ଓଡ଼ିଶା ଉପରେ ଦୋଷ ଲଦିଲା ଛତିଶଗଡ଼

ଭୁବନେଶ୍ୱର/ସମ୍ବଲପୁର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦେଖାଦେଇଥିବା ବନ୍ୟା ଆଶଙ୍କାକୁ ଟାଳିବା ନିମନ୍ତେ ଆଜି ଅପରାହ୍ନରେ ହୀରାକୁଦ ଡ୍ୟାମ୍‌ର ୮ଟି ଗେଟ୍ ବନ୍ଦ କରାଯାଇଛି। ଫଳରେ ଏବେ ୨୬ ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି। ଅନ୍ୟପଟେ ଛତିଶଗଡ଼ରେ ପ୍ରବଳ ବନ୍ୟା ହୋଇଥିବା ବେଳେ ସେଠାକାର ସରକାର ଏଥିପାଇଁ ଓଡ଼ିଶା ଉପରେ ଦୋଷ ଲଦିଛନ୍ତି। ଛତିଶଗଡ଼ ପୂର୍ବ ସୂଚନା ନଦେଇ ବନ୍ୟା ଜଳ ଛାଡ଼ୁଥିବା ନେଇ ଓଡ଼ିଶାର ଜଳ ସଂପଦ ବିଭାଗ ପକ୍ଷରୁ ଅଭିଯୋଗ କରାଯାଇଥିବା ବେଳେ […]

flood1

  • Published: Monday, 15 August 2022
  • , Updated: 15 August 2022, 08:51 PM IST

ଭୁବନେଶ୍ୱର/ସମ୍ବଲପୁର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦେଖାଦେଇଥିବା ବନ୍ୟା ଆଶଙ୍କାକୁ ଟାଳିବା ନିମନ୍ତେ ଆଜି ଅପରାହ୍ନରେ ହୀରାକୁଦ ଡ୍ୟାମ୍‌ର ୮ଟି ଗେଟ୍ ବନ୍ଦ କରାଯାଇଛି। ଫଳରେ ଏବେ ୨୬ ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି। ଅନ୍ୟପଟେ ଛତିଶଗଡ଼ରେ ପ୍ରବଳ ବନ୍ୟା ହୋଇଥିବା ବେଳେ ସେଠାକାର ସରକାର ଏଥିପାଇଁ ଓଡ଼ିଶା ଉପରେ ଦୋଷ ଲଦିଛନ୍ତି।

ଛତିଶଗଡ଼ ପୂର୍ବ ସୂଚନା ନଦେଇ ବନ୍ୟା ଜଳ ଛାଡ଼ୁଥିବା ନେଇ ଓଡ଼ିଶାର ଜଳ ସଂପଦ ବିଭାଗ ପକ୍ଷରୁ ଅଭିଯୋଗ କରାଯାଇଥିବା ବେଳେ ଆଜି ସେଠାକାର ଜଳସଂପଦ ବିଭାଗ ମୁଖ୍ୟଯନ୍ତ୍ରୀ ଓଲଟି ଓଡ଼ିଶା ଉପରେ ଦୋଷ ଲଦିଛନ୍ତି।

ଛତିଶଗଡ଼ର ଜଳସମ୍ପଦ ବିଭାଗ ମୁଖ୍ୟଯନ୍ତ୍ରୀ ରାକେଶ କୁମାର ନାଗରିଆ  ଏକ ଘରୋଇ ଟିଭି ଚ୍ୟାନେଲକୁ କହିଛନ୍ତି, ଆମର ରାୟଗଡ଼ ଓ ଯାଞ୍ଜଗିରି-ଚମ୍ପା ଜିଲ୍ଲାରେ ପ୍ରବଳ ବନ୍ୟା ଦେଖାଦେଇଛି। ଏହି ଅଞ୍ଚଳରୁ ବନ୍ୟା ଜଳ ନିଷ୍କାସନ ପାଇଁ ହୀରାକୁଦ ଡ୍ୟାମ୍‌ରୁ ଯେତିକି ପାଣି ଛଡ଼ାଯିବା କଥା ସେତିକି ଛଡ଼ା ଯାଉନି। ବନ୍ୟା ଆସିଲେ ଡ୍ୟାମ୍ ଗେଟ୍ ଖୋଲାଯିବା ଜରୁରୀ, କିନ୍ତୁ ତାହା ହେଉନି। ଦୁଇ ରାଜ୍ୟ ସମନ୍ୱୟ ରଖି ଜଳ ପରିଚାଳନା କରିବା ଉଚିତ ବୋଲି ସେ କହିଛନ୍ତି।

ଉତ୍ତର-ଛତିଶଗଡ଼ ଏବଂ ପାର୍ଶ୍ଵବର୍ତ୍ତୀ ପୂର୍ବ-ମଧ୍ୟପ୍ରଦେଶ ଅଞ୍ଚଳରେ ଏବେ ସକ୍ରିୟ ରହିଛି ଅବପାତ। ତେଣୁ ସେଠାରେ ପ୍ରବଳ ବର୍ଷା ଜାରି ରହିଛି। ଫଳରେ ମହାନଦୀର ଉପରମୁଣ୍ଡରେ ଥିବା ଛତିଶଗଡ଼ ଜଳଭଣ୍ଡାରରେ ଜଳର ମାତ୍ରା ବଢ଼ାଇଛି। ଏହା ଛତିଶଗଡ଼ ସରକାରଙ୍କ ନିମନ୍ତେ ଚିନ୍ତାର କାରଣ ହୋଇଛି।

ଅନ୍ୟପକ୍ଷରେ ଓଡ଼ିଶାରେ ମଧ୍ୟ ବନ୍ୟା ସ୍ଥିତି ଦେଖା ଦେଇଛି। ଉପରମୁଣ୍ଡରୁ ହୀରାକୁଦ ଡ୍ୟାମକୁ ୯ ଲକ୍ଷ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ତଳମୁଣ୍ଡଳରେ ତେଲ୍ ନଦୀରୁ ମହାନଦୀରେ ୫ ଲକ୍ଷ କ୍ୟୁସେକ ଜଳ ମିଶୁଛି। ଏହା ଓଡ଼ିଶା ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଉପର ଓ ତଳ ମୁଣ୍ଡର ଏହି ପାଣି ମିଶିଗଲେ ରାଜ୍ୟରେ ପ୍ରବଳ ବନ୍ୟା ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଏଣୁ ଏହାକୁ ଏଡ଼ାଇବାକୁ ଆଜି ଅପରାହ୍ଣରୁ ହୀରାକୁଦ ଡ୍ୟାମ୍‌ର ୮ଟି ଗେଟ୍‌କୁ ବନ୍ଦ କରି ଦିଆଯାଇଛି। ଅପରାହ୍ଣ ୪ଟା ସୁଦ୍ଧା ତଳମୁଣ୍ଡରେ କଟକ ଜିଲ୍ଲା ମୁଣ୍ଡଳିରେ ମହାନଦୀରେ ୧୦ ଲକ୍ଷ ୧୦ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି।

ଆସନ୍ତା ଅଗଷ୍ଟ ୧୯ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ସୂଚନା ଦେବା ପରେ ଏହା ଓଡ଼ିଶା ଓ ଛତିଶଗଡ଼ରେ ପୁଣି ବନ୍ୟା ଆଶଙ୍କା ବଢ଼ାଇଛି।

Related story