ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ ଅକ୍ଟୋବର ୭ତାରିଖରେ ଭୁବନେଶ୍ୱରର ରାଜଭବନ ଛକସ୍ଥିତ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ମାମଲାର ତଦନ୍ତ ଶେଷ ହୋଇଛି। ଏହି ବିସ୍ଫୋରଣ ପାଇଁ ସିଧାସଳଖ ଭାରତୀୟ ତୈଳ ନିଗମ(ଆଇଓସିଏଲ)ର ଅଧିକୃତ ଅଫିସର ଓ ଠିକାଦାର ସଂସ୍ଥା ମେସର୍ସ ସୂର୍ଯ୍ୟଶକ୍ତି ଭେଲସ୍ ଲିଃର ପ୍ରତିନିଧିଙ୍କ ଅବହେଳା ଦାୟୀ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଏହାସହିତ ଆଇନଗତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ରାଜ୍ୟ ସରକାରଙ୍କ ଅନୁମତି ଲୋଡ଼ାଯାଇଛି।
ମିଳିଥିବା ସୂଚନା ଅନୁସାରେ, ତଦନ୍ତକାରୀ ପୁଲିସ ଦେଇଥିବା ରିପୋର୍ଟରେ ଦର୍ଶାଇଛି ଯେ,ଏହି ବିସ୍ଫୋରଣ ରାଜଧାନୀର ମଧ୍ୟଭାଗରେ ତଥା ରାଜଭବନ ପାଖରେ ହୋଇଥିଲା ଓ ଏଭଳି ଘଟଣା ଦେଶରେ ପ୍ରଥମ। ବିସ୍ଫୋରଣରେ ୨ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଯେହେତୁ ତଦନ୍ତବେଳେ ଆଇଓସିଏଲ ଓ ମେସର୍ସ ସୂର୍ଯ୍ୟଶକ୍ତି ଭେସେଲ୍ ଲିଃର ଅପରାଧିକ ଅବହେଳା ପ୍ରମାଣିତ ହୋଇଛି, ତେଣୁ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି। ୩ଟି କାରଣ ଯଥା- ଅବହେଳା ପାଇଁ ବିସ୍ଫୋରଣରେ ମୃତ ଦୁଇଜଣଙ୍କୁ ନ୍ୟାୟ ଦେବା, ଭବିଷ୍ୟତରେ ଏଭଳି ଘଟଣାକୁ ରୋକିବା ଓ ପୁଲିସର ବିଶ୍ୱସନୀୟତାକୁ ବଜାୟ ରଖିବା ନିମନ୍ତେ ଆଇନଗତ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି ବୋଲି ତଦନ୍ତକାରୀ ପୁଲିସ୍ ପକ୍ଷରୁ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି।
ବିସ୍ଫୋରଣ ଘଟଣାର ତଦନ୍ତବେଳେ ବିଭିନ୍ନ ସାକ୍ଷ୍ୟପ୍ରମାଣ, ସିସିଟିଭି ଫୁଟେଜକୁ ଯାଂଚ ଓ ବିଶ୍ଲେଷଣ କରାଯାଇଥିଲା। ଇଲେକ୍ଟୋନିକ ରେକର୍ଡଗୁଡ଼ିକୁ ମଧ୍ୟ ସମୀକ୍ଷା ସହ ପେଟ୍ରୋଲିୟମ ଆଣ୍ଡ ଏସପ୍ଲୋସିଭ୍ ସେଫଟି ଅର୍ଗାନାଇଜେସନ୍ (ପିଇଏସଓ)ର ବିଶେଷଜ୍ଞଙ୍କ ମତାମତ ଆଧାରରେ ଏହି ବିସ୍ଫୋରଣ ପାଇଁ ଆଇଓସିଏଲର ଅଧିକୃତ ଅଫିସର ଓ ଠିକାଦାର ସଂସ୍ଥାର ପ୍ରତିନିଧିଙ୍କ ଅପରାଧିକ ଅବହେଳାକୁ ଦାୟୀ କରାଯାଇଛି।
ତଦନ୍ତକାରୀ ସଂସ୍ଥା ୧୦ଟି ଦିଗକୁ ରେଖାଙ୍କିତ କରିବା ସହ ୧୨ଟି ଏସଓପିକୁ ଉଲ୍ଲଘଂନ କରାଯାଇଥିବା କହିଛି। ୧୦ବର୍ଷର ବାଧ୍ୟତାମୂଳକ ପ୍ରେସର ଟେଷ୍ଟିଂ ବ୍ୟବସ୍ଥା ଥିବାରୁ ଏସଓପି ଅନୁସାରେ ଟେଣ୍ଡର, କାର୍ଯ୍ୟର ପରିଚାଳନା ଓ ନିରାପତ୍ତା ଆଇଓସିଏଲ ସମସ୍ତ ଦାୟିତ୍ୱ ନେବାକଥା। ଏଭଳି ଏକ ସଂସ୍ଥାକୁ ଆଇଓସିଏଲ ପକ୍ଷରୁ ଟେଣ୍ଡର ଦିଆଯାଇଥିଲା ଯିଏକି ଏସଏମପିଭି ରୁଲ୍ ଅନୁସାରେ ଏଥିପାଇଁ ଯୋଗ୍ୟ ନୁହେଁ। ଆଇଓସିଏଲର ଜାଣତରେ ଠିକାସଂସ୍ଥା ମେସର୍ସ ସୂର୍ଯ୍ୟଶକ୍ତି ଭେସେଲ୍ କେତେକ ନିମ୍ନମାନର କାର୍ଯ୍ୟ ମଧ୍ୟ କରିଥିଲା। ଠିକା ସଂସ୍ଥାକୁ ଗେଟ୍ ପାସ୍ ଦିଆଯାଇନି କିନ୍ତୁ ସେମାନଙ୍କୁ କାମ କରିବାକୁ ଅନୁମତି ମିଳିଥିଲା।
ଅକ୍ଟୋବର ୬ ଓ ୭ତାରିଖରେ ଦ୍ୱିତୀୟ ଟାଙ୍କିରେ କାମ ଚାଲିଥିବାବେଳେ ଆଇଓସିଏଲର ଅଧିକୃତ ପ୍ରତିନିଧି ଉପସ୍ଥିତ ନଥିଲେ । ଏହି ଦ୍ୱିତୀୟ ଟାଙ୍କି ଅକ୍ଟୋବର ୭ତାରିଖରେ ବିସ୍ଫୋରଣ କରିଥିଲା। ତେବେ ଫୋନ୍ ଓ ହ୍ୱାଟସଅପ୍ ମାଧ୍ୟମରେ ଆଇଓସିଏଲ ପ୍ରତିନିଧି ସେଦିନ ଠିକାଦାରଙ୍କ ସହ ଯୋଗାଯୋଗରେ ରହିଥିଲେ। ତେବେ କାମ ଚାଲିଥିବାବେଳେ ଆଇଓସିଏଲର ଅଧିକୃତ ଅଧିକାରୀ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହିବା ଜରୁରୀ।
ପ୍ରଥମ ସିଲଣ୍ଡିରର କାର୍ଯ୍ୟ ୫ଦିନରେ ସରିଥିବାବେଳେ ଦ୍ୱିତୀୟ ସିଲିଣ୍ଡର କାର୍ଯ୍ୟ ମାତ୍ର ୨ଦିନରେ ସରିଥିଲା, ଯାହାକି ବିସ୍ଫୋରଣ କରିଥିଲା। ଆଇଓସିଏଲ୍ ଏସବୁ କାର୍ଯ୍ୟ ପାଇଁ ତ୍ୱତୀୟ ପକ୍ଷ ତଦାରଖ ବା ମୂଲ୍ୟାଙ୍କନ କରିବା ଉଚିତ୍, ଯାହାକି ହୋଇନଥିଲା। ସେହିପରି ଏହି ପେଟ୍ରୋଲ ପମ୍ପଟି ଆଇଓସିଏଲ୍ ମାଲିକାନାରେ ଅଛି ଓ ତାହା ଦ୍ୱାରା ପରିଚାଳିତ ହେଉଥିଲା । ଗାଇଡଲାଇନ୍ ଅନୁସାରେ କାମ ଚାଲିଥିବାବେଳେ ପେଟ୍ରୋଲ,ଡିଜେଲ ଓ ଏଲପିଜି ବିକ୍ରି କରାଯିବ ନାହିଁ। ତାହା ବି ପାଳନ କରାଯାଇନଥିଲା।
ପିଇଏସଓ ଅନୁସାରେ, ଏଲପିଜି ଫିଲିଙ୍ଗ ପୂର୍ବରୁ ଅଣ୍ଡରଗ୍ରାଉଣ୍ଡରେ ଥିବା ଉଭୟ ସିଲିଣ୍ଡରକୁ ଯାଂଚ କରିବା ଜରୁରୀ ଥିଲା। ତେବେ ଅନ୍ୟ ଗୋଟିଏ ସିଲିଣ୍ଡରର କାର୍ଯ୍ୟ ସମାପ୍ତ ହେବା ପୂର୍ବରୁ ପ୍ରଥମ ସିଲିଣ୍ଡରରେ ଏଲପିଜି ଭର୍ତ୍ତି କରାଯାଇ ସାରିଥିଲା। ବୈଷୟିକ କର୍ମଚାରୀ ଓ ତଦାରଖଙ୍କ ଅଭାବରୁ ବିସ୍ଫୋରଣ ହୋଇଥିବା ସିଲିଣ୍ଡର ଠିକ୍ ଭାବେ ବସି ନଥିଲା।
ସୂଚନାଯୋଗ୍ୟ, ଅକ୍ଟୋବର ୭ତାରିଖରେ ରାଜଭବନଛକ ନିକଟସ୍ଥ ପେଟ୍ରୋଲ ପମ୍ପରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା।