରେଡ ଫ୍ଲାଗ’ ବର୍ଗରେ ସାମିଲ କରାଯାଇଥାଏ । ତେବେ ୨୦୨୧ରେ ରେଡଫ୍ଲାଗରେ ସାମିଲ ହୋଇଥିବା ମୋଟ ୧୧୬ଟି ମାମଲାରେ ଦୋଷୀସାବ୍ୟସ୍ତ ହାର ୪୫.୨୮%  ଗୃହ ବିଭାଗ ଦର୍ଶାଇ ଏହାକୁ ନିଜର ସଫଳତା ବର୍ଗରେ ସାମିଲ କରିଛି ।
ସେହିପରି ୨୦୨୧ ମସିହାରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ବିରୁଦ୍ଧରେ ହିଂସାର ମୋଟ ୩୦୦୩ଟି ମାମଲା ରୁଜୁ ହୋଇଥିବାବେଳେ ସେଥିରୁ ୨୦୩୪ଟିର ସମାଧାନ ହୋଇଛି ଓ ୯୬୯ଟି ମାମଲାର ଏବେବି ତଦନ୍ତ ଜାରି ରହିଛି । ୨୦୨୧ ମସିହାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଲୋକଙ୍କ ସମେତ ଅନ୍ୟାନ୍ୟ ମାମଲାରେ ରାଜ୍ୟ ମାନବାଧିକାର ସୁରକ୍ଷା ଆୟୋଗ ମୋଟ ୪୫୫ଟି ଅଭିଯୋଗ ପାଇଥିବାବେଳେ ସେଥିରୁ ୩୮୩ଟି ମାମଲାର ବିଚାର ହୋଇ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏବେ ୭୨ଟି ମାମଲା ସମ୍ପୃକ୍ତ ଜିଲ୍ଲା ପୁଲିସ ଏସପିଙ୍କ ତଦନ୍ତ ପରିସରରେ ରହିଛି ।
୨୦୨୧ ମସିହାରେ ଜାତୀୟ ମାନବାଧିକାର କମିଶନଙ୍କ ପାଖରେ ରାଜ୍ୟର ୩୪୭ଟି ଅଭିଯୋଗ ରହିଥିବାବେଳେ ସେଥିରୁ ୩୨୮ଟି ମାମଲାର ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇଛି । ବାକି ୧୯ଟି ସମ୍ପୃକ୍ତ ଜିଲ୍ଲା ଏସପିଙ୍କ ପାଖରେ ବିଚାରଧୀନ ଅଛି ।
ସେହିପରି ୨୦୨୧ ମସିହାରେ ମୋଟ ୭୭ଟି ସାଇବର ଅପରାଧ ମାମଲା ସାଇବର ଥାନାରେ ପଞ୍ଜିକୃତ ହୋଇଛି ଓ ୧୬ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରୁ ୩ଜଣ ଆନ୍ତଃରାଜ୍ୟ ଅପରାଧୀ । ମୋଟ ୫୬ଲକ୍ଷ ୪୩ହଜାର ୨୦୯ଜଣ ବିଭିନ୍ନ ମାମଲାରେ ଜବତ ହୋଇଛି ।
ସେହିପରି ୨୦୨୧ ମସିହାରେ ରାଜ୍ୟ ଅର୍ଥନୀତିକ ଅପରାଧ ଶାଖା ମୋଟ ୧୭ଟି ମାମଲାର ପଞ୍ଜିକରଣ କରି ୨୬ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ବିଭିନ୍ନ ଠକ କମ୍ପାନୀ ଓ ଲୋକଙ୍କଠୁ ୪.୭୦କୋଟି ଟଙ୍କା ସମ୍ପତ୍ତି ଜବତ କରିଛି ।
ସ୍ପେଶାଲ ଟାସ୍କ ଫୋର୍ସ ମାଧ୍ୟମରେ ୨୦୨୧ ମସିହାରେ ୨୮ଟି ନିଶା ନିବାରଣ ଆଇନ ଅନ୍ତର୍ଗତ ମାମଲା ରୁଜୁ ହୋଇ ୫୫ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ୨୧ କିଲୋରୁ ଅଧିକ ବ୍ରାଉନସୁଗାର ଓ ୪୩କ୍ୱିଣ୍ଟାଲ ଗଞ୍ଜେଇ ମଧ୍ୟ ଜବତ ହୋଇଛି ।
ସେହିପରି ୨୦୨୧ ମସିହାରେ ରାଜ୍ୟରେ ୨୮ଟି ମାଓବାଦୀ ହିଂସା ସଂଘଟିତ ହୋଇଥିବାବେଳେ ୨୧ଥର ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିୟମ ହୋଇଛି । ଯେଉଁଥିରେ ୨ଜଣ ସାଧାରଣ ଲୋକ ଓ ଜଣେ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଛି । ୭ଜଣ ମାଓବାଦୀ ନିହତ ହୋଇଛନ୍ତି। ୩୬ଜଣ ଗିରଫ ହୋଇଥିବାବେଳେ ୨୧ଜଣ ଆତ୍ମସମର୍ପଣ କରିଛନ୍ତି । ରାଜ୍ୟର ୧୦ଟି ଜିଲ୍ଲାରେ ମାଓବାଦୀ କାର୍ଯ୍ୟକଳାପ ଚାଲିଥିବା ସରକାର ସ୍ୱୀକାର କରିଥିଲେ ମଧ୍ୟ ଏହା ନିୟନ୍ତ୍ରଣାଧୀନ ବୋଲି କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos