‘ଶିକ୍ଷକଙ୍କ ନାଁରେ ୫୦ ଲକ୍ଷ ଟଙ୍କାର ବୀମା କରାଯାଉ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାମାରୀ ‘କରୋନା’ ବିରୋଧରେ ଲଢ଼ୁଥିବା ବ୍ୟକ୍ତିଙ୍କୁ ‘କରୋନା’ ଯୋଦ୍ଧା ବୋଲି ସରକାର ଘୋଷଣା କରିଛନ୍ତି। ସେହି ଦୃଷ୍ଟିରୁ ପରୀକ୍ଷା ଖାତା ମୂଲ୍ୟାୟନ କରୁଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ‘କରୋନା’ ଯୋଦ୍ଧା ଭାବେ ଘୋଷଣା କରନ୍ତୁ। ଏହାଛଡ଼ା ସେମାନଙ୍କ ପାଇଁ ୫୦ ଲକ୍ଷ ଟଙ୍କାର ବୀମା କରାଯାଉ। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ଓଷ୍ଟା) ସଂପାଦକ ପ୍ରକାଶ ମହାନ୍ତି ଆଜି ଏହି ଦାବି କରିଛନ୍ତି। ‘କରୋନା’ ପାଇଁ ଆଜି ପର୍ଯ୍ୟନ୍ତ ମ୍ୟାଟ୍ରିକ୍‌ ଖାତା ମୂଲ୍ୟାୟନ […]

matric,,,

Tapaswini Nayak
  • Published: Tuesday, 12 May 2020
  • , Updated: 12 May 2020, 04:45 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାମାରୀ ‘କରୋନା’ ବିରୋଧରେ ଲଢ଼ୁଥିବା ବ୍ୟକ୍ତିଙ୍କୁ ‘କରୋନା’ ଯୋଦ୍ଧା ବୋଲି ସରକାର ଘୋଷଣା କରିଛନ୍ତି। ସେହି ଦୃଷ୍ଟିରୁ ପରୀକ୍ଷା ଖାତା ମୂଲ୍ୟାୟନ କରୁଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ‘କରୋନା’ ଯୋଦ୍ଧା ଭାବେ ଘୋଷଣା କରନ୍ତୁ। ଏହାଛଡ଼ା ସେମାନଙ୍କ ପାଇଁ ୫୦ ଲକ୍ଷ ଟଙ୍କାର ବୀମା କରାଯାଉ। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ଓଷ୍ଟା) ସଂପାଦକ ପ୍ରକାଶ ମହାନ୍ତି ଆଜି ଏହି ଦାବି କରିଛନ୍ତି।

‘କରୋନା’ ପାଇଁ ଆଜି ପର୍ଯ୍ୟନ୍ତ ମ୍ୟାଟ୍ରିକ୍‌ ଖାତା ମୂଲ୍ୟାୟନ ହୋଇପାରି ନାହିଁ। ଯାହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା। ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ଖାତା ଦେଖା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମେ’ ୨୦ ତାରିଖରୁ ୩୦ ବଦଳରେ ୬୦ଟା କେନ୍ଦ୍ରରେ ଖାତା ଦେଖିବାକୁ ସ୍ଥିର କରିଛନ୍ତି ରାଜ୍ୟ ସରକାର। ଏଥିପାଇଁ ୧୭୦୦୦ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ନିୟୋଜିତ କରିଛନ୍ତି। ତେବେ ପରୀକ୍ଷା ଖାତା ଦେଖା କେନ୍ଦ୍ର ବଢ଼ିଥିବାରୁ ଆଉ ୬୦୦୦ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ଦିଆଯାଇଛି। ତେବେ ଏଠି ପ୍ରଶ୍ନ ଉଠୁଛି, ଗୋଟିଏ କେନ୍ଦ୍ରରେ ଏକାଥରକେ ୫୦୦ରୁ ୬୦୦ ଶିକ୍ଷକ ଓ ଶିକ୍ଷୟିତ୍ରୀ ଖାତା ଦେଖିଲେ ସମଦୂରତା କିପରି କାର୍ଯ୍ୟକାରୀ ହେବ? ଏହାଛଡ଼ା ଖାତା ଦେଖିବାକୁ ଚୟନ ହୋଇଥିବା ୩୦% ଶିକ୍ଷୟିତ୍ରୀମାନେ କେଉଁଠି ରହି ଖାତା ଦେଖିବେ ବୋଲି ପ୍ରଶ୍ନ କରିଛନ୍ତି ଓଷ୍ଟା ସଂପାଦକ ପ୍ରକାଶ ମହାନ୍ତି।

ସେ କହିଛନ୍ତି-“ବର୍ତ୍ତମାନ ପରିସ୍ଥିତିରେ ଜିଲ୍ଲା ସଦର ମହକୁମାରେ କୌଣସି ହୋଟେଲ୍‌ ଓ ଲଜ୍‌ ଖୋଲାନାହିଁ। କରୋନା ପାଇଁ ବନ୍ଧୁବାନ୍ଧବମାନେ ସମ୍ପର୍କୀୟଙ୍କୁ ଘର ଭିତରେ ପୂରାଇ ଦେଉନାହାନ୍ତି। ଏହାଛଡ଼ା ରାଜ୍ୟର ୪୦% ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ପାଖରେ ବାଇକ୍‌ ବା ସ୍କୁଟି ନାହିଁ। ସେମାନେ କେମିତି ପରୀକ୍ଷା କେନ୍ଦ୍ରକୁ ଯାଇ ଖାତା ମୂଲ୍ୟାୟନ କରିବେ? କେନ୍ଦ୍ର ସରକାର ଏହାର ସ୍ଥାୟୀ ସମାଧାନର ରାସ୍ତା ବାହାର କରିନପାରି ସିବିଏସ୍‌ଇ ଖାତା ଘରେ ମୂଲ୍ୟାୟନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ହେଲେ ରାଜ୍ୟ ସରକାର ଏଥିପ୍ରତି ତିଳେ ମାତ୍ର ନଜର ଦେଉନାହାନ୍ତି। ନିଜର କାମ ହାସଲ ପାଇଁ ଶିକ୍ଷକଙ୍କ ଜୀବନକୁ ବାଜି ଲଗାଉଛନ୍ତି। ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଅସୁବିଧାକୁ ଲକ୍ଷ୍ୟ କରି ପ୍ରତି ଦୁଇଟି ବ୍ଲକକୁ ନେଇ ଗୋଟିଏ ପରୀକ୍ଷା କେନ୍ଦ୍ର କରିବାକୁ ଦାବି କରୁଛୁ।”

ଶ୍ରୀ ମହାନ୍ତି ଆହୁରି କହିଛନ୍ତି-“ପୂର୍ବରୁ ୧୦୦ ମାର୍କର ଖାତାକୁ ଜଣେ ଶିକ୍ଷକ ଦେଖୁଥିଲେ। ଚଳିତବର୍ଷ ସେହିଭଳି ଖାତା ଦେଖାଯାଉ। ତେବେ ଗତ ୨ ବର୍ଷ ତଳୁ ଆରମ୍ଭ ହୋଇଥିବା ବ୍ୟବସ୍ଥାରେ ଜଣେ ଶିକ୍ଷକ ଗୋଟିଏ ଲେଖାଏଁ ସେଟ୍‌ ଦେଖିବେ। ଏହି ବ୍ୟବସ୍ଥାରେ ଗୋଟିଏ ଖାତା ୫ ଜଣ ଶିକ୍ଷକଙ୍କ ହାତକୁ ଯିବ। ଯେଉଁଥିରେ କରୋନା ସଂକ୍ରମଣ ହେବାର ଭୟ ରହିଛି। ତେଣୁ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରାଯାଇ ୫୦ ଲକ୍ଷ ଟଙ୍କାର ବୀମା କରାଯାଉ। ପରୀକ୍ଷା କେନ୍ଦ୍ରରେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରାଯାଉ। ହେଲେ ରାଜ୍ୟ ସରକାର ଏଥିପ୍ରତି ତିଳେ ମାତ୍ର ଧ୍ୟାନ ଦେଇନାହାନ୍ତି।”

ସୂଚନାରୁ ପ୍ରକାଶ, ମ୍ୟାଟ୍ରିକ୍‌ ଖାତା ଦେଖିବା ପାଇଁ ଶିକ୍ଷକ ସଂଘ କିଛି ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ଦେଇଥିଲେ। ମାତ୍ର ରାଜ୍ୟ ସରକାର ଏଥିପ୍ରତି ନିରବଦ୍ରଷ୍ଟା ସାଜିଛନ୍ତି। ସରକାରଙ୍କ ଏହି ନୀରବତା ସମ୍ପର୍କରେ ଆସନ୍ତାକାଲି ଶିକ୍ଷକ ସଂଘର କର୍ମକର୍ତ୍ତାଙ୍କର ବୈଠକ ବସିବ। ତା’ପରେ ଖାତା ମୂଲ୍ୟାୟନ ନେଇ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଓଷ୍ଟା ସଂପାଦକ ପ୍ରକାଶ ମହାନ୍ତି।

Related story