ଭଞ୍ଜନଗରରେ ଚାକିରି ନାଁରେ ଠକେଇ: ନିଶା କଶ୍ୟପଙ୍କ ନାଁରେ ଲୁକଆଉଟ ସର୍କୁଲାର ଜାରି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାକିରି ଦେବା ନାଁରେ କୋଟିକୋଟି ଟଙ୍କା ଠକେଇ କରିଥିବା ଗଞ୍ଜାମ ଜିଲ୍ଲାର ଭିକୁ ବିଶୋୟୀଙ୍କ ପତ୍ନୀ ନିଶା କଶ୍ୟପଙ୍କ ନାଁରେ ଇମିଗ୍ରେସନ୍ ବ୍ୟୁରୋ ପକ୍ଷରୁ ଲୁକଆଉଟ୍ ସର୍କୁଲାର ଜାରି ହୋଇଛି । ଭିକୁଙ୍କ ପତ୍ନୀ ନିଶା ମାଲେସିଆ ଫେରାର ହୋଇ ସେଠାରେ ଆତ୍ମଗୋପନ କରିଥିବା ରାଜ୍ୟ ଅର୍ଥନୀତିକ ଅପରାଧ ଶାଖା ଆଶଙ୍କା କରିଛି । ତେବେ ନିଶାଙ୍କୁ ଧରିବା ପାଇଁ ଅର୍ଥନୀତିକ ଅପରାଧ ଶାଖାର ଅନୁରୋଧର ଇମିଗ୍ରେସନ୍ ବ୍ୟୁରୋ ପକ୍ଷରୁ ଏହି ଲୁକଆଉଟ ସର୍କୁଲାର […]

JOB

JOB

Ordigital Desk
  • Published: Friday, 19 August 2022
  • Updated: 19 August 2022, 07:55 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାକିରି ଦେବା ନାଁରେ କୋଟିକୋଟି ଟଙ୍କା ଠକେଇ କରିଥିବା ଗଞ୍ଜାମ ଜିଲ୍ଲାର ଭିକୁ ବିଶୋୟୀଙ୍କ ପତ୍ନୀ ନିଶା କଶ୍ୟପଙ୍କ ନାଁରେ ଇମିଗ୍ରେସନ୍ ବ୍ୟୁରୋ ପକ୍ଷରୁ ଲୁକଆଉଟ୍ ସର୍କୁଲାର ଜାରି ହୋଇଛି । ଭିକୁଙ୍କ ପତ୍ନୀ ନିଶା ମାଲେସିଆ ଫେରାର ହୋଇ ସେଠାରେ ଆତ୍ମଗୋପନ କରିଥିବା ରାଜ୍ୟ ଅର୍ଥନୀତିକ ଅପରାଧ ଶାଖା ଆଶଙ୍କା କରିଛି । ତେବେ ନିଶାଙ୍କୁ ଧରିବା ପାଇଁ ଅର୍ଥନୀତିକ ଅପରାଧ ଶାଖାର ଅନୁରୋଧର ଇମିଗ୍ରେସନ୍ ବ୍ୟୁରୋ ପକ୍ଷରୁ ଏହି ଲୁକଆଉଟ ସର୍କୁଲାର ଜାରି ହୋଇଛି।

ରାଜ୍ୟ ଅର୍ଥନୀତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ ଅନୁସାରେ, ୨୦୨୧ ମସିହାରେ ଗଞ୍ଜାମର ଭିକୁ ବିଶୋୟୀ ଓ ଚେନ୍ନାଇର ମାନିକନନ୍ଦନ ମିଳିତ ଭାବେ ଭଞ୍ଜନଗରରେ କିନେୟ ଇନଫୋଟେକ୍ ପ୍ରାଃ ଲିଃ ନାଁରେ ଅଫିସ୍ ଖୋଲି ଏଜେଣ୍ଟ ନିଯୁକ୍ତି ଦେଇଥିଲେ । ସେହି ଏଜେଂଟମାନଙ୍କ ମାଧ୍ୟମରେ ଚାକିରି ଆଶାୟୀମାନଙ୍କୁ କମ୍ପାନୀରେ ଅର୍ଥ ନିବେଶ କରିବା ପାଇଁ ପ୍ରବର୍ତ୍ତାଇବା ସହ ଚାକିରିର ପ୍ରତିଶ୍ରୁତି ଦେଇ ‘ୱାର୍କ ଫ୍ରମ ହୋମ୍‌’ର ସୁଯୋଗ ଦେଉଥିଲେ । ଏ ବାବଦରେ କମ୍ପାନୀ ପ୍ରାୟ ୧୬୬ଜଣ ଚାକିରି ଆଶାୟୀଙ୍କଠୁ ୧.୯୧କୋଟି ଟଙ୍କା ସଂଗ୍ରହ କରିବା ପରେ ସେହି ଅଫିସ୍ ବନ୍ଦ କରି କମ୍ପାନୀର ନିର୍ଦ୍ଦେଶକମାନେ ଫେରାର ହୋଇଯାଇଥିଲେ।

ତେବେ ଅଧିକ ତଦନ୍ତବେଳେ ଭିକୁଙ୍କ ପତ୍ନୀ ନିଶାଙ୍କ ନାଁରେ ୧୦ଟି କମ୍ପାନୀ ଥିବା ଜଣାପଡ଼ିଥିଲା । ନିଶା ଏହି ୧୦ଟି କମ୍ପାନୀରେ ଏକମାତ୍ର ନିର୍ଦ୍ଦେଶକ ଅବା ସହ ନିର୍ଦ୍ଦେଶକ ଥିବା ତଦନ୍ତରୁ ଜଣାପଡ଼ିଛି । ଏପରିକି କିନେୟ ଇନଫୋଟେକ ସଂଗ୍ରହ କରିଥିବା ଟଙ୍କାରୁ ୩୮.୭୮ଲକ୍ଷ ଟଙ୍କା ନିଶାଙ୍କ ମାଲିକାନାରେ ଥିବା କମ୍ପାନୀ ସିମ୍ବକ୍ ଭର୍ଚୁଆଲ ଟେକ୍ ସଲ୍ୟୁସନକୁ ସ୍ଥାନାନ୍ତର ହୋଇଛି।

ଅର୍ଥନୀତିକ ଅପରାଧ ଶାଖାର ତଦନ୍ତକାରୀ ଟିମ୍ ପୂର୍ବରୁ ଦିଲ୍ଲୀ ଯାଇ ନିଶାଙ୍କୁ ଖୋଜିବାକୁ ଚେଷ୍ଟା କରିଥିଲେ ମଧ୍ୟ ନିରାଶ ହୋଇ ଫେରିଥିଲା । ନିଶା ଦେଶ ବାହାରକୁ ଚାଲି ଯାଇଥିବା ତଦନ୍ତକାରୀ ଟିମ୍ ସନ୍ଦେହ କରିଛି।

ନିଶାଙ୍କ ସ୍ୱାମୀ ଭିକୁ ବିଶୋୟୀ ଓ ମାନିକାନନ୍ଦନ ମଧ୍ୟ ଫେରାର ହୋଇଯାଇଥିବାରୁ ତାଙ୍କ ନାଁରେ ପୂର୍ବରୁ ଲୁକଆଉଟ ସର୍କୁଲାର ଜାରି ହୋଇସାରିଛି । ପଞ୍ଜାବ ପୁଲିସ ମଧ୍ୟ ଏହି ଅଭିଯୁକ୍ତମାନଙ୍କୁ ଖୋଜୁଛି । ଏମାନେ ସମସ୍ତେ ମାଲେସିଆରେ ଆତ୍ମଗୋପନ କରିଥିବା ଅର୍ଥନୀତିକ ଅପରାଧ ଶାଖା ଆଶଙ୍କା କରୁଛି । ଏହି ବ୍ୟକ୍ତିମାନଙ୍କ ସମ୍ପର୍କରେ କେହି ସୂଚନା ଦେଲେ ସେମାନଙ୍କ ନାଁ ଗୋପନ ରଖାଯିବା ସହ ଆକର୍ଷଣୀୟ ପୁରସ୍କାର ଦିଆଯିବ ବୋଲି ଇଓଡବ୍ଲ୍ୟୁ କହିଛି।

ନିଶା ଓ ତାଙ୍କ ସ୍ୱାମୀ ଭିକୁ ବିଶୋୟୀଙ୍କ ମିଳିତ ମାଲିକାନାରେ ଥିବା କମ୍ପାନୀଗୁଡ଼ିକ ହେଲା କିନେୟ ଇଂଟରନ୍ୟାସନାଲ ପ୍ରାଃ ଲିଃ, ଏମସବ୍ରୋ ଟ୍ରାଭେଲ ହଲିଡେ୍ ପ୍ରାଃ ଲିଃ, ବିଶୋୟୀ ଟ୍ରେଡିଂ ପ୍ରାଃ, ସିମ୍ବକ୍ ଭର୍ଚୁଆଲ ଟେକ୍ ସଲ୍ୟୁସନ, ବିଶୋୟୀ ଇଲେକ୍ଟ୍ରୋନିକ ପ୍ରାଃ, ବିଶୋୟୀ ଗିଫ୍ଟ ଆଣ୍ଡ ଏଂଟରଟେନମେଂଟ, ବିଶୋୟୀ ରିଏଲ ଇଷ୍ଟେଟ, ଇଣ୍ଡୋବ୍ରିଟ୍ ଟେକ୍ସଟାଇଲ ପ୍ରାଃ, ଗୋମାତା ଡାଏରୀ ପ୍ରାଃ, ବିଶୋୟୀ ଫୁଡ୍ ଆଣ୍ଡ ବେଭେରେଜ୍ ପ୍ରାଃ ଲିଃ କମ୍ପାନୀ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos