ଏସପ୍ଲାନେଡ୍ ମଲର ଦାଦାଗିରି: ଖବର ପ୍ରସାରଣ କରିବାରୁ ମହିଳା ସାମ୍ବାଦିକାଙ୍କୁ ମାଡ଼

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରର ଏସପ୍ଲାନେଡ୍ ମଲ କର୍ମଚାରୀଙ୍କ ଗୁଣ୍ଡାଗିରି ଯୋଗୁ ଜଣେ କାର୍ଯ୍ୟରତ ମହିଳା ସାମ୍ବାଦିକା ଓ କ୍ୟାମେରାମ୍ୟାନ ଆହତ ହୋଇଛନ୍ତି। ମଲରେ ବେଆଇନ ପାର୍କିଂ ଫି’ ଆଦାୟ ଖବର ପ୍ରସାରଣ କରିବାକୁ ଯାଇଥିବା ଏକ ଘରୋଇ ୱେବଚ୍ୟାନେଲ ‘ଅର୍ଗସ’ର ମହିଳା ସାମ୍ବାଦିକା ସ୍ୱାତୀ ଜେନା ଓ କ୍ୟାମେରାମ୍ୟାନ ପ୍ରମୋଦ କୁମାର ମହାପାତ୍ରଙ୍କୁ ଏସପ୍ଲାନେଡ୍ ମଲ୍ ସିକ୍ୟୁରିଟି ଓ କର୍ମଚାରୀମାନେ ମରଣାନ୍ତକ ଆକ୍ରମଣ କରିଥିଲେ। ସାମ୍ବାଦିକାଙ୍କ ପକ୍ଷରୁ ସ୍ଥାନୀୟ ଶହୀଦନଗର ଥାନାରେ ମାମଲା ରୁଜୁ ହୋଇଛି। ମିଳିଥିବା […]

p-9087

Tapas Behera
  • Published: Saturday, 28 December 2019
  • , Updated: 28 December 2019, 08:49 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରର ଏସପ୍ଲାନେଡ୍ ମଲ କର୍ମଚାରୀଙ୍କ ଗୁଣ୍ଡାଗିରି ଯୋଗୁ ଜଣେ କାର୍ଯ୍ୟରତ ମହିଳା ସାମ୍ବାଦିକା ଓ କ୍ୟାମେରାମ୍ୟାନ ଆହତ ହୋଇଛନ୍ତି। ମଲରେ ବେଆଇନ ପାର୍କିଂ ଫି’ ଆଦାୟ ଖବର ପ୍ରସାରଣ କରିବାକୁ ଯାଇଥିବା ଏକ ଘରୋଇ ୱେବଚ୍ୟାନେଲ ‘ଅର୍ଗସ’ର ମହିଳା ସାମ୍ବାଦିକା ସ୍ୱାତୀ ଜେନା ଓ କ୍ୟାମେରାମ୍ୟାନ ପ୍ରମୋଦ କୁମାର ମହାପାତ୍ରଙ୍କୁ ଏସପ୍ଲାନେଡ୍ ମଲ୍ ସିକ୍ୟୁରିଟି ଓ କର୍ମଚାରୀମାନେ ମରଣାନ୍ତକ ଆକ୍ରମଣ କରିଥିଲେ। ସାମ୍ବାଦିକାଙ୍କ ପକ୍ଷରୁ ସ୍ଥାନୀୟ ଶହୀଦନଗର ଥାନାରେ ମାମଲା ରୁଜୁ ହୋଇଛି।

ମିଳିଥିବା ସୂଚନା ଅନୁସାରେ, ହାଇକୋର୍ଟଙ୍କ ନିର୍ଦ୍ଦେଶରେ ବିଡିଏ ପକ୍ଷରୁ ସମସ୍ତ ସପିଂ ମଲ୍ ଓ ହସ୍ପିଟାଲରେ ପାର୍କିଂ ଫି’ ଆଦାୟ ଉପରେ କଟକଣା ଜାରି କରାଯାଇଥିବାବେଳେ ରସୁଲଗଡ଼ସ୍ଥିତ ଏସପ୍ଲାନେଡ୍ ମଲଠାରେ ପାର୍କିଂ ଫି’ ଆଦାୟ ହେଉଥିବା ସୂଚନା ପାଇଁ ଅର୍ଗସ ଟିମ୍ ସାମ୍ବାଦିକା ଓ କ୍ୟାମେରାମ୍ୟାନ ଏହି ଖବର ପ୍ରସାରଣ କରିବା ନିମନ୍ତେ ଘଟଣାସ୍ଥଳକୁ ଯାଇଥିଲେ। ସେଠାରେ ସେମାନେ ବେଆଇନ ଫି’ ଆଦାୟ କରୁଥିବା କର୍ମଚାରୀ ଓ ସାଧାରଣ ଲୋକଙ୍କୁ ଏ ସମ୍ପର୍କରେ ପ୍ରଶ୍ନ କରୁଥିବାବେଳେ ମଲର ଜଣେ ଉଚ୍ଚପଦସ୍ଥ ମହିଳା ଅଧିକାରୀ ଘଟଣାସ୍ଥଳକୁ ପହଞ୍ôଚ ସାମ୍ବାଦିକାଙ୍କୁ ଧମକ ଦେଇଥିଲେ। ଅଭିଯୋଗ ଅନୁସାରେ, ଏହି ସମୟରେ ସେଠାରେ ଥିବା ସିକ୍ୟୁରିଟି କର୍ମଚାରୀମାନେ ଅଚାନକ କ୍ୟାମେରାମ୍ୟାନ ଶ୍ରୀ ମହାପାତ୍ରଙ୍କୁ ଆକ୍ରମଣ କରି ତାଙ୍କ କ୍ୟାମେରା ଛଡ଼ାଇ ନେବାକୁ ପ୍ରୟାସ କରିଥିଲେ। ଏପରିକି ମହିଳା ସାମ୍ବାଦିକା ସ୍ୱାତୀ ଜେନାଙ୍କୁ ଆକ୍ରମଣ କରିବାକୁ ସିକ୍ୟୁରିଟି କର୍ମଚାରୀମାନେ ପଛାଇ ନଥିଲେ। ଉଭୟ ସାମ୍ବାଦିକା ଓ କ୍ୟାମେରାମ୍ୟାନଙ୍କୁ ବଳପୂର୍ବକ ନେଇଯାଇ ମଲ୍ ଭିତରେ ଥିବା ଏକ ରୁମରେ ବସାଇ ଦେଇଥିଲେ। ତେବେ ଏହି ଘଟଣା ସେତେବେଳେ ଲାଇଭ୍ ପ୍ରସାରଣ ହେଉଥିବାରୁ ଅର୍ଗସ ଟିମ୍ ପକ୍ଷରୁ ସଙ୍ଗେସଙ୍ଗେ ଶହୀଦ ନଗର ଥାନା ସହ ଯୋଗାଯୋଗ କରାଯାଇ ଉଭୟ କର୍ମଚାରୀଙ୍କୁ ସୁରକ୍ଷା ଦେବାକୁ ଅନୁରୋଧ କରାଯାଇଥିଲା।

ତେବେ ପୁଲିସ ଘଟଣାସ୍ଥଳରେ ପହଞ୍ôଚ ଉଭୟ ପକ୍ଷ ସହ ଆଲୋଚନା କରିଥିଲେ ମଧ୍ୟ କାହାରିକୁ ଗିରଫ କରିନଥିବା ଜଣାପଡ଼ିଛି। ଏପଟେ ଏହି ଘଟଣାରେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକଙ୍କ ସମେତ ବିଜେପି ଓ କଂଗ୍ରେସ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିରୋଧୀ ଦଳ ନେତା ଶ୍ରୀ ନାଏକ ଏନେଇ ପୁଲିସ ଡିଜିଙ୍କୁ ଅବଗତ କରିବେ ବୋଲି କହିବା ସହ ସାମ୍ବାଦିକମାନଙ୍କ ଉପରେ ଏଭଳି ଆକ୍ରମଣ ନିନ୍ଦନୀୟ। ଚତୁର୍ଥସ୍ତମ୍ଭକୁ ସୁରକ୍ଷା ଯୋଗାଇ ଦେବା ସରକାରଙ୍କ ଦାୟିତ୍ୱ। କୋର୍ଟଙ୍କ ନିର୍ଦ୍ଦେଶ ସତ୍ତେ୍ୱ ମଲ୍ କିଭଳି ପାର୍କିଂ ଫି’ ଆଦାୟ କରୁଛି ବୋଲି ସେ ଆଶ୍ଚର୍ଯ୍ୟ ବ୍ୟକ୍ତ କରିଛନ୍ତି। ମହିଳା ସାମ୍ବାଦିକାଙ୍କ ଉପରେ ଆକ୍ରମଣକୁ ମଧ୍ୟ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ସମ୍ପୃକ୍ତ ଆକ୍ରମଣକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସାମ୍ବାଦିକ ସଂଘଗୁଡ଼ିକ ଦାବି କରିଛନ୍ତି।

Related story