Advertisment

ଏହା ସକାରାତ୍ମକ ନା ନକାରାତ୍ମକ?

ଦେବେନ୍ଦ୍ର ପୃଷ୍ଟି ଏହାକୁ କ’ଣ କୁହାଯିବ? ଘୃଣା ନା ପ୍ରତିଶୋଧ? ରାଗ ନା ରୁଗ୍ଣ ମାନସିକତା? ଯାହା ବି କୁହାଯାଉ, ନାଗରିକତା ସଂଶୋଧନ ବିଲ୍‌ ଯାହା ୨୦୧୯ ଡିସେମ୍ବର ୪ ତାରିଖରେ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ଲାଭ କରିଛି ତାହା ନିଶ୍ଚିତ ଭାବେ ବର୍ତ୍ତମାନର କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିବା ପାଇଁ ପ୍ରତିପକ୍ଷଙ୍କୁ ଅନେକ ଯୁକ୍ତି ଯୋଗାଇଦେବ। ଏଭଳି ଏକ ବିଲ୍‌ ପୂର୍ବ ଲୋକସଭାରେ ଗୃହୀତ ହୋଇ ରାଜ୍ୟସଭାରେ ଗୃହୀତ ହୋଇନପାରିବାରୁ ଅକାମୀ ହୋଇଯାଇଛି। ପୁଣି ଥରେ […]

ଏହା ସକାରାତ୍ମକ ନା ନକାରାତ୍ମକ?

citizenship

Advertisment

ଦେବେନ୍ଦ୍ର ପୃଷ୍ଟି

ଏହାକୁ କ’ଣ କୁହାଯିବ? ଘୃଣା ନା ପ୍ରତିଶୋଧ? ରାଗ ନା ରୁଗ୍ଣ ମାନସିକତା? ଯାହା ବି କୁହାଯାଉ, ନାଗରିକତା ସଂଶୋଧନ ବିଲ୍‌ ଯାହା ୨୦୧୯ ଡିସେମ୍ବର ୪ ତାରିଖରେ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ଲାଭ କରିଛି ତାହା ନିଶ୍ଚିତ ଭାବେ ବର୍ତ୍ତମାନର କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିବା ପାଇଁ ପ୍ରତିପକ୍ଷଙ୍କୁ ଅନେକ ଯୁକ୍ତି ଯୋଗାଇଦେବ। ଏଭଳି ଏକ ବିଲ୍‌ ପୂର୍ବ ଲୋକସଭାରେ ଗୃହୀତ ହୋଇ ରାଜ୍ୟସଭାରେ ଗୃହୀତ ହୋଇନପାରିବାରୁ ଅକାମୀ ହୋଇଯାଇଛି। ପୁଣି ଥରେ ସଂସଦରେ ଗୃହୀତ କରିବା ପାଇଁ ଏହି ବିଲ୍‌କୁ କେନ୍ଦ୍ର କ୍ୟାବିନେଟ ମଂଜୁରୀ ପ୍ରଦାନ କରିଛନ୍ତି। ବିଲ୍‌ରେ ରହିଥିବା ବ୍ୟବସ୍ଥା ଅନୁସାରେ ଭାରତ ବିଭାଜନ ସମୟରେ ବା ପରେ ୨୦୧୪ ଡିସେମ୍ବର ପୂର୍ବରୁ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ଭାରତକୁ ପଳାଇ ଆସିଥିବା ହିନ୍ଦୁ, ଖୀରସ୍ତାନ, ଶିଖ, ବୌଦ୍ଧ, ଜୈନ ଓ ପାର୍ସୀ ଧର୍ମର ଲୋକମାନଙ୍କୁ ଭାରତ ନାଗରିକତା ପ୍ରଦାନ କରାଯିବ। ଏହି ଛଅଟି ସଂପ୍ରଦାୟର ଲୋକମାନଙ୍କୁ ଯେଉଁ ସର୍ତ୍ତ ଅନୁସାରେ ଭାରତର ନାଗରିକ ଭାବେ ଗ୍ରହଣ କରାଯିବ ସେହି ସମସ୍ତ ସର୍ତ୍ତ ପୂରଣ କରୁଥିଲେ ବି ମୁସଲମାନ ଦେଶାନ୍ତରୀଙ୍କୁ ଏହି ମାନ୍ୟତା ମିଳିବ ନାହିଁ। ଏହା କ’ଣ ବର୍ତ୍ତମାନର କେନ୍ଦ୍ର ସରକାରଙ୍କ ଘୋଷିତ ‘ସର୍ବ ଧର୍ମ ସମ ଭାବ’ ନୀତି? ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ଅବଶ୍ୟ ଏହା ସରକାରଙ୍କ ‘ସର୍ବ ଧର୍ମ ସମ ଭାବ’ ନୀତି ବୋଲି ଦାବି କରିଛନ୍ତି।

Advertisment

ନାଗରିକତା ସଂଶୋଧନ ବିଲ୍‌ର ପୂର୍ବସୂରୀ ହେଉଛି ୧୯୫୫ ମସିହାର ନାଗରିକତା ଆଇନ। ଏହି ଆଇନରେ ରହିଥିବା କେତେକ ସର୍ତ୍ତକୁ ସଂଶୋଧନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏନଡିଏ ସରକାର ଏହି ବିଲ୍‌ ପ୍ରସ୍ତୁତ କରିଛନ୍ତି। ପୂର୍ବ ପରି ଏହା ରାଜ୍ୟସଭାର ଅନୁମୋଦନ ଲାଭ କରିବାରେ ବିଫଳ ହେବ କି ନହେବ ତାହା ଅଲଗା କଥା, ମାତ୍ର ଏହି ସଂଶୋଧନ ଜରିଆରେ ମୋଦୀ ସରକାର ନିଜକୁ ମୁସଲିମ ବିରୋଧୀ ବୋଲି ପ୍ରମାଣିତ କରିବେ। ସରକାରଙ୍କ ଯୁକ୍ତି ହେଉଛି ଧର୍ମ ଭିତ୍ତିରେ ଦେଶ ବିଭାଜନ ହୋଇଥିଲା। ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶ ରାଷ୍ଟ୍ରତ୍ରୟ ହେଉଛନ୍ତି ଧର୍ମବାଦୀ ଦେଶ। ଏହି ତିନି ଦେଶ ଇସ୍‌ଲାମିକ ଆଇନ ଅନୁସାରେ ଚଳନ୍ତି। ଧର୍ମ ନିରପେକ୍ଷ ନୁହନ୍ତି। ଏସବୁ ଦେଶରେ ମୁସଲିମମାନେ ସଂଖ୍ୟାଗରିଷ୍ଠ। ଅନ୍ୟ ଧର୍ମର ଲୋକମାନଙ୍କୁ ଦ୍ୱିତୀୟ ଶ୍ରେଣୀ ନାଗରିକ ଭାବେ ବ୍ୟବହାର କରାଯାଏ। ମୁସଲିମ ହୋଇ ନଥିବାରୁ ସଂଖ୍ୟାଗରିଷ୍ଠଙ୍କ ନିର୍ଯାତନା ଓ ଆକ୍ରମଣ ସହି ନପାରି ଏହି ତିନି ଦେଶର ଅନେକ ଅଣମୁସଲିମ ଦେଶଛାଡ଼ି ଭାରତ ପଳାଇ ଆସିଛନ୍ତି। ଦେଶାନ୍ତରୀ ହୋଇଥିବା ଏହିଭଳି ଅନେକ ଅଣମୁସଲିମଙ୍କ ନିକଟରେ ବାଟଯାତ୍ରା ସଂପର୍କୀତ ବୈଧ ନଥି ଥିବ। ନଥିଲେ ବି କିଛି ଯାଏ ଆସେ ନାହିଁ। ସେମାନେ ସୁରକ୍ଷା ପାଇଁ ନିଜ ଭିଟାମାଟିର ମୋହ ତୁଟାଇ ସଂପତ୍ତିବାଡ଼ି ଛାଡ଼ି ଭାରତ ପଳାଇ ଆସିଛନ୍ତି। କିନ୍ତୁ ଏଯାବତ ସେମାନଙ୍କ ମଧ୍ୟରୁ ଅନେକଙ୍କୁ ଭାରତର ନାଗରିକ ଭାବେ ମାନ୍ୟତା ମିଳି ନାହିଁ। ନରେନ୍ଦ୍ର ମୋଦୀଙ୍କ ସରକାର ଏହି ଅଣମୁସଲିମ ଦେଶାନ୍ତରୀମାନଙ୍କୁ ଭାରତର ନାଗରିକତା ପ୍ରଦାନ କରି ସେମାନଙ୍କ ପ୍ରତି ସମ୍ବେଦନଶୀଳ ବୋଲି ସଂକେତ ଦେବେ।

ସରକାରଙ୍କର ଏହି ଯୁକ୍ତି ଅନେକ ଦୃଷ୍ଟିରୁ ଯଥାର୍ଥ। ଏହା ସତ ଯେ କେବଳ ଧର୍ମ ଭିତ୍ତିରେ ହିଁ ପାକିସ୍ତାନ ଭାରତଠାରୁ ଅଲଗା ହୋଇଥିଲା। ଏହା ମଧ୍ୟ ସତ୍ୟ ଯେ ପାକିସ୍ତାନରେ ହିନ୍ଦୁ ଓ ଅନ୍ୟ ଅଣମୁସଲମାନ ଲୋକମାନଙ୍କୁ ଏଯାବତ ଦ୍ୱିତୀୟ ଶ୍ରେଣୀ ନାଗରିକ ଭାବେ ବ୍ୟବହାର କରାଯାଉଛି। ହିନ୍ଦୁମାନଙ୍କୁ ଜୋର ଜବରଦସ୍ତ ଭାବେ ଧର୍ମାନ୍ତରିତ କରାଯାଉଛି। ହିନ୍ଦୁ ଝିଅବୋହୂମାନଙ୍କୁ ମୁସଲିମ ଲୋକମାନେ ଜୋର ଜବରଦସ୍ତ ଟେକି ନେଇ ବିବାହ କରୁଛନ୍ତି। ପାକିସ୍ତାନର ଧର୍ମନିନ୍ଦା ଆଇନ ଅନୁସାରେ ଅନେକ ଅଣମୁସଲିମଙ୍କ ବିରୋଧରେ ତୁଚ୍ଛା ଅଭିଯୋଗ ଆଣି ସେମାନଙ୍କୁ ମୃତ୍ୟୁଦଣ୍ଡ ମଧ୍ୟ ଦିଆଯାଉଛି। ଏଭଳି ଏକ ମୃତ୍ୟୁଦଣ୍ଡକୁ ବିରୋଧ କରିବାକୁ ପାକିସ୍ତାନ ଅନ୍ତର୍ଗତ ପଞ୍ଜାବର ତତ୍କାଳନୀ ରାଜ୍ୟପାଳ ସଲ୍‌ମାନ ତସିରଙ୍କୁ ମଧ୍ୟ ତାଙ୍କର ଦେହରକ୍ଷୀ ହତ୍ୟା କରିଥିଲା। ରାଜ୍ୟପାଳ ତସିର ଜଣେ ଉଦାରବାଦୀ ମୁସଲମାନ। ସେ ଆସିୟା ନୁରିନ ବା ଆସିୟା ବିବିଙ୍କ ମୃତ୍ୟୁଦଣ୍ଡ ସହିତ ପାକିସ୍ତାନର ଧର୍ମନିନ୍ଦା ଆଇନକୁ ବିରୋଧ କରୁଥିଲେ। ଆସିୟା ବିବି ଜଣେ ଖୀରସ୍ତାନ। ୨୦୦୯ ଜୁନ ମାସରେ ସେ ନିଜର କେତେକ ସହ-ଶ୍ରମିକଙ୍କ ସହିତ ମିଶି କୋଳି ତୋଳୁଥିଲେ। ତାଙ୍କୁ ଶୋଷ କରିବାରୁ ସେ ଅନ୍ୟମାନଙ୍କ କଥାରେ ନିକଟସ୍ଥ ଏକ କୂଅରୁ ପାଣି ପିଇବାକୁ ଗଲେ। ସେଠାରେ ସେ ଏକ ପାନପାତ୍ର ପଡ଼ିଥିବା ଦେଖିଲେ। ସେହି ପାତ୍ରରେ ସେ ପାଣି ଢାଳି ପିଇବା ପୂର୍ବରୁ ଜଣେ ମୁସଲିମ ମହିଳା ତାହାର ବିରୋଧ କଲେ। ମୁସଲମାନ ଧର୍ମ ଅନୁସାରେ ଅଣମୁସଲମାନ ଲୋକମାନେ ମୁସଲିମଙ୍କ ଗିଲାସରେ ମଧ୍ୟ ପାଣି ପିଇପାରିବେ ନାହିଁ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହେଲା। ତାହା ଗଣ୍ଡଗୋଳର ରୂପ ନେଲା। କେଇ ଦିନ ଭିତରେ ଏହା ଏକ ଅନ୍ତର୍ଜାତୀୟ ପ୍ରସଙ୍ଗରେ ପରିଣତ ହେଲା। ପାକିସ୍ତାନର ଏକ ତଳ କୋର୍ଟ ଆସିୟା ବିବିଙ୍କୁ ଧର୍ମନିନ୍ଦା ଆଇନ ବା ବ୍ଲାସ୍‌ଫେମି ଆଇନ ଅନୁସାରେ ମୃତ୍ୟଦଣ୍ଡ ଦେଲେ। ଲାହୋର ହାଇକୋର୍ଟ ମଧ୍ୟ ଏହି ରାୟକୁ କାଏମ ରଖିଲେ। ଆସିୟାଙ୍କୁ ମୁକ୍ତି ଦେବାକୁ ପଞ୍ଜାବ ରାଜ୍ୟପାଳ ସଲ୍‌ମାନ ତସିର ଖୋଲାଖୋଲି ଦାବି କରୁଥିଲେ। ତାଙ୍କୁ ହତ୍ୟା କରାଗଲା। ପାକିସ୍ତାନର ତତ୍କାଳନୀ ସଂଖ୍ୟାଲଘୁ ମନ୍ତ୍ରୀ ଆସିୟାଙ୍କ ମୁକ୍ତି ଦାବିକୁ ସମର୍ଥନ କରୁଥିବାରୁ ତାଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା।

Advertisment

ପାକିସ୍ତାନ ପରି ଧର୍ମାନ୍ଧ ଦେଶଗୁଡ଼ିକରେ ଏଭଳି ଅନେକ ଘଟଣା ଘଟେ। ସେଥିରେ ସଂଖ୍ୟାଲଘୁମାନେ ଆତଙ୍କିତ ହେବା ସ୍ୱାଭାବିକ। ଆତଙ୍କିତ ହୋଇ ଧନସଂପତ୍ତି ଯାଉ ପଛେ ଜୀବନ ବଂଚାଇବା ପାଇଁ ଅନେକ ଅଣମୁସଲମାନ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶ ଛାଡ଼ି ଭାରତ ପଳାଇ ଆସିଛନ୍ତି। ସେହି ଲୋକମାନଙ୍କ ମଧ୍ୟରୁ ଯେଉଁମାନେ ଏଯାଏଁ ଭାରତର ନାଗରିକ ହୋଇନାହାନ୍ତି ସେମାନଙ୍କୁ ସେହି ମାନ୍ୟତା ଦେବା ପାଇଁ ମୋଦୀ ସରକାର ୧୯୫୫ ନାଗରିକତା ଆଇନରେ ସଂଶୋଧନ ଆଣୁଛନ୍ତି। ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ଏହା ଦ୍ୱାରା ଭାରତର ସୁରକ୍ଷା ଲୋଡ଼ି ପଳାଇ ଆସିଥିବା ଲୋକମାନେ ନିଜର ଗୋଟେ ଦେଶ ପାଇବେ।

କିନ୍ତୁ ଏହା ମଧ୍ୟ ଏକ ବିଚାରର କଥା ଯେ ଭାରତକୁ କ’ଣ କେବଳ ଅଣମୁସଲମାନେ ପଳାଇ ଆସିଛନ୍ତି? ଅନେକ ସମୟରେ ଭାରତର ସୁରକ୍ଷା ଓ ଶାନ୍ତିପୂର୍ଣ୍ଣ ପରିବେଶ, ମୁକ୍ତ ଚିନ୍ତାଧାରା ଓ ଜୀବନଶୈଳୀ ପ୍ରତି ଆକୃଷ୍ଟ ହୋଇ ଅନେକ ଗରୀବ ମୁସଲମାନ ମଧ୍ୟ ନିଜ ଦେଶ ଛାଡ଼ି ଭାରତରେ ଆସି ପେଟପାଟଣା କରୁଛନ୍ତି। ସେମାନଙ୍କ ମଧ୍ୟରୁ ଅନେକଙ୍କ ନିକଟେର ବାଟଯାତ୍ରାର ବୈଧ ନଥି ଥାଇପାରେ ବା ହଜିଯାଇ ଥାଇପାରେ। ଅନେକ ଅବଶ୍ୟ ବେଆଇନ ଭାବେ ଭାରତକୁ ପଶି ଆସିଛନ୍ତି, ଯେମିତିକି ବାଂଲାଦେଶର ଅନେକ ମୁସଲିମ ନାଗରିକ ଉଭୟ ଜଳ ଓ ସ୍ଥଳ ପଥ ଦେଇ ବେଆଇନ ଭାବେ ଭାରତର ବିଭିନ୍ନ ପ୍ରଦେଶକୁ ପଳେଇ ଆସି ବର୍ଷବର୍ଷ ଧରି ରହିଗଲେଣି। ଓଡ଼ିଶାରେ ମଧ୍ୟ ସେପରି ବହୁ ଲୋକ ଅଛନ୍ତି। ଏମାନଙ୍କ ମଧ୍ୟରୁ ଅନେକେ ଏବେ ବି ସେମାନଙ୍କ ଗାଁ ଓ ସହର ସହିତ ସଂପର୍କରେ ଅଛନ୍ତି। କେନ୍ଦ୍ରାପଡ଼ା ରାଜନଗରର ରାମନଗରରେ ସେଭଳି କିଛି ଲୋକ ବାଂଲାଦେଶ ଜିନିଷ ବ୍ୟବହାର କରୁଛନ୍ତି। ସେଠି ବିକ୍ରି ଓ ବ୍ୟବହୃତ ହେଉଥିବା ବହୁ ଜିନିଷ ବାଂଲାଦେଶରୁ ଆସୁଛି। ଏଭଳି ଲୋକମାନଙ୍କୁ ଭାରତ ସରକାର ବିଦେଶୀ ଅନୁପ୍ରବେଶକାରୀ ମାନ୍ୟତା ଦେଇ ସ୍ୱଦେଶ ପଠାଇବାକୁ ଚାହୁଁଛନ୍ତି। କିନ୍ତୁ ସେମାନେ ଆଉ ବାଂଲାଦେଶ ଫେରିବାକୁ ଚାହୁଁ ନାହାନ୍ତି।

ଏଭଳି ମୁସଲିମ ଦେଶାନ୍ତରୀଙ୍କ ପାଇଁ ମୋଦୀ ସରକାରଙ୍କ ନାଗରିକତା ସଂଶୋଧନ ଆଇନରେ କିଛି କୋହଳ ବ୍ୟବସ୍ଥା ନାହିଁ। ବୁଝିବାର କଥା ଯେ ଯେଉଁ ଲୋକମାନେ ଦଶନ୍ଧି ଦଶନ୍ଧି ଧରି ଭାରତରେ ଆସି ବସବାସ କରୁଛନ୍ତି, ଭୋଟର ପରିଚୟପତ୍ର, ରାସନ କାର୍ଡ଼ ଆଦି ହାସଲ କରିଛନ୍ତି, ଜମିଜମା କିଣି ପଟ୍ଟାପାଉତି ରଖିଛନ୍ତି, ସେମାନଙ୍କୁ ଯଦି ନାଗରିକତା ପ୍ରଦାନ କରା ନଯାଏ ତେବେ ତାହା ଆଇନଗତ ସମସ୍ୟା ସୃଷ୍ଟି କରିବ ନାହିଁ? ଏଭଳି ଲୋକମାନଙ୍କୁ ନାଗରିକତାରୁ ବଂଚିତ କରିବାର ମୂଳ କାରଣ କ’ଣ? ସେମାନେ ମୁସଲମାନ ବୋଲି? ଏହି ବିଚାରବୋଧ ସାଂପ୍ରଦାୟିକ ପର୍ଯ୍ୟାୟଭୁକ୍ତ। ଭାରତୀୟ ସମ୍ବିଧାନର ୧୪ ଧାରାରେ ପ୍ରଦାନ କରାଯାଇଥିବା ସମାନତା ଅଧିକାର ଅନୁସାରେ ମଧ୍ୟ ଏହା ଅସାମ୍ବିଧାନିକ। ସମ୍ବିଧାନର ଧର୍ମନିରପେକ୍ଷତା ବିଚାରର ଉଲ୍ଲଙ୍ଘନ। ସର୍ବୋପରି ଏହା ଅମାନବିକ। ଯେଉଁ ଦେଶର ବ୍ୟବସ୍ଥା ଏଭଳି ଅନୁପ୍ରବେଶକାରୀଙ୍କୁ ଏତେ ବର୍ଷ ଧରି ରହିବାର ସୁଯୋଗ ଦେଲା ସରକାର ସେ ବ୍ୟବସ୍ଥାର ତ୍ରୁଟିକୁ ନସୁଧାରି, ସେହି ଦୋଷ କରିଥିବା ରାଜ କର୍ମଚାରୀମାନଙ୍କୁ ଦଣ୍ଡିତ ନକରି ଏହି ଲୋକମାନଙ୍କୁ ନାଗରିକତାରୁ ବଂଚିତ କରିବା ମୁସଲମାନଙ୍କ ବିରୋଧରେ (ସ୍ଥଳ ବିଶେଷରେ ଯଥେଷ୍ଟ କାରଣ ଥିଲେ ମଧ୍ୟ) ଏଭଳି ପାତରଅନ୍ତର ନୀତି ପ୍ରୟୋଗ କରିବା ମୂଳରେ ଦେଶ ବିଭାଜନ ଓ ତଜ୍ଜନିତ ଦଙ୍ଗା ଆଦିର ସ୍ମୃତି (ଅନ୍ୟାର୍ଥରେ ଘୃଣା ଓ ପ୍ରତିଶୋଧ) ରହିଥିବା ପ୍ରତୀୟମାନ ହୁଏ। ଏଭଳି ଧାରଣା ‘ବସୁଧୈବ କୁଟୁମ୍ବକମ୍‌’ର ସ୍ଲୋଗାନ ଦେଉଥିବା ସରକାରଙ୍କ ଭାବମୂର୍ତ୍ତି ପାଇଁ ସକାରାତ୍ମକ ନୁହେଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe