ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯାଜପୁର ପିଇଓ ସ୍ମିତାରାଣୀ ବିଶ୍ୱାଳ ପ୍ରସଙ୍ଗରେ ଗତ ଦୁଇଦିନ ଧରି ଆଲୋଚନା ଦାବି କରୁଥିବା ମୁଖ୍ୟ ବିରୋଧୀ ଦଳ ବିଜେପି ବିଧାନସଭା କାର୍ଯ୍ୟବିଧି ଓ କାର୍ଯ୍ୟ ପରିଚାଳନା ନିୟମାବଳୀ ଆଧାରରେ ନୋଟିସ୍ ଦେବାରେ ସକ୍ଷମ ହୋଇନି । ଯେଉଁଥିପାଇଁ ଆଜି ଗୃହରେ କଂଗ୍ରେସର ମୁଲତବୀ ନୋଟିସ୍ ଦେଇ ସ୍ମିତାରାଣୀ ପ୍ରସଙ୍ଗରେ ଆଲୋଚନା ସହ ଏସଆଇଟି ଅବା ସିବିଆଇ ତଦନ୍ତ ଦାବି କରିଥିଲା। ତେବେ ତଦନ୍ତ ସଠିକ୍ ବାଟରେ ହୋଇଛି ଦର୍ଶାଇ ସରକାର ଆଜି କଂଗ୍ରେସର ଦାବିକୁ ପ୍ରତ୍ୟାଖ୍ୟାନ କରିଥିଲେ। ଗୃହରେ ଏହି ପ୍ରସଙ୍ଗରେ କଂଗ୍ରେସର ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନାବେଳେ ବିଜେପି ସଦସ୍ୟମାନେ ଗୃହ ଭିତରେ ହଟ୍ଟଗୋଳ ଜାରି ରଖିଥିଲେ। ଯାହାକି ଦୀର୍ଘଦିନ ଧରି ଏହି ପ୍ରସଙ୍ଗରେ ସରକାରଙ୍କଠୁ ଉତ୍ତର ବିଜେପି ଉତ୍ତର ଖୋଜୁଥିଲେ ମଧ୍ୟ ବିଧାନସଭାରେ ଉକ୍ତ ପ୍ରସଙ୍ଗରେ ହୋଇଥିବା ଆଲୋଚନାରେ ସାମିଲ ନହେବା ପରୋକ୍ଷରେ ଦଳକୁ ବ୍ୟାକଫୁଟକୁ ନେଇଯାଇଛି।
ଆଜି ବିଧାନସଭା ଆରମ୍ଭରୁ ବିରୋଧୀ ଦଳ ସ୍ମିତାରାଣୀ ପ୍ରସଙ୍ଗରେ ଆଲୋଚନା ଦାବିରେ ହଟ୍ଟଗୋଳ କରିବାରୁ ଗୃହ କାର୍ଯ୍ୟ ଦୁଇଥର ମୁଲତବୀ ରହିଥିଲା। ୧୨ଟା ୩୯ମିନିଟରେ ଗୃହକୁ ସ୍ୱାଭାବିକ ଅବସ୍ଥାକୁ ଆଣି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ବିଜେପି ନୁହେଁ ବରଂ କଂଗ୍ରେସର ନୋଟିସ୍ ଆଧାରରେ ସ୍ମିତାରାଣୀ ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବର ଆଲୋଚନା ପାଇଁ ଅନୁମତି ଦେଇଥିଲେ। ଏହାସହିତ ବିଜେପିର ନୋଟିସ୍ ଓ ମୋସନ ଉପରେ କାହିଁକି ଆଲୋଚନା ହୋଇପାରିବ ନାହିଁ ସେ ନେଇ ମଧ୍ୟ ବାଚସ୍ପତି ଗୃହକୁ ଅବଗତ କରିଥିଲେ। ବାଚସ୍ପତି ଶ୍ରୀ ପାତ୍ର ରୁଲିଂ ଦେଇ କହିଥିଲେ ଯେ, ଗତକାଲି ସର୍ବଦଳୀୟ ବୈଠକରେ ବିଜେପି ପକ୍ଷରୁ ୧୧ ତାରିଖ ଦିନ ‘ଓଡ଼ିଶାରେ ନାରୀ ନିର୍ଯାତନା ସୀମା ଲଂଘନ କରିଛି’ ସମ୍ପର୍କରେ ଆଗତ ମୁଲତବୀ ପ୍ରସ୍ତାବ ଓ ଗତକାଲି ୧୩ତାରିଖରେ ବିରୋଧୀ ଦଳ ନେତାଙ୍କ ଦ୍ୱାରା ଆଗତ ଦୁଇଟି ନୋଟିସ୍ ଅଫ ମୋସନ ଉପରେ ଆଲୋଚନା ହୋଇଥିଲା।
ଏହି ପ୍ରସଙ୍ଗରେ ବିଧାନସଭା କାର୍ଯ୍ୟବିଧି ଓ କାର୍ଯ୍ୟପରିଚାଳନା ନିୟମାବଳୀର ନିୟମ ୫୮, ନିୟମ ୧୧୧(୨) ଓ ନିୟମ ୧୩୩ର ବ୍ୟବସ୍ଥା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ପରେ ଉପରୋକ୍ତ ବିଷୟକୁ ମୁଲତବୀ ପ୍ରସ୍ତାବ ଆକାରରେ ଆଲୋଚନା ପାଇଁ ବହୁମତ ପ୍ରକାଶ ପାଇଥିଲା। ବିରୋଧୀ ଦଳ ନେତା ଓ ବିରୋଧୀ ଦଳ ମୁଖ୍ୟ ସଚେତକଙ୍କୁ ଏନେଇ ଆଲୋଚନାରେ ସହଯୋଗ କରିବାକୁ କୁହାଯାଇଥିଲା। କିନ୍ତୁ ଗତକାଲି ସନ୍ଧ୍ୟା ୬ଟାରେ ଉପରୋକ୍ତ ମୁଲବତୀ ପ୍ରସ୍ତାବକୁ ରଦ୍ଦ କରିବା ପାଇଁ ବିଜେପି ବିଧାୟକ ଦଳ ମୁଖ୍ୟ ସଚେତକ ଲିଖିତ ଭାବେ ଅନୁରୋଧ କରିଥିଲେ। ତା’ଛଡ଼ା ଗତକାଲି ବିରୋଧୀ ଦଳ ନେତା ଦେଇଥିବା ମୋସନ୍ ସଂକ୍ରାନ୍ତ ନୋଟିସ ଉପଯୁକ୍ତ ଆକାରରେ ପ୍ରସ୍ତାବିତ ହୋଇନଥିବା ସମ୍ପର୍କରେ ଗୃହକୁ ଗତକାଲି ସୂଚିତ କରାଯାଇଥିଲା।
ଗତକାଲି ଅପରାହ୍ନରେ ମିଳିଥିବା ଅନ୍ୟ ଏକ ମୋସନ ସଂକ୍ରାନ୍ତ ନୋଟିସ୍ ବି ଉପଯୁକ୍ତ ଆକାରରେ ପ୍ରସ୍ତାବିତ ହୋଇନାହିଁ । ଏସବୁ ବ୍ୟତୀତ ଆଜି ସକାଳ ସାଢ଼େ ୯ଟା ସୁଦ୍ଧା ବିଜେପି ବିଧାୟକ ଦଳ ପକ୍ଷରୁ କୌଣସି ମୁଲତବୀ ନୋଟିସ୍ ଆସିନଥିବାରୁ କଂଗ୍ରେସ ବିଧାୟକ ଦଳ ନେତା ଦେଇଥିବା ୨ଟି ମୁଲତବୀ ପ୍ରସ୍ତାବ ମଧ୍ୟରୁ ଗୋଟିଏକୁ ଆଜି ଗୃହରେ ଆଲୋଚନା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ ବୋଲି ବାଚସ୍ପତି ସ୍ପଷ୍ଟ କରିଥିଲେ।
ଅନ୍ୟପକ୍ଷରେ ଆଜି ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନାବେଳେ ବିଜେପି ଗୃହ ମଧ୍ୟ ଭାଗରେ ହଟ୍ଟଗୋଳ ଜାରି ରଖିଥିବାବେଳେ କଂଗ୍ରେସ ଓ ଶାସକ ଦଳର ସଦସ୍ୟ ଭାବେ ଏହି ପ୍ରସଙ୍ଗରେ ଆଲୋଚନା କରିଥିଲେ। ତେବେ କଂଗ୍ରେସର ଦାବି ଅନୁସାରେ ଏସଟିଏଫ କିମ୍ବା ସିବିଆଇ ତଦନ୍ତ ଦାବିକୁ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏଡ଼ାଇ ଯିବାରୁ କଂଗ୍ରେସ ସଦସ୍ୟମାନେ ଏହାର ପ୍ରତିବାଦରେ କକ୍ଷତ୍ୟାଗ କରିଥିଲେ।