ଭୁବନେଶ୍ୱର: ସିରାଜୁଦ୍ଦିନ୍ ଆଣ୍ଡ କୋ କମ୍ପାନୀକୁ ଆବଣ୍ଟିତ ବଲଦା ଲୁହାପଥର ଖଣିରେ ବ୍ୟାପକ ଅନିୟମିତତା ହୋଇଥିବା ଜଷ୍ଟିସ ଏବି.ଶାହା ତାଙ୍କ ରିପୋର୍ଟରେ ଦର୍ଶାଇଥିଲେ। ସିରାଜୁଦ୍ଦିନ କମ୍ପାନୀକୁ ଆବଣ୍ଟିତ ହୋଇଥିବା ବଲଦା ଲୁହାପଥର ଖଣିରେ ହୋଇଛି ବ୍ୟାପକ ବେଆଇନ ଉତ୍ତୋଳନ କାର୍ଯ୍ୟ। ଓଡ଼ିଶା ଖଣି ଦୁର୍ନୀତି ବାବଦରେ ଶାହା କମିଶନ ଦେଇଥିବା ଦ୍ୱିତୀୟ ରିପୋର୍ଟର ଭଲ୍ୟୁମ୍ ୱାନରେ ପ୍ରଥମ ଭାଗରେ ସିରାଜୁଦ୍ଦିନ୍ ଖଣିର ବ୍ୟାପକ ନିୟମ ଉଲ୍ଲଂଘନ ସଂପର୍କରେ ଦର୍ଶାଯାଇଛି।
ସୂଚନାଯୋଗ୍ୟ ୨୦୦୪ ରୁ ୨୦୦୮ ମଧ୍ୟରେ ସିରାଜୁଦ୍ଦିନ କମ୍ପାନୀ ପାଖାପାଖି ୬୩୦ କୋଟି ଟଙ୍କାର ଏକ୍ସେସ୍ ପ୍ରଡକ୍ସନ କରିଛି। ଏହି ସମୟ ମଧ୍ୟରେ ଆଇବିଏମର ସିନିୟର ଆସିଷ୍ଟାଣ୍ଟ କଣ୍ଟ୍ରୋଲର ଅଫ୍ ମାଇନ୍ସ ଅନୁପମ ନନ୍ଦି ଏବଂ କୋଲକାତା ଆସିଷ୍ଟାଣ୍ଟ କଣ୍ଟ୍ରୋଲର ଅଫ୍ ମାଇନସ ଚିନ୍ନାପ୍ପା ପରମେଶ୍ୱରନ୍ ଯାଞ୍ଚ କରିଥିଲେ। ତେବେ ଏମାନେ ବିନା ମାଇନିଂ ପ୍ଲାନରେ ହୋଇଥିବା ବେଆଇନ ଉତ୍ତୋଳନକୁ ନେଇ ପ୍ରଶ୍ନ ଉଠାଇ ନ ଥିଲେ। ଏପରିକି ଦୁଇ ଡିଡିଏମ ବିଜୟ କୁମାର ନନ୍ଦି ଏବଂ ମାନସ ରଞ୍ଜନ ମହାନ୍ତି ବିନା ମାଇନିଂ ପ୍ଲାନରେ ଏକ୍ସେସ ପ୍ରଡକ୍ସନକୁ ଅନୁମତି ଦେଇଥିଲେ। ଏମାନେ ଲିଜଧାରୀଙ୍କୁ ଅହେତୁକ ଅନୁକମ୍ପା ଦେଖାଇଛନ୍ତି। ଏମାନଙ୍କ ବିରୋଧରେ ପଦକ୍ଷେପ ଗ୍ରହଣ କରିବାକୁ କମିଶନ କହିଛନ୍ତି। ତେବେ ଏନେଇ ଏସବୁ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
ସିରାଜୁଦ୍ଦିନ ଓ ତ୍ରିବେଣୀ ଆର୍ଥ ମୁଭର୍ସ ମଧ୍ୟରେ ହୋଇଥିବା ଅନିୟମିତତା ମଧ୍ୟ ସାମ୍ନାକୁ ଆଣିଛନ୍ତି କମିଶନ। ୨୦୧୦-୧୧ରେ ଉଭୟଙ୍କ ମଧ୍ୟରେ ବୁଝାମଣା ହୋଇଥିଲା। ଏହି ବୁଝାମଣାର ତ୍ରୁଟି ଥିବା କମିଶନ ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି।
ଅନ୍ୟପକ୍ଷରେ ଖଣିକୁ ତ୍ରିବେଣୀ ଆର୍ଥ ମୁଭର୍ସ ପ୍ରାଇଭେଟ୍ ଲିମିଟେଡ୍ ନିୟନ୍ତ୍ରଣ କରୁଥିଲା ବୋଲି ଏଥିରେ ଦର୍ଶାଯାଇଥିଲା। ଯାହାକି ଏମସିଆର ରୁଲ-୩୭ର ଖୋଲାଖୋଲି ଉଲ୍ଲଂଘନ କରୁଥିଲା। କେବଳ ବର୍ଷ ୨୦୧୦-୧୧ରେ ତ୍ରିବେଣୀ ୧.୪୪ ମିଲିୟନ ଟନର ଖଣିଜ ପଦାର୍ଥ ଉତ୍ତୋଳନ କରି ଚାଲାଣ କରିଥିଲା। ଯାହାର ମୁଲ୍ୟ ଥିଲା ୫୦୦ କୋଟି ଟଙ୍କ।। ବୁଝାମଣା ଅନୁସାରେ ତ୍ରିବେଣୀର ବାର୍ଷିକ ସେୟାର ଥିଲା, ମୋଟ୍ ଖଣିଜ ବିକ୍ରିର ୪୨ ପ୍ରତିଶତ। ଆଶ୍ଚର୍ଯ୍ୟଜନକ ଭାବେ, ଏତେ ବଡ ପରିମାଣର ସେୟାର ଥାଇ, ହୋଇଥିବା କଣ୍ଟ୍ରାକ୍ଟରେ କେବଳ ଦସ୍ତଖତକୁ ଛାଡିଦେଲେ, ସିରାଜୁଦ୍ଦିନ କମ୍ପାନୀର ଜଏଣ୍ଟ ମ୍ୟାନେଜିଂ ପାର୍ଟନରଙ୍କ ନାଁ ଉଲ୍ଲେଖ ନ ଥିଲା। ତ୍ରିବେଣୀ ଓ ସିରାଜୁଦ୍ଦିନ ମଧ୍ୟରେ ହୋଇଥିବା ବୁଝାମଣାରେ ତ୍ରିବେଣୀକୁ ଏକ ରେଜିଙ୍ଗ କଣ୍ଟ୍ରାକ୍ଟର ଭାବେ ସିରାଜୁଦ୍ଦିନ କମ୍ପାନୀ ନିଯୁକ୍ତି ଦେଇଥିଲା। ତେବେ କିଭଳି ଓ କାହିଁକି ସିରାଜଦ୍ଦିନର ଗ୍ରୁପ୍ କମ୍ପାନୀ ମାନଙ୍କୁ ତ୍ରିବେଣୀ ପେମେଣ୍ଟ କରୁଥିଲା ବୋଲି କମିଶନ ପ୍ରଶ୍ନ କରିଛନ୍ତି। କେଉଁ ଗ୍ରୁପ୍ କମ୍ପାନୀକୁ କେତେ ଟଙ୍କ। ଦିଆଯାଇଛି ତା’ର ତାଲିକା ଦେଇଛନ୍ତି କମିଶନ। ତ୍ରିବେଣୀ ଆର୍ଥ ମୁଭର୍ସ କେବଳ ଏକ ରେଜିଙ୍ଗ କଣ୍ଟ୍ରାକ୍ଟର ନଥିଲା ବରଂ ଖଣିକୁ ସମ୍ପୁର୍ଣ୍ଣ ଭାବେ ନିୟନ୍ତ୍ରଣ କରୁଥିଲା।
ବେଆଇନ୍ ଉତ୍ତୋଳନ ଚାଲିଥିଲେ ବି ବିଭାଗୀୟ ଅଧିକାରୀ ପଦକ୍ଷେପ ନେବାରେ ବିଫଳ ହୋଇଥିବା ନେଇ କମିଶନ ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ଆଇବିଏମ ଅଧିକାରୀଙ୍କ ଭୂମିକା ଓ ଯାଞ୍ଚ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି କମିଶନ। ଭିଜିଲାନ୍ସ ଫିଲଡ ଭେରିଫିକେସନ କରିବାର ଦୁଇଦିନ ପୂର୍ବରୁ ଆଇବିଏମ ଅଧିକାରୀ ଖଣିର ଯାଞ୍ଚ କରିଥିଲେ ବି ଅତ୍ୟଧିକ ଉତ୍ତୋଳନ ନେଇ ପ୍ରଶ୍ନ ଉଠାଇ ନ ଥିଲେ। ଜଙ୍ଗଲ ଜମିରେ ବେଆଇନ୍ ଖନନ ନେଇ ମଧ୍ୟ ନୀରବ ଥିଲେ ଅଧିକାରୀ। ଲିଜଧାରୀଙ୍କ ବିରୋଧରେ ପଦକ୍ଷେପ ନେବା ପରିବର୍ତ୍ତେ ଏକ୍ସେସ୍ ପ୍ରଡକ୍ସନକୁ ଅନୁମତି ଦେଇଥିଲେ। କମିଶନ କହିଛନ୍ତି ହୁଏତ ଦାୟିତ୍ୱରେ ଥିବା ଅଧିକାରୀଙ୍କ ସଲାସୁତୁରାରେ ସବୁ କିଛି ହେଉଥିଲା ନଚେତ୍ ସେମାନେ ନିରୁପାୟ ଅବା ନୀରବଦ୍ରଷ୍ଟା ଥିଲେ। ଏତେ ବ୍ୟାପକ ଓ ବଡ ଦୁର୍ନୀତିର ତଦନ୍ତ ସିବିଆଇ ଦ୍ୱାରା କରାଇବାକୁ କମିଶନ କହିଛନ୍ତି।