ଦିନ ମଜୁରିଆଙ୍କୁ ଆୟକର ନୋଟିସ୍‌, ଦେବେ ଅଢ଼େଇ ଲକ୍ଷ ଟଙ୍କା ଟିକସ

ଜୟପୁର/ଉମରକୋଟ(ଓଡ଼ିଶା ରିପୋର୍ଟର): ନିଜ ପାଇଁ ତଥା ପରିବାର ପାଇଁ ୨ ଓଳି ଦୁଇ ମୁଠା ଖାଇବା ଯୋଗାଡ଼ କରିବା ଯାହା ପାଇଁ କାଠିକର ପାଠ, ତା’ ପାଖକୁ ଆସିଛି ଆୟକର ନୋଟିସ୍‌। ରାତି ପାହିଲେ ଯିଏ ପର ପାଖରେ ମୁଲ ଲାଗେ, ସେ ଦେବ ୨ ଲକ୍ଷ ୫୯ ହଜାର ୫୪୦ ଟିକସ। ଏ କଥା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କୋରାପୁଟ୍ ଜିଲ୍ଲା ଉମରକୋଟସ୍ଥିତ ପୁଜାରୀଭରଣ୍ଡି ଗାଁରେ ଏପରି ଏକ ଘଟଣା ସାମନାକୁ ଆସିଛି।  ଏହି […]

beggar

Niharika Rout
  • Published: Monday, 03 February 2020
  • , Updated: 03 February 2020, 01:05 PM IST

ଜୟପୁର/ଉମରକୋଟ(ଓଡ଼ିଶା ରିପୋର୍ଟର): ନିଜ ପାଇଁ ତଥା ପରିବାର ପାଇଁ ୨ ଓଳି ଦୁଇ ମୁଠା ଖାଇବା ଯୋଗାଡ଼ କରିବା ଯାହା ପାଇଁ କାଠିକର ପାଠ, ତା’ ପାଖକୁ ଆସିଛି ଆୟକର ନୋଟିସ୍‌। ରାତି ପାହିଲେ ଯିଏ ପର ପାଖରେ ମୁଲ ଲାଗେ, ସେ ଦେବ ୨ ଲକ୍ଷ ୫୯ ହଜାର ୫୪୦ ଟିକସ। ଏ କଥା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କୋରାପୁଟ୍ ଜିଲ୍ଲା ଉମରକୋଟସ୍ଥିତ ପୁଜାରୀଭରଣ୍ଡି ଗାଁରେ ଏପରି ଏକ ଘଟଣା ସାମନାକୁ ଆସିଛି।  ଏହି ଗାଁର ସନଥର ଗଣ୍ଡଙ୍କ ନିକଟକୁ ଆସିଛି ୨ ଲକ୍ଷ ୫୯ ହଜାର ୫୪୦ ଟଙ୍କାର ନୋଟିସ୍  । ଯାହାକି ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ସନଥରଙ୍କ  ଅଭିଯୋଗ ଅନୁସାରେ , ସେ ଲେଖାପଢ଼ା ଜାଣି ନ ଥିବା ବେଳେ କେବେ ବ୍ୟାଙ୍କରେ ପାଦ ଦେଇ ନାହାନ୍ତି। ହେଲେ ୭ ବର୍ଷ ହେବ ଉମରକୋଟର ଜଣେ ବ୍ୟବସାୟୀଙ୍କ ନିକଟରେ ସେ ଦିନ ମଜୁରିଆ ଭାବେ କାମ କରୁଥିଲେ। ସେଠାରେ ଉକ୍ତ ବ୍ୟବସାୟୀଜଣକ ତାଙ୍କ ଆଧାର କାର୍ଡ ଓ ବିଭିନ୍ନ ଡକ୍ୟୁମେଣ୍ଟ ହାତେଇ ନେଇଥିଲେ। ଏହାପରେ ସେ ତାକୁ କ’ଣ କଲେ ସେ ସମ୍ପର୍କରେ ସନଥରଙ୍କ ନିକଟରେ କିଛି ବି ସୂଚନା ନ ଥିଲା।

କିଛି ଦିନ ହେବ ସନଥରଙ୍କ ଘରକୁ ୬ଟି ନୋଟିସ୍‌ ଆସିଥିଲା। ତାହା କ’ଣ ସେ ଜାଣି ନ ଥିବା ବେଳେ ଉକ୍ତ ନୋଟିସ୍‌କୁ ନେଇ ସେ ନିକଟସ୍ଥ ସ୍କୁଲ ଶିକ୍ଷକଙ୍କ ନିକଟକୁ ଯାଇଥିଲେ। ସେଠାରେ ଯାହା ଶୁଣିଲେ ତାଙ୍କ ପାଦ ତଳୁ ମାଟି ଖସିଗଲା। ସେ କେବେ ବ୍ୟାଙ୍କ ଦୁଆରମୁହଁରେ ପାଦ ଦେଇ ନ ଥିବା ପାସ୍‌ବୁକ୍‌ କ’ଣ ଜାଣି ନ ଥିବା ବେଳେ ତାଙ୍କ ନାଁରେ ୨ ଲକ୍ଷ ୫୯ ହଜାର ୫୪୦ ଟଙ୍କାର ଟିକସ ଆସିଥିବା ଘଟଣାକୁ ସେ ବିଶ୍ୱାସ କରିପାରୁ ନାହାନ୍ତି।

ଆୟକର ନୋଟିସ୍‌ ସୂଚନା ଅନୁସାରେ, ସନଧରଙ୍କ  ନାଁରେ ICICI ବ୍ୟାଙ୍କରେ ଆକାଉଣ୍ଟ ଥିବା ବେଳେ  ସେଥିରେ ୧ କୋଟି ୪୭ ଲକ୍ଷରୁ ଅଧିକ ଟଙ୍କା ରଖାଯାଇଥିଲା । ଏହାକୁ ପରେ ଉଠାଣ ବି ହୋଇଛି ।  ତେବେ ଆୟକର ନୋଟିସ୍‌କୁ ନେଇ ସନଧରଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। ନିଜେ ଅପାଠୁଆ ହୋଇଥିବା ବେଳେ ଏପରି ସମସ୍ୟାରୁ କିପରି ମୁକୁଳିବେ, ତାଙ୍କୁ ବୁଦ୍ଧିବାଟ ଦିଶୁ ନ ଥିବା କହିଛନ୍ତି।

ସନଥର କେବେ ବ୍ୟାଙ୍କ ଯାଇ ନ ଥିବା ବେଳେ ତାଙ୍କ ନାଁରେ କିପରି ଆକାଉଣ୍ଟ ଖୋଲିଲା, ତାଙ୍କ ଦସ୍ତଖତ କିଏ କଲା, ଏଥିରେ ବ୍ୟାଙ୍କ ଅଧିକାରୀଙ୍କ ସମ୍ପୃକ୍ତିକୁ ନେଇ ନାନା ଆଲୋଚନା ହୋଇଛି। ଘଟଣାର ସମାଧାନ ପାଇଁ ସନଥର ପୁଲିସ୍‌ର ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି।

Related story