ଦିଲ୍ଲୀରୁ ଆସିଲା ଅର୍ଡର, ଶତାୟୁଙ୍କ ଘରେ ପହଞ୍ଚିଲା ପୋଷ୍ଟ ଅଫିସ୍‌

ନୂଆପଡ଼ା (ମାୟାଧର ସରାଫ): ନୂଆପଡ଼ାରେ ଶତାୟୁ ମାଆଙ୍କୁ ତାଙ୍କ ଝିଅ ଖଟିଆରେ ଶୁଆଇ ଘୋଷାରି ଘୋଷାରି ବ୍ୟାଙ୍କ ନେଇଥିଲେ। ଯାହାର ଦୃଶ୍ୟ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା। ଜାତୀୟ ଗଣମାଧ୍ୟମରେ ଏହି ଖବର ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏହା ପରେ ତତ୍ପର ହୋଇଥିଲା ଡାକ ବିଭାଗ। ଶତାୟୁ ମହିଳାଙ୍କ ପାଖରେ ପହଞ୍ଚି ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ଖାତା ଖୋଲିଛି। ଏବେ ସେ ଘରେ ରହି ଟଙ୍କା ଉଠାଇ ପାରିବେ। ଯାହାକୁ କେନ୍ଦ୍ର ଆଇନ୍‌, ସୂଚନା […]

nuapada

Manoranjan Sial
  • Published: Saturday, 20 June 2020
  • , Updated: 20 June 2020, 09:05 PM IST

ନୂଆପଡ଼ା (ମାୟାଧର ସରାଫ): ନୂଆପଡ଼ାରେ ଶତାୟୁ ମାଆଙ୍କୁ ତାଙ୍କ ଝିଅ ଖଟିଆରେ ଶୁଆଇ ଘୋଷାରି ଘୋଷାରି ବ୍ୟାଙ୍କ ନେଇଥିଲେ। ଯାହାର ଦୃଶ୍ୟ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା। ଜାତୀୟ ଗଣମାଧ୍ୟମରେ ଏହି ଖବର ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏହା ପରେ ତତ୍ପର ହୋଇଥିଲା ଡାକ ବିଭାଗ। ଶତାୟୁ ମହିଳାଙ୍କ ପାଖରେ ପହଞ୍ଚି ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ଖାତା ଖୋଲିଛି। ଏବେ ସେ ଘରେ ରହି ଟଙ୍କା ଉଠାଇ ପାରିବେ। ଯାହାକୁ କେନ୍ଦ୍ର ଆଇନ୍‌, ସୂଚନା ଓ ପ୍ରସାରଣ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଫେସ୍‌ବୁକ୍‌ରେ ସେୟାର କରିଛନ୍ତି।

ପୂରା ଘଟଣାଟି ଏମିତି। ଖଡ଼ିଆ ବ୍ଲକ ବରଗାଁ ଗାଁର ଶତାୟୁ ମହିଳା ଲଭେ ହରିଜନ। ମହାମାରୀ ‘କରୋନା’ ପାଇଁ ଭାରତ ସରକାର ଜନଧନ ଆକାଉଣ୍ଟରେ ପ୍ରତି ମାସ ୫୦୦ ଟଙ୍କା ଲେଖାଏଁ ଜମା କରୁଛନ୍ତି। ସେହି ଟଙ୍କା ଉଠାଇବା ପାଇଁ ଲଭେଙ୍କ ଝିଅ ପୁଇଞ୍ଜ ମତି ଶିକା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଯାଇଥିଲେ। ଜନଧନ ଖାତାଟି ଲଭେଙ୍କ ନାଁରେ ଥିବାରୁ ବ୍ୟାଙ୍କ କର୍ମଚାରୀମାନେ ପୁଇଞ୍ଜଙ୍କୁ ଟଙ୍କା ଉଠାଇବାକୁ ଦେଇନଥିଲେ। ଖାତା ଯାହା ନାଁରେ ଅଛି, ସିଏ ଆସିଲେ ଟଙ୍କା ଉଠାଇବେ ବୋଲି ବ୍ୟାଙ୍କ କର୍ମଚାରୀ ରୋକ୍‌ଠୋକ୍‌ ଶୁଣାଇ ଦେଇଥିଲେ। ମାଆ ଚାଲିବୁଲି ପାରୁନଥିବାରୁ ସେ ବ୍ୟାଙ୍କ ଆସିପାରିବେ ନାହିଁ ବୋଲି ପୁଇଞ୍ଜ ପ୍ରଶ୍ନ କରିଥିଲେ। ମାତ୍ର ବ୍ୟାଙ୍କ କର୍ମଚାରୀମାନେ ତାଙ୍କ କଥା ଶୁଣିନଥିଲେ। ଶେଷରେ ନିରାଶ ହୋଇ ପୁଇଞ୍ଜ ଘରକୁ ଫେରିଥିଲେ। ତା’ପର ମାସ ପୁଇଞ୍ଜ ପୁଣି ଥରେ ବ୍ୟାଙ୍କ ଯାଇଥିଲେ। ଆଉ ବ୍ୟାଙ୍କ କର୍ମଚାରୀମାନେ ସମାନ କଥା କହି ତାଙ୍କୁ ଫେରାଇ ଦେଇଥିଲେ।

ତେବେ ଚଳିତମାସ ୯ ତାରିଖରେ ପୁଣି ଥରେ ପୁଇଞ୍ଜ ବ୍ୟାଙ୍କ ଯାଇ ମାଆଙ୍କ ବ୍ୟାଙ୍କ ଖାତାରେ ଥିବା ଟଙ୍କା ଉଠାଇବାକୁ ଅନୁରୋଧ କରିଥିଲେ। ଏଥିରେ ବିରକ୍ତି ପ୍ରକାଶ କରି ବ୍ୟାଙ୍କ କର୍ମଚାରୀମାନେ କହିଥିଲେ, ସଞ୍ଜ ବେଳେ ଘରକୁ ଯାଇ ଟଙ୍କା ଦେଇଆସିବୁ।  ଏକଥା ଶୁଣି ପୁଇଞ୍ଜ ଘରକୁ ଫେରି ଯାଇଥିଲେ। ସଞ୍ଜ ଯାଇ ରାତି ହେଲା। ଘରକୁ ବ୍ୟାଙ୍କ କର୍ମଚାରୀମାନେ ଆସିଲେ ନାହିଁ। ତା’ପର ଦିନ ପୁଇଞ୍ଜ ପୁଣି ଥରେ ବ୍ୟାଙ୍କ ଯାଇ ଅନୁରୋଧ କରିଥିଲେ। ମାତ୍ର ତାଙ୍କୁ ଫେରାଇ ଦେଇଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ପୁଇଞ୍ଜ ଘରକୁ ଫେରି ମାଆ ଲଭେଙ୍କୁ ଏକ ଖଟିଆରେ ଶୁଆଇ ଘୋଷାରି ଘୋଷାରି ବ୍ୟାଙ୍କ ନେଇଯାଇଥିଲେ। ସେଠାରୁ ଟଙ୍କା ଉଠାଇ ଘରକୁ ଆସିଥିଲେ।

ପୁଇଞ୍ଜ ନିଜ ମାଆ ଲଭେଙ୍କୁ ଖଟିଆରେ ଶୁଆଇ ଘୋଷାରି ନେବାର ଦୃଶ୍ୟ ଜଣେ ଯୁବକ ଭିଡିଓ ସୁଟିଂ କରି ସୋଶାଲ ମିଡିଆରେ ସେୟାର କରିଥିଲେ। ଯାହାକି ଆଞ୍ଚଳିକ ଓ ଜାତୀୟ ଗଣମାଧ୍ୟମରେ ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଥିଲା। ତା’ପରେ ତତ୍ପର ହୋଇଥିଲା ଡାକ ବିଭାଗ। ଗତ ୧୭ ତାରିଖରେ ନୂଆପଡ଼ା ଡାକ ବିଭାଗ ବରଗାଁରେ ପହଞ୍ଚିଥିଲା। ଏପରିକି ଲଭେ, ତାଙ୍କ ଝିଅ ପୁଇଞ୍ଜି ଓ ଜ୍ୱାଇଁ ପବନଙ୍କ ନାଁରେ ୩ଟି “ଇଣ୍ଡିଆ ପୋଷ୍ଟ ପେମେଣ୍ଟ” ବ୍ୟାଙ୍କ ଆକାଉଣ୍ଟ ଖୋଲିଥିଲା। ଆକାଉଣ୍ଟରୁ ଟଙ୍କା ଉଠାଇବା ପାଇଁ ୩ ଜଣଙ୍କୁ ଏଟିଏମ୍‌ କାର୍ଡ ମଧ୍ୟ ଦେଇଛି ଡାକ ବିଭାଗ। ଏନେଇ କେନ୍ଦ୍ର ଆଇନ୍‌, ସୂଚନା ଓ ପ୍ରସାରଣ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଫେସ୍‌ବୁକ୍‌ରେ ସୂଚନା ଦେଇଛନ୍ତି। ଯାହାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଶଂସା କରିଛନ୍ତି।

Related story