ସିଏଏ କଣ? ଏ ସମ୍ପର୍କରେ ଲୋକଙ୍କୁ ଜଣାଇବା ପାଇଁ ରାଜ୍ୟ ବିଜେପି କରିବ ୧୦ ଲକ୍ଷ ଟ୍ୱିଟ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନାଗରିକତା ସଂଶୋଧନ ଆଇନ(ସିଏଏ) ସମର୍ଥନରେ ଓଡ଼ିଶାରୁ ୧୦ଲକ୍ଷ ଟୁଇଟ୍ କରାଯିବ ବୋଲି ରାଜ୍ୟ ବିଜେପି ସୂଚନା ଦେଇଛନ୍ତି। ଏହାସହିତ ସାମ୍ବାଦିକ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ତୁରନ୍ତ ଅଧ୍ୟାଦେଶ ଆଣନ୍ତୁ ବୋଲି ବିଜେପି ଦାବି କରିଛି। ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ନାଗରିକତା ସଂଶୋଧନ ଆଇନକୁ ନେଇ ଏବେ କିଛି ରାଜନୀତିକ ଦଳ ବିଭ୍ରାନ୍ତ କରୁଛନ୍ତି। ନାଗରିକତା ଦେବା ପାଇଁ ଏହି ଆଇନ ହୋଇଥିବାବେଳେ ବିରୋଧୀ ଦଳମାନେ ଦେଶରେ ନିଆଁ […]

caaa

Manoranjan Sial
  • Published: Monday, 30 December 2019
  • , Updated: 30 December 2019, 09:37 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନାଗରିକତା ସଂଶୋଧନ ଆଇନ(ସିଏଏ) ସମର୍ଥନରେ ଓଡ଼ିଶାରୁ ୧୦ଲକ୍ଷ ଟୁଇଟ୍ କରାଯିବ ବୋଲି ରାଜ୍ୟ ବିଜେପି ସୂଚନା ଦେଇଛନ୍ତି। ଏହାସହିତ ସାମ୍ବାଦିକ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ତୁରନ୍ତ ଅଧ୍ୟାଦେଶ ଆଣନ୍ତୁ ବୋଲି ବିଜେପି ଦାବି କରିଛି।

ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ନାଗରିକତା ସଂଶୋଧନ ଆଇନକୁ ନେଇ ଏବେ କିଛି ରାଜନୀତିକ ଦଳ ବିଭ୍ରାନ୍ତ କରୁଛନ୍ତି। ନାଗରିକତା ଦେବା ପାଇଁ ଏହି ଆଇନ ହୋଇଥିବାବେଳେ ବିରୋଧୀ ଦଳମାନେ ଦେଶରେ ନିଆଁ ଲଗାଇ ନିଜର ରାଜନୈତିକ ସ୍ୱାର୍ଥ ହାସଲ କରିବା ପାଇଁ ଅପଚେଷ୍ଟା କରୁଛନ୍ତି। କିନ୍ତୁ ଏବେ ଦେଶବାସୀ ଏହି ଆଇନ ସମ୍ବନ୍ଧରେ ଅବଗତ ହେବା ସହ ଏହାକୁ ସମର୍ଥନ କରିବା ଆରମ୍ଭ କଲେଣି। ବିଜେପିି ପକ୍ଷରୁ ଓଡ଼ିଶା ସମେତ ସମଗ୍ର ଦେଶରେ ଏହି ଆଇନକୁ ନେଇ ଜନ ସଚେତନ କାର୍ଯ୍ୟକ୍ରମ କରିବାର ଲକ୍ଷ୍ୟ ରଖାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଆଇନ ସମ୍ବନ୍ଧରେ ସଚେତନତା ବାର୍ତ୍ତା ଦେଇ ଟୁଇଟରରେ ହ୍ୟାସଟ୍ୟାଗ ଇଣ୍ଡିଆ ସପୋର୍ଟ ସିଏଏ କ୍ୟାମ୍ପେନ୍ ଆରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆଗମୀ ୧୫ ଦିନରେ ଓଡିଶାରେ ସୋସିଆଲ ମିଡିଆ ଟୁଇଟର ମାଧ୍ୟମରେ ଓଡିଶା ସପୋର୍ଟ ସିଏଏ କ୍ୟାମ୍ପେନ୍ କରାଯିବାର ଲକ୍ଷ୍ୟ ରଖାଯାଇଛି। ସିଏଏକୁ ସମର୍ଥନ କରି ଓଡ଼ିଶାରେ ୧୦ ଲକ୍ଷ ଟୁଇଟ କରାଯିବା ସହ ଏହି ଆଇନ ସମ୍ବନ୍ଧରେ ସାଧାରଣ ଜନତାଙ୍କୁ ଅବଗତ କରାଯିବ ବୋଲି ଶ୍ରୀ ହରିଚନ୍ଦନ ସୂଚନା ଦେଇଛନ୍ତି।

ସେହିପରି ସାମ୍ବାଦିକଙ୍କ ସୁରକ୍ଷା ପ୍ରସଙ୍ଗରେ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ଆକ୍ରମଣ କରାଯାଉଛି । ଏବେ ୨ ଦିନ ତଳେ ଯେପରି ଏସପ୍ଲାନେଡ୍ ସପିଙ୍ଗ ମଲରେ ଜଣେ କାର୍ଯ୍ୟରତ ମହିଳା ସାମ୍ବାଦିକାଙ୍କୁ ଆକ୍ରମଣ କରାଗଲା ତାହା ଅତ୍ୟନ୍ତ ନିନ୍ଦନୀୟ ଏବଂ ଦୁର୍ଭାଗ୍ୟଜନକ ଘଟଣା। ବେଆଇନ ପାର୍କିଙ୍ଗ ଉପରେ ବିଡିଏ ରୋକ ଲାଗଇବା ସହ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଓ ଏକ ଅଧ୍ୟାଦେଶ ମାଧ୍ୟମରେ ରାଜ୍ୟର କାର୍ଯ୍ୟରତ ସାମ୍ବାଦିକଙ୍କ ସୁରକ୍ଷା ପାଇଁ ଆଇନ ପ୍ରଣୟନ କରିବାକୁ ବିଜେପି ଦାବି କରୁଛି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।

ଅନ୍ୟପକ୍ଷରେ ସିଏଏ ସପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆରମ୍ଭ କରିଛନ୍ତି କ୍ୟାମ୍ପେନ। ଏଥିପାଇଁ ସେ ସୋଶାଲ୍‌ ମିଡିଆ ପ୍ଲାଟଫର୍ମ ଟ୍ୱିଟରକୁ ବାଛିଛନ୍ତି। ସିଏଏ ସମର୍ଥନରେ ସେ ଟ୍ୱିଟ୍‌ କରି ଲେଖିଛନ୍ତି, ସିଏଏର ଉଦ୍ଦେଶ୍ୟ ହେଉଛି ଶରଣାର୍ଥୀଙ୍କୁ ନାଗରିକତା ଦେବା। ଏହା ଦ୍ୱାରା କାହାରି ନାଗରିକତା ଛଡ଼ାଇ ନିଆଯିବ ନାହିଁ। ଇଣ୍ଡିଆ ସପୋର୍ଟ ସିଏଏ, ଏହି ହାସ୍‌ଟ୍ୟାଗ୍ ଆରମ୍ଭ କରି ନମୋ ଆପ୍‌ରେ ଭଲ୍ୟୁଣ୍ଟର ମଡ୍ୟୁଲ ସେକ୍‌ସନରେ ଏ ସଂପର୍କିତ ତଥ୍ୟ, ଭିଡିଓ ଗ୍ରାଫିକ୍ସ ଆଦି ବିଷୟବସ୍ତୁ ଦେଖିବା ସହିତ ସିଏଏକୁ ସମର୍ଥନ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ନିଜର ମତମନ୍ତବ୍ୟ ସେୟାର କରିବାକୁ ସେ କହିଛନ୍ତି।

ବିଜେପି ମଧ୍ୟ ସୋଶାଲ୍‌ ମିଡିଆରେ CAA ସପକ୍ଷରେ କ୍ୟାମ୍ପେନ ଆରମ୍ଭ କରିଛି। ଏହି ଆଇନ ସଂପର୍କରେ ଥିବା ଭ୍ରମ ଧାରଣା ଲୋକଙ୍କ ମନରୁ ଦୂର କରିବା ପାଇଁ ଏହି ଅଭିଯାନ ଚଳାଇଛି ବିଜେପି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହି ଅଭିଯାନରେ ସାମିଲ ହୋଇଛନ୍ତି। ସିଏଏ ସଂପର୍କରେ ବିରୋଧୀଙ୍କ ଭ୍ରମାତ୍ମକ ଜାଲରେ ନ ପଡ଼ିବାକୁ ସେ ଆହ୍ୱାନ ଦେଇଛନ୍ତି। ସତ ଜାଣନ୍ତୁ ଓ ସତ ବୁଝନ୍ତୁ ବୋଲି ସେ ଆହ୍ୱାନ ଦେଇଛନ୍ତି।

ସେପଟେ ଘଟଣାକୁ ନେଇ ବିଜେପିକୁ କଡ଼ା ସମାଲୋଚନା କରିବା ସହ ଲୋକେ ନରେନ୍ଦ୍ର ମୋଦିଙ୍କ ଟ୍ୱିଟ୍‌ ଜବାବ ଦେବେ ବୋଲି କଂଗ୍ରେସ ନେତା ଶରତ ରାଉତ।

ସେ କହିଛନ୍ତି-“ଲୋକଙ୍କୁ ବୁଝାଇବା ପାଇଁ ସେମାନଙ୍କ ପାଖରେ କିଛି ନାହିଁ। ସିଏଏ କିଭଳି ଭାବରେ ଦେଶକୁ ବିଭାଜନ ଓ କ୍ଷତି କରିବ ସେ ସମୟରେ ଏବେ ଲୋକେ ନରେନ୍ଦ୍ର ମୋଦିଙ୍କୁ ବୁଝାଇବେ। ଏମାନେ ଟ୍ୱିଟ୍‌ କରି ଲୋକଙ୍କୁ ବୁଝାଇପାରିବେ ନାହିଁ। ବରଂ ଲୋକେ ଟ୍ୱିଟ୍‌ କରି ଏହାକୁ ପ୍ରତ୍ୟାହାର କରିବା ପାଇଁ ସେମାନଙ୍କୁ ବୁଝାଇବେ।”

Related story