ରେଳ ବିଭାଗ ଚାହିଁଥିଲେ ମରି ନ ଥା’ନ୍ତେ ୩ ହାତୀ!

କେନ୍ଦୁଝର (ପ୍ରଣୟ କୁମାର ପାଣି): କେନ୍ଦୁଝର ଜିଲ୍ଲାର ଯୋଡ଼ା ନିକଟବର୍ତ୍ତୀ ବେହେରା ହଟିଂ ନିକଟରେ ଟ୍ରେନ୍ ଧକ୍କାରେ ୩ ହାତୀ ମରିବା ଘଟଣାରେ ଚମ୍ପୁଆ ରେଞ୍ଜର ଓ ରେଳବାଇର ଚକ୍ରଧରପୁର ଡିଭିଜନର ଡିଆର୍‌ଏମ୍‌ଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି। କେନ୍ଦୁଝର ଡିଏଫ୍‌ଓ ଏହି ନୋଟିସ୍ ପଠାଇଛନ୍ତି। କାହା ଭୁଲ୍ ଯୋଗୁ ୩ଟି ହାତୀଙ୍କ ଜୀବନ ଚାଲିଗଲା, ତାହା ପରବର୍ତ୍ତୀ ସମୟରେ ତଦନ୍ତ ରିପୋର୍ଟ ଆସିବେ ପରେ ଜଣାପଡ଼ିବ। କିନ୍ତୁ ବନ ବିଭାଗର ପ୍ରାଥମିକ ତଦନ୍ତ  ଓ […]

elephant

elephant

Jitendra Garnayak
  • Published: Saturday, 21 May 2022
  • Updated: 21 May 2022, 07:14 PM IST

Sports

Latest News

କେନ୍ଦୁଝର (ପ୍ରଣୟ କୁମାର ପାଣି): କେନ୍ଦୁଝର ଜିଲ୍ଲାର ଯୋଡ଼ା ନିକଟବର୍ତ୍ତୀ ବେହେରା ହଟିଂ ନିକଟରେ ଟ୍ରେନ୍ ଧକ୍କାରେ ୩ ହାତୀ ମରିବା ଘଟଣାରେ ଚମ୍ପୁଆ ରେଞ୍ଜର ଓ ରେଳବାଇର ଚକ୍ରଧରପୁର ଡିଭିଜନର ଡିଆର୍‌ଏମ୍‌ଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି। କେନ୍ଦୁଝର ଡିଏଫ୍‌ଓ ଏହି ନୋଟିସ୍ ପଠାଇଛନ୍ତି। କାହା ଭୁଲ୍ ଯୋଗୁ ୩ଟି ହାତୀଙ୍କ ଜୀବନ ଚାଲିଗଲା, ତାହା ପରବର୍ତ୍ତୀ ସମୟରେ ତଦନ୍ତ ରିପୋର୍ଟ ଆସିବେ ପରେ ଜଣାପଡ଼ିବ। କିନ୍ତୁ ବନ ବିଭାଗର ପ୍ରାଥମିକ ତଦନ୍ତ  ଓ କେନ୍ଦୁଝର ରେଳବାଇ-ବନ ବିଭାଗ ହ୍ୱାଟ୍ସଆପ୍ ଗ୍ରୁପ୍‌ରେ ବନ ବିଭାଗ ଶେଆର କରିଥିବା ସୂଚନାକୁ ଦେଖିଲେ ଲାଗୁଛି, ହୁଏତ ରେଳ ବିଭାଗ ଚାହିଁଥିଲେ ଏହି ୩ଟି ହାତୀଙ୍କ ଜୀବନ ବଞ୍ଚି ଯାଇଥା’ନ୍ତା।

୧୯ ତାରିଖ ରାତିରେ ଏହି ଦୁର୍ଘଟଣା ଘଟିଥିବା ବେଳେ ସେହିଦିନ ସକାଳ ସାଢ଼େ ୧୦ଟାରେ ବନ ବିଭାଗର ନିୟନ୍ତ୍ରଣ କକ୍ଷ ପକ୍ଷରୁ ହ୍ୱାଟ୍ସଆପ୍ ଜରିଆରେ ମେସେଜ୍ କରାଯାଇଥିଲା ଯେ ଯୋଡ଼ା ସେକ୍ସନର ଚମ୍ପୁଆ ରେଞ୍ଜର ବୈତରଣୀ ସଂରକ୍ଷିତ ଜଙ୍ଗଲରେ ରେଳ ଧାରଣା ଠାରୁ ୧.୮୭ କି.ମି ଦୂରରେ ଏକ ୨୨ଟିକିଆ ହାତୀପଲ ଅଛନ୍ତି। ସେମାନେ ଜରୋଲି ଓ ବାଂଶପାଣି ଷ୍ଟେସନ ମଧ୍ୟରେ ପିଲାର ନମ୍ବର ୩୯୯/୩-୫ରୁ ୪୧୮/୧୬-୧୮ ମଧ୍ୟରେ ଅଛନ୍ତି।

ଏହା ପରେ ଅପରାହ୍ଣ ୪ଟା ୫ରେ ଜୁରୁଡ଼ି ଫରେଷ୍ଟ ଗାର୍ଡ ନିଲମ ମହନ୍ତ ହ୍ୱାଟ୍ସଆପ୍‌ ଗ୍ରୁପରେ ରେଳବାଇ ଉଦ୍ଦେଶ୍ୟରେ ପୁଣି ଏକ ମେସେଜ କରିଥିଲେ। ସେ ଲେଖିଥିଲେ ଯେ ଜଙ୍ଗଲୀ ହାତୀମାନେ ଯୁରୁଡ଼ି ଓ ବାଂଶପାଣି ଷ୍ଟେସନ ମଧ୍ୟରେ ପିଲାର ନମ୍ବର ୪୦୯/୨ରୁ ୪୦୦/୯ ମଧ୍ୟରେ ରହିଛନ୍ତି। ସନ୍ଧ୍ୟା ୬ଟାରୁ ୨୦ ତାରିଖ ସକାଳ ୭ଟା ପର୍ଯ୍ୟନ୍ତ ରେଳବାଇକୁ ସତର୍କ ରହିବାକୁ ସେ ଲେଖିଥିଲେ। ହାତୀର ଜୀବନ ବଞ୍ଚାଇବା ପାଇଁ ଲମ୍ବା ହର୍ଣ୍ଣ ଦେବା ସହିତ ଟ୍ରେନ୍‌ର ବେଗକୁ ନିୟନ୍ତ୍ରଣ କରିବାକୁ ସେ ଲେଖିଥିଲେ।

କିନ୍ତୁ ରେଳବାଇକୁ ସତର୍କ କରାଯିବା ସତ୍ତ୍ୱେ ସେହି ୧୯ ତାରିଖ ରାତି ପ୍ରାୟ ୮ଟାରୁ ସାଢ଼େ ୮ଟା ମଧ୍ୟରେ ଏକ ମାଲବାହୀ ଟ୍ରେନ୍ ଏହି ହାତୀପଲକୁ ଧକ୍କା ଦେଇଥିଲା। ସେତେବେଳେ ହାତୀପଲ ରେଳଧାରଣା ଅତିକ୍ରମ କରୁଥିଲେ।

ଘଟଣା ଘଟିବା ପରଦିନ ଅର୍ଥାତ୍ ଗତକାଲି ଘଟଣାସ୍ଥଳରେ ଉପସ୍ଥିତ ରେଳବାଇର ଜଣେ ବରିଷ୍ଠ ଅଧିକାରୀ କହିଥିଲେ ଯେ ସେମାନେ ସତର୍କ ଥିଲେ। ସେଥିପାଇଁ ଟ୍ରେନ୍‌ର ବେଗକୁ ଘଣ୍ଟାପ୍ରତି ୫୦ କିଲୋମିଟରକୁ ହ୍ରାସ କରାଯାଇଥିଲା। ଅନ୍ୟପକ୍ଷରେ ନିୟମ ଅନୁଯାୟୀ ଏହି କ୍ଷେତ୍ରରେ ଟ୍ରେନ୍ ଲମ୍ବା ହର୍ଣ୍ଣ ବଜାଇବା ସହିତ ଘଣ୍ଟାପ୍ରତି ୧୦ କିଲୋମିଟର ବେଗରେ ଯିବା କଥା। ଏସବୁରୁ ଜଣାପଡୁଛି ରେଳବାଇର ଖାମଖିଆଲି ମନୋଭାବ ଯୋଗୁ ୩ଟି ହାତୀର ଜୀବନ ଯାଇଛି।

କେନ୍ଦୁଝର ଡିଏଫ୍‌ଓ ଧନରାଜ ଏଚ ଡି କହିଛନ୍ତି, ସମସ୍ତ ପ୍ରକାର ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରାଗଲା ପରେ ବି ଏଭଳି ଏକ ଘଟଣା ଘଟିଛି। ଏହାର ଅର୍ଥ ନୁହେଁ ଯେ ଏଥିରେ କିଛି ତ୍ରୁଟି ନାହିଁ। ପ୍ରାଥମିକ ତଦନ୍ତରୁ ଜଣାପଡୁଛି, ଯେଉଁ ସତର୍କ ସୂଚନା ଜାରି କରାଯାଇଥିଲା, ତାକୁ ଚିରାଚରିତ ମନେ କରାଯାଇ ଗୁରୁତ୍ୱ ଦିଆଯାଇ ନଥିଲା। ଗତ ୮-୧୦ ବର୍ଷ ହେଲା ସେହି ଅଞ୍ଚଳରେ କୌଣସି ଦୁର୍ଘଟଣା ଘଟି ନଥିବାରୁ ଜାରି କରାଯାଇଥିବା ସତର୍କ ସୂଚନା ଚିରାଚରିତ ବୋଲି ଭାବି ଏଡ଼ାଇ ଦିଆଯାଇଛି। ଯଦି ସତର୍କ ସୂଚନାକୁ ପାଳନ କରାଯାଇଥା’ନ୍ତା, ତା’ହେଲେ ଏହି ଦୁର୍ଘଟଣା ଏଡ଼ାଇ ହୋଇଥା’ନ୍ତା। ଟ୍ରେନ୍‌ର ବେଗ ନିୟନ୍ତ୍ରଣରେ ରହିଥିଲେ, ହାତୀଙ୍କୁ ସେଠାରୁ ଚାଲିଯିବାକୁ ସମୟ ମିଳିଥା’ନ୍ତା। ଟ୍ରେନ୍‌ର ବେଗ ସେତେବେଳେ କେତେ ଥିଲା, ସେ ନେଇ ରିପୋର୍ଟ ମଗାଯାଇଛି। ତା’ସହିତ ଅନ୍ୟାନ୍ୟ ତଥ୍ୟ ମଗାଯାଇଛି। ସେହିଭଳି ବନ ବିଭାଗରେ କାହା ତରଫରୁ ଅବହେଳା ହେଲା, ସେ ନେଇ ମଧ୍ୟ ରିପୋର୍ଟ ଦେବାକୁ କୁହାଯାଇଛି।

ସେହିପରି ରାଜ୍ୟ ପିସିସିଏଫ୍ କହିଛନ୍ତି, ଘଟଣାର ତଦନ୍ତ କରୁଛନ୍ତି କେନ୍ଦୁଝର ଡିଏଫଓ ଏବଂ ଆରସିସିଏଫ। ଏହି ଦୁଇ ଅଧିକାରୀଙ୍କୁ ମନିଟର କରୁଛନ୍ତି ସିସିଏଫ। ଦୁର୍ଘଟଣା ପୂର୍ବରୁ ହାତୀ ପଲ ଉପରେ ନଜର ରଖିଥିଲା ବନ ବିଭାଗ। ଅପରାହ୍ନ ୪ ଟା ରୁ ଏନେଇ ରେଳ ବିଭାଗକୁ ସତର୍କ କରାଇଥିଲା।

ସେ ଆହୁରି କହିଛନ୍ତି, ହାତୀଙ୍କୁ ଟ୍ରେନ ଧକ୍କା ଦେଇଥିବା ସ୍ଥାନରେ ସୋଲାର ତାର ବାଡ଼ ଲାଗିବ। ରେଳ ଲାଇନ ପାର୍ଶ୍ଵରେ ପ୍ରାୟ ଦୁଇ କିମି ପର୍ଯ୍ୟନ୍ତ ଲଗା ଯିବ ସୋଲାର ତାର। ଏଥିପାଇଁ ଖୁବ ଶୀଘ୍ର କାମ ଆରମ୍ଭ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos