ଏନ୍‌ଡିଏର ରାଜ୍ୟସଭା ଉପାଧ୍ୟକ୍ଷ ପ୍ରାର୍ଥୀଙ୍କୁ ବିଜେଡିର ସମର୍ଥନ: ସୁବିଧାବାଦ୍‌ ନା ଚାଲାକି ?

ଭୁବନେଶ୍ୱର : ଅଗଷ୍ଟ ୯ରେ ହେବାକୁ ଥିବା ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପାଇଁ ଜାତୀୟ ରାଜନୀତି ସରଗରମ ଥିବାବେଳେ ଏନ୍‌ଡିଏ ସମର୍ଥିତ ପ୍ରାର୍ଥୀ ଜେଡିୟୁର ହରିବଂଶ ନାରାୟଣ ସିଂହଙ୍କୁ ବିଜେଡି ସମର୍ଥନ ଜଣାଇବ ବୋଲି ପରୋକ୍ଷରେ ଆଭାସ ଦେଇଛି। ଜେଡିୟୁ ସୁପ୍ରିମୋ ନୀତୀଶ କୁମାର ଆଜି ଅପରାହ୍ନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ ଟେଲିଫୋନ୍ ଯୋଗେ ଆଲୋଚନା କରି ଏନ୍‌ଡିଏ ପ୍ରାର୍ଥୀ ହରିବଂଶଙ୍କ ସପକ୍ଷରେ ସମର୍ଥନ ମାଗିବା ପରେ ବିଜେଡିର ଆଭିମୁଖ୍ୟକୁ ନେଇ ଲାଗି ରହିଥିବା […]

cartoon

cartoon

Ordigital Desk
  • Published: Tuesday, 07 August 2018
  • Updated: 07 August 2018, 04:53 PM IST

ଭୁବନେଶ୍ୱର : ଅଗଷ୍ଟ ୯ରେ ହେବାକୁ ଥିବା ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପାଇଁ ଜାତୀୟ ରାଜନୀତି ସରଗରମ ଥିବାବେଳେ ଏନ୍‌ଡିଏ ସମର୍ଥିତ ପ୍ରାର୍ଥୀ ଜେଡିୟୁର ହରିବଂଶ ନାରାୟଣ ସିଂହଙ୍କୁ ବିଜେଡି ସମର୍ଥନ ଜଣାଇବ ବୋଲି ପରୋକ୍ଷରେ ଆଭାସ ଦେଇଛି।

ଜେଡିୟୁ ସୁପ୍ରିମୋ ନୀତୀଶ କୁମାର ଆଜି ଅପରାହ୍ନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ ଟେଲିଫୋନ୍ ଯୋଗେ ଆଲୋଚନା କରି ଏନ୍‌ଡିଏ ପ୍ରାର୍ଥୀ ହରିବଂଶଙ୍କ ସପକ୍ଷରେ ସମର୍ଥନ ମାଗିବା ପରେ ବିଜେଡିର ଆଭିମୁଖ୍ୟକୁ ନେଇ ଲାଗି ରହିଥିବା ଦ୍ୱନ୍ଦ୍ୱରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।

ବିଜେଡି ମଧ୍ୟ ଜେଡିୟୁର ପୁରୁଣା ଋଣ ଶୁଝିବା ଆଳରେ ଏନ୍‌ଡିଏ ପ୍ରାର୍ଥୀ ଜେଡିୟୁର ହରିବଂଶଙ୍କୁ ସମର୍ଥନ କରିବ ବୋଲି ଆଶ୍ୱାସନା ଦେଇଛି। ଅବଶ୍ୟ ଏନ୍‌ଡିଏକୁ ସମର୍ଥନ ପ୍ରସଙ୍ଗରେ ବିଜେଡି ଏବେ ବି ନିରବତା ଅବଲମ୍ବନ କରିଛି। ଏହାସହିତ କଂଗ୍ରେସ ଓ ବିଜେପିଠୁ ସମଦୂରତ୍ୱର ଡିଣ୍ଡିମ ପିଟୁଥିବା ବିଜେଡି କାହାକୁ ସମର୍ଥନ କରିବ ବୋଲି ନେଇ ଚାଲିଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।

ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ଯେ, ପି.ଏ.ସାଙ୍ଗମାଙ୍କୁ ବିଜେଡି ରାଷ୍ଟ୍ରପତି ପ୍ରାର୍ଥୀ କରିବା ସମୟରେ ଜେଡିୟୁ ସମର୍ଥନ ଜଣାଇଥିଲା। ତେଣୁ ଏହାକୁ ଦୃଷ୍ଟିରେ ରଖି ଜେଡିୟୁ ପ୍ରାର୍ଥୀ ହରିବଂଶଙ୍କୁ ସମର୍ଥନ ଦେବା ନିଷ୍ପତ୍ତି ବିଜେଡି ନେବ।

ଅପରପକ୍ଷରେ ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପାଇଁ ଦଳର ଆଭିମୁଖ୍ୟ କ’ଣ ରହିବ ତା’ର ଆନୁଷ୍ଠାନିକ ଘୋଷଣା ଆସନ୍ତାକାଲି କରାଯିିବ।

ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ଏବେ ମୁମ୍ବାଇ ଗସ୍ତରେ ଅଛନ୍ତି। ଆଜି ଭୁବନେଶ୍ୱର ଛାଡ଼ିବା ପୂର୍ବରୁ ତାଙ୍କ ସହ ବିଜେପିର ବରିଷ୍ଠ ନେତା ଅରୁଣ ଜେଟ୍‌ଲୀ ଓ ପରେ ଜେଡିୟୁ ସୁପ୍ରିମୋ ନୀତୀଶ କୁମାର ଆଲୋଚନା କରିଛନ୍ତି।

ଆଜି ସନ୍ଧ୍ୟାରେ ଦଳର ବରିଷ୍ଠ ନେତାମାନଙ୍କ ସହ ଟେଲିଫୋନ୍ ଯୋଗେ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ। ଉପାଧ୍ୟକ୍ଷ ନିର୍ବାଚନକୁ ନେଇ ରାଜ୍ୟସଭାରେ କେଉଁ ଦଳର ସ୍ଥିତି  ଓ ଆଭିମୁଖ୍ୟ କ’ଣ ରହିଛି ତାହା ଗତକାଲି ବିଜେଡି ସଭାପତିଙ୍କୁ ଅବଗତ କରାଇ ଦିଆଯାଇଥିଲା। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ହିଁ ଗତକାଲି ପିଏସି କମିଟି ସଦସ୍ୟ ନିର୍ବାଚନ ବେଳେ ବିଜେପି ସମର୍ଥିତ ପ୍ରାର୍ଥୀଙ୍କୁ ଦଳ ସମର୍ଥନ ଜଣାଇ ନଥିଲା।

ପବ୍ଲିକ୍ ଆକାଉଣ୍ଟସ୍ କମିଟି (ପିଏସି)ର ୨ ଜଣ ସଦସ୍ୟଙ୍କୁ ଚୟନ ପାଇଁ ଗତକାଲି ରାଜ୍ୟସଭାରେ ହୋଇଥିବା ନିର୍ବାଚନରେ ୟୁପିଏ ମେଣ୍ଟ ସମର୍ଥିତ ପ୍ରାର୍ଥୀ ଟିଡିପି ସାଂସଦ ସିଏମ୍ ରମେଶଙ୍କୁ ବିଜେଡି ସମର୍ଥନ ଜଣାଇଥିଲା। କେବଳ ଅନୁଭବ ମହାନ୍ତି ଅନୁପସ୍ଥିତ ଥିବାରୁ ବାକି ୮ ସାଂସଦ ରାଜ୍ୟସଭାରେ ଟିଡିପି ପ୍ରାର୍ଥୀ ଶ୍ରୀ ରମେଶଙ୍କୁ ସମର୍ଥନ ଜଣାଇଥିଲେ।

ଏଥିପାଇଁ ବିଜେପି ସମର୍ଥିତ ଦୁଇପ୍ରାର୍ଥୀଙ୍କ ମଧ୍ୟରୁ ଜଣକୁ ପରାଜିତ ହେବାକୁ ପଡ଼ିଥିଲା। ଅବଶ୍ୟ ପିଏସି ସଦସ୍ୟ ନିର୍ବାଚନରେ ଏନ୍‌ଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବା ପାଇଁ ସେଭଳି ଚାପ ବିଜେପି ପକ୍ଷରୁ ପଡ଼ିନଥିଲା ବୋଲି ଦଳର ଜଣେ ରାଜ୍ୟସଭା ସାଂସଦ ସ୍ପଷ୍ଟ କରିଛନ୍ତି।

ନମ୍ବର ଗେମ୍‌ରେ ଏବେ ଏନ୍‌ଡିଏ ସମର୍ଥିତ ପ୍ରାର୍ଥୀ ହରିବଂଶଙ୍କ ପାଇଁ ସମର୍ଥନ ଜଣାଇବା ଜରୁରୀ ହୋଇଥିବାରୁ ବିଜେଡି ଉପରେ ଚାପ ବଢ଼ିଥିଲା। ଏହାସହିତ ବିଜେଡି ଗତକାଲି ଟିଡିପି ପ୍ରାର୍ଥୀ ରମେଶଙ୍କୁ ସମର୍ଥନ କରିଥିବାବେଳେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଜେଡିୟୁ ସାଂସଦ ହରିବଂଶଙ୍କୁ ସମର୍ଥନ ଦେଇ ନିଜର ସମତୁଲ ଭୂମିକା ପ୍ରଦର୍ଶନ କରିବାର ସମ୍ଭାବନା ରହିଛି।

ବିଜେଡି ସୁପ୍ରିମୋ ଶ୍ରୀ ପଟ୍ଟନାୟକ ମଧ୍ୟ ଏନ୍‌ଡିଏ ସମର୍ଥିତ ଜେଡିୟୁ ପ୍ରାର୍ଥୀ ହରିବଂଶଙ୍କୁ ସମର୍ଥନ ଜଣାଇ ଗୋଟିଏ ଗୁଳିରେ ଦୁଇଟି ଶିକାର କରିବାକୁ ଲକ୍ଷ୍ୟ ରଖିଛନ୍ତି।

ଏନ୍‌ଡିଏ ପ୍ରାର୍ଥୀଙ୍କୁ ଏଆଇଡିଏମ୍‌କେ ଓ ଟିଆରଏସ୍ ଭଳି ଦଳର ସମର୍ଥନ ଯୋଗୁ ଜିତିବା ଏକପ୍ରକାର ନିଶ୍ଚିତ ଥିବାରୁ ନବୀନ ବିରୋଧ କରି ବିଜେପି ନେତୃତ୍ୱଙ୍କ ଚକ୍ଷୁଶୂଳ ହେବାକୁ ଚାହୁଁନାହାନ୍ତି।

ଏହା ସହିତ ଏନ୍‌ଡିଏ ସରକାରକୁ ସମର୍ଥନ ଜଣାଇ ରାଜ୍ୟ ବିଜେପି ୟୁନିଟ୍‌ର ମନୋବଳ ଓ ରାଜନୀତିକ ଧାରକୁ ଦୁର୍ବଳ କରିବାକୁ ଚାହୁଁଚନ୍ତି। ବିଜେପି କର୍ମୀଙ୍କ ସହ ସାଧାରଣ ଭୋଟରଙ୍କ ମନରେ ଏକ ଦ୍ୱନ୍ଦ୍ୱ ସୃଷ୍ଟି କରିବା ନବୀନଙ୍କ ରାଜନୀତିକ ପେଞ୍ଚର ମୂଳ ଉଦ୍ଦେଶ୍ୟ।

ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରକୁ ନବୀନ ସମର୍ଥନ ଜଣାଉଛନ୍ତି। ଯାହାର ସିଧାସଳଖ ପ୍ରଭାବ ରାଜ୍ୟ ବିଜେପି ୟୁନିଟ୍ ଉପରେ ପଡ଼ୁଛି ତଥା ବିଜେପି କର୍ମୀମାନେ ରାଜ୍ୟରେ ବିଜେଡିକୁ ସିଧାସଳଖ ଟକ୍କର ଦେବା କ୍ଷେତ୍ରରେ ଅଡୁଆ ପରିସ୍ଥିତିର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ,  ରାଜ୍ୟସଭାରେ ଏବେ ମୋଟ ୨୪୪ ଜଣ ସଦସ୍ୟ ଥିବାରୁ ଉପାଧ୍ୟକ୍ଷ ପଦବୀ ଜିତିବା ପାଇଁ ୧୨୩ଜଣ ସାଂସଦଙ୍କ ସମର୍ଥନ ଜରୁରୀ।

ଏନ୍‌ଡିଏ ପ୍ରାର୍ଥୀ ହରିବଂଶଙ୍କ ସପକ୍ଷରେ ଏବେସୁଦ୍ଧା କେବଳ ଏଆଇଡିଏମ୍‌କେ(୧୩ ସାଂସଦ)ର ସମର୍ଥନ ମିଳିପାରିଛି। ଟିଆରଏସ୍ (୬), ୱାଇଏସ୍ଆର(୨) ଓ   ବିଜେଡି(୯) ନିଜର କାର୍ଡ ଖୋଲି ନଥିବାବେଳେ ସହଯୋଗୀ ଶିବସେନା(୩) ଓ ଶିରୋମଣି ଅକାଳୀ ଦଳ(୩) ମଧ୍ୟ ଅସନ୍ତୁଷ୍ଟ ରହିଛନ୍ତି। ତେଣୁ ଏଭଳି ସ୍ଥିତିରେ ବିଜେଡି ଏନ୍‌ଡିଏ ପ୍ରାର୍ଥୀଙ୍କୁ ଆଗୁଆ ସମର୍ଥନ ଦେବ ବୋଲି ଜଣାଇ ଦେଇ ଫାଇଦାରେ ରହିବାକୁ ଚାହୁଁଛି।

ସୂଚନାଯୋଗ୍ୟ , ୭୩ ସାଂସଦଙ୍କ ସହ ବିଜେପି ରାଜ୍ୟସଭାରେ ସର୍ବବୃହତ ଦଳ। ଏବେ ଏନ୍‌ଡିଏର ସମର୍ଥକ ଭାବେ ବୋଡୋଲ୍ୟାଣ୍ଡ ପିପୁଲ୍ସ ଫ୍ରଣ୍ଟ (୧), ଜେଡିୟୁ(୬), ନାଗା ପିପୁଲ୍ସ ଫ୍ରଣ୍ଟ (୧), ଆରପିଆଇ(କ)-୧, ସିକିମ୍ ଡେମୋକ୍ରାଟିକ୍ ଫ୍ରଣ୍ଟ (୧) ଓ ୪ ଜଣ ମନୋନୀତ ସାଂସଦଙ୍କ ସମର୍ଥନ ରହିଛି। ତେବେ  ରାଜ୍ୟସଭା ଉପାଧ୍ୟକ୍ଷ ପ୍ରାର୍ଥୀ ଚୟନକୁ ନେଇ ଅକାଳୀ ଦଳ କ୍ଷୁବ୍ଧ ଥିବାରୁ ତା’ର ଭୂମିକା ଏବେ ଅସ୍ପଷ୍ଟ ରହିଛି।

ତଥାପି ଏଆଇଡିଏମ୍‌କେ ଓ ବିଜେଡିର ସମର୍ଥନ ପାଇଲେ ଏନ୍‌ଡିଏ ପ୍ରାର୍ଥୀ ହରିବଂଶଙ୍କ ବିଜୟ ସହଜ ହୋଇଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos