ଏବେ ବି ପୁରୀରେ ଫୋନି ପୀଡ଼ିତଙ୍କୁ ସହଯୋଗ କରୁଛି ଇନଫୋସିସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁରୀ ଓ ଏହାର ଆ‌ଖପାଖ ଅଞ୍ଚଳକୁ ଧ୍ୱଂସ କରିଦେଇଥିବା ବାତ୍ୟା ଫୋନିର ଭୟାବହତା ଏବେ ବି ଲୋକଙ୍କୁ ମନରୁ ଲିଭିନାହିଁ। ବିଶେଷ କରି ଅଧିକ କ୍ଷତିଗ୍ରସ୍ତ ହୋଇଥିବା ପୁରୀର ଗାଁ ଗୁଡ଼ିକରେ ଏବେ ବି ‘ଫୋନି’ର ପାଦଚିହ୍ନ ଦେଖିବାକୁ ମିଳୁଛି। ଏଭଳି ସ୍ଥିତିରେ ବାତ୍ୟା ପରଠାରୁ ଲୋକଙ୍କୁ ସହଯୋଗର ହାତ ବଢ଼ାଇଥିବା ଇନ୍‌ଫୋସିସ୍‌ ଏବେ ବି ଲୋକଙ୍କୁ ଯଥା ସମ୍ଭବ ସାହାଯ୍ୟ ସହଯୋଗ କରୁଛି। ଇନଫୋସିସ୍ ଫାଉଣ୍ଡେସନ୍‌ର ସିଏସ୍‌ଆର ୱିଙ୍ଗ ଆକାଂକ୍ଷା ଟିମ୍‌ ଏବେ […]

ew

Hemant Lenka
  • Published: Tuesday, 06 August 2019
  • , Updated: 06 August 2019, 04:34 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁରୀ ଓ ଏହାର ଆ‌ଖପାଖ ଅଞ୍ଚଳକୁ ଧ୍ୱଂସ କରିଦେଇଥିବା ବାତ୍ୟା ଫୋନିର ଭୟାବହତା ଏବେ ବି ଲୋକଙ୍କୁ ମନରୁ ଲିଭିନାହିଁ। ବିଶେଷ କରି ଅଧିକ କ୍ଷତିଗ୍ରସ୍ତ ହୋଇଥିବା ପୁରୀର ଗାଁ ଗୁଡ଼ିକରେ ଏବେ ବି 'ଫୋନି'ର ପାଦଚିହ୍ନ ଦେଖିବାକୁ ମିଳୁଛି।

ଏଭଳି ସ୍ଥିତିରେ ବାତ୍ୟା ପରଠାରୁ ଲୋକଙ୍କୁ ସହଯୋଗର ହାତ ବଢ଼ାଇଥିବା ଇନ୍‌ଫୋସିସ୍‌ ଏବେ ବି ଲୋକଙ୍କୁ ଯଥା ସମ୍ଭବ ସାହାଯ୍ୟ ସହଯୋଗ କରୁଛି। ଇନଫୋସିସ୍ ଫାଉଣ୍ଡେସନ୍‌ର ସିଏସ୍‌ଆର ୱିଙ୍ଗ ଆକାଂକ୍ଷା ଟିମ୍‌ ଏବେ ବି ଲୋକଙ୍କୁ ରିଲିଫ୍‌ ସାମଗ୍ରୀ ଯୋଗାଉଛି। ସେଠାରେ ୨୦୦ ସ୍ୱେଚ୍ଛାସେବୀ କାର୍ଯ୍ୟରତ ଅଛନ୍ତି।

ଫୋନିର ତାଣ୍ଡବ ପରେ ଇନ୍‌ଫୋସିସ୍‌ ଫାଉଣ୍ଡେସନ ଓ 'ଆକାଂକ୍ଷା' ପକ୍ଷରୁ ଜରୁରୀକାଳୀନ ଭିତ୍ତିରେ ସହଯୋଗ ଯୋଗାଇ ଦିଆଯାଇଥିଲା। ପର୍ଯ୍ୟାୟକ୍ରମେ ପୁରୀରେ କ୍ଷତିଗ୍ରସ୍ତ ହୋଇଥିବା ଗାଁ ଗୁଡ଼ିକରେ ରିଲିଫ୍‌ ସାମଗ୍ରୀ ପହଞ୍ଚା ଯାଇଥିଲା। ଏବେ ବି ସେହି ଧାରା ଜାରି ରହିଛି।

ଦୀର୍ଘ ଦୁଇ ମାସ ହେଲାଣି ସ୍ୱେଚ୍ଛାସେବୀମାନେ ନିରବଚ୍ଛିନ୍ନ ଭାବେ ପରିଶ୍ରମ କରି କ୍ଷତିଗ୍ରସ୍ତକୁ ମୁଖ୍ୟସ୍ରୋତକୁ ଆଣିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ମେ’ ୧୨ ତାରିଖରୁ ରିଲିଫ୍‌ ବଣ୍ଟନ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏବେ ବି ଏହା ଚାଲୁ ରହିଛି। ଏଯାଏ ୩୨ଟି ଗାଁର ୧୧ ହଜାର ପରିବାରକୁ ଶୁଖିଲା ଖାଦ୍ୟ ଓ କପଡ଼ା ଯୋଗାଇ ଦିଆଯାଇଛି।

ଭୁବନେଶ୍ୱର ଡେଭଲପମେଣ୍ଟ ସେଣ୍ଟରର ସ୍ୱେଚ୍ଛାସେବୀ ଓ ଅକ୍ଷୟପାତ୍ର ଫାଉଣ୍ଡେସନ ମିଳିତ ଭାବେ ୧୫ ଦିନ ପାଇଁ ରନ୍ଧାଖାଦ୍ୟ ଯୋଗାଇଛନ୍ତି। ପ୍ରତିଦିନ ପ୍ରାୟ ୫ ହଜାର ଲୋକ ଏହାର ସୁବିଧା ପାଉଥିଲେ। ୧୨ ହଜାର ଲୋକଙ୍କ ପାଇଁ ୪,୫୦୦ ସୋଲାର ଲାଇଟ୍‌ ଯୋଗାଇ ଦିଆଯାଇଛି।

୧୦ଟି ଗାଁରେ ସ୍ୱେଚ୍ଛାସେବୀମାନେ ସ୍ଥାନୀୟ ଲୋକଙ୍କୁ ଗଛ କାଟିବାରେ ସହଯୋଗ କରିଛନ୍ତି। ଘର ଓ ରାସ୍ତା ଉପରେ ପଡ଼ିଥିବା ଗଛକୁ କାଟି ସଫା କରିବା ପାଇଁ ଅକ୍ଷୟ ଫାଉଣ୍ଡେସନ ସମସ୍ତ ପ୍ରକାରର ମେକାନିକାଲ ଯନ୍ତ୍ରାଂଶ ଯୋଗାଇ ଦେଇଥିଲା। ଏହି କାମରେ ୫୦ଟି ଗଛ କଟା ମେସିନ୍‌ ବ୍ୟବହାର ହୋଇଥିଲା।

ଫୋନିରେ କ୍ଷତିଗ୍ରସ୍ତ ହୋଇଥିବା ଘରଗୁଡ଼ିକ ପାଇଁ ଫାଉଣ୍ଡେସନ ପକ୍ଷରୁ ୨ହଜାର ଟାରପୋଲିନ୍‌ ଯୋଗାଇ ଦିଆଯାଇଛି। ସେହିପରି ୨ ହଜାରଟି ମଶାରୀର ମଧ୍ୟ ବ୍ୟବସ୍ଥା କରାଯାଇଥିଲା।

ପ୍ରଥମ ପର୍ଯ୍ୟାୟରେ ସରକାରଙ୍କ ବିନା ସହାୟତାରେ ଚାଲୁଥିବା ୩୫ ସ୍କୁଲକୁ ୫ ହଜାର ଟିଣ ଚଦର ଯୋଗାଇ ଦିଆଯାଇଥିଲା। ଏହି ସ୍କୁଲ ଗୁଡ଼ିକର ଛାତ ଫୋନି ଯୋଗୁ ନଷ୍ଟ ହୋଇଯାଇଥିଲା। ଏହାଦ୍ୱାରା ୨ ହଜାର ପିଲାଙ୍କ ପାଠପଢ଼ା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ୧୭୦ଟି ସ୍କୁଲ ଓ କଲେଜକୁ ୨୫ ହଜାର ଟିଣ ଚଦର ଯୋଗା ଯାଇଛି। ପିଇବା ପାଣି ସଂରକ୍ଷଣ ପାଇଁ ବିଭିନ୍ନ ସ୍କୁଲକୁ ୨୦୦ଟି ୱାଟର ଟ୍ୟାଙ୍କର ଯୋଗାଯାଇଛି। ଫୋନି ଦ୍ୱାରା କେବଳ ପୁରୀ ଜିଲ୍ଲାରେ ୧୧ ଲକ୍ଷ ନଡ଼ିଆ ଗଛ ନଷ୍ଟ ହୋଇଥିଲା। ଚାଷୀଙ୍କୁ ସହଯୋଗ କରିବା ପାଇଁ ଫାଉଣ୍ଡେସନ ପକ୍ଷରୁ ୨୫ ହଜାର ନଡ଼ିଆ ଗଛ ଚାରା ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଛି।

ଇନଫୋସିସ୍‌ ଟିମ୍‌ ବାସୁଦେବପୁର, ନୋଳିଆସାହି, ଜତିପୁର, ବଳିଆପଣ୍ଡା, ପେଣ୍ଠକଟା, ବମନା, ଗଣେଶ୍ୱରପୁର, ଦମପଡ଼ା, ଅଳୈଶା, ଚୁରଲି, ପାଟଣା, ଭୋଇସାହି, ବୀରଗୋବିନ୍ଦପୁର, ଚମରକେରା,ଧନିକେରା, ଗୋକୁଳପୁର, କପିଳେଶ୍ୱରପୁର, ବାଲିକେରା, ତଣ୍ଡିକେରା ଭଳି ଅନେକ ଗାଁରେ ପହଞ୍ଚି ରିଲିଫ୍‌ ସାମଗ୍ରୀ ଯୋଗାଇ ଦେଇଥିଲା। ଏଥିସହ ଇନଫୋସିସ୍‌ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲଫ ପାଣ୍ଠିକୁ ମଧ୍ୟ  ପ୍ରାୟ ୮୫ ଲକ୍ଷ ଟଙ୍କା ଦିଆଯାଇଥିଲା।

Related story