ଯୁଧିଷ୍ଠିର ସାମନ୍ତରାୟଙ୍କ ଗିରଫ ପରେ ପିପିଲିରେ ଚାପା ଉତ୍ତେଜନା, ଫୋର୍ସ ମୁତୟନ

ପିପିଲି: ସୁଶାନ୍ତ ମିଶ୍ର ହତ୍ୟା ଘଟଣାରେ ଗତକାଲି ଭୁବନେଶ୍ୱରରୁ ପୂର୍ବତନ କଂଗ୍ରେସ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କୁ ଗିରଫ କରାଯିବା ପରେ ପିପିଲି ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। କିଛି ଅଘଟଣ ଘଟିବା ଆଶଙ୍କାରେ ପିପିଲି ଅଞ୍ଚଳରେ ୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଅନ୍ୟପକ୍ଷରେ ମୃତ ସୁଶାନ୍ତ ଓ ପୂର୍ବତନ ବିଧାୟକଙ୍କ ପରିବାର ପକ୍ଷରୁ ସେମାନଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସୁରକ୍ଷା ଯୋଗାଇ ଦେବାକୁ ଦାବି କରାଯାଇଛି। ସୁଶାନ୍ତଙ୍କ ପରିବାର ପକ୍ଷରୁ ସୁରକ୍ଷା ଯୋଗାଇ […]

pipili

Rakesh Mallick
  • Published: Sunday, 15 May 2016
  • , Updated: 15 May 2016, 02:06 PM IST

ପିପିଲି: ସୁଶାନ୍ତ ମିଶ୍ର ହତ୍ୟା ଘଟଣାରେ ଗତକାଲି ଭୁବନେଶ୍ୱରରୁ ପୂର୍ବତନ କଂଗ୍ରେସ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କୁ ଗିରଫ କରାଯିବା ପରେ ପିପିଲି ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। କିଛି ଅଘଟଣ ଘଟିବା ଆଶଙ୍କାରେ ପିପିଲି ଅଞ୍ଚଳରେ ୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଅନ୍ୟପକ୍ଷରେ ମୃତ ସୁଶାନ୍ତ ଓ ପୂର୍ବତନ ବିଧାୟକଙ୍କ ପରିବାର ପକ୍ଷରୁ ସେମାନଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସୁରକ୍ଷା ଯୋଗାଇ ଦେବାକୁ ଦାବି କରାଯାଇଛି।

ସୁଶାନ୍ତଙ୍କ ପରିବାର ପକ୍ଷରୁ ସୁରକ୍ଷା ଯୋଗାଇ ଦେବାକୁ ଦାବି କରାଯିବା ସହ ଯୁଧିଷ୍ଠିରଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବାକୁ ଦାବି କରାଯାଇଛି। ଅନ୍ୟପକ୍ଷରେ ଯୁଧିଷ୍ଠିରଙ୍କୁ ମିଛ ମାମଲାରେ ଫସାଇ ଦିଆଯାଇଥିବା ତାଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯିବା ସହ ସେମାନଙ୍କ ଜୀବନ ପ୍ରତି ବିପଦ ଥିବାରୁ ସୁରକ୍ଷା ଯୋଗାଇ ଦେବାକୁ ଦାବି କରାଯାଇଛି।

ମୃତ ସୁଶାନ୍ତଙ୍କ ମାଆ ରିତାଞ୍ଜଳି ମିଶ୍ର କହିଛନ୍ତି, “ସୁଶାନ୍ତ ହତ୍ୟା ଘଟଣାରେ ସମ୍ପୃକ୍ତ ଆହୁରି ମଧ୍ୟ କିଛି ଲୋକ ଅଛନ୍ତି, ଯେଉଁମାନେ ବାହାରେ ବୁଲୁଛନ୍ତି। ସେମାନଙ୍କୁ ଗିରଫ କରା ନ ଯିବା ପର୍ଯ୍ୟନ୍ତ ଆମ ଜୀବନକୁ ବିପଦ ରହିବ। ପୁଅ ମୃତ୍ୟୁର ୬ଦିନ ପରେ ୪ଟି ବାଇକରେ କିଛି ଲୋକ ଆସି ଘର ଆଗରେ ହୋହାଲ୍ଲା କରି ଯାଇଥିଲେ। ମୁଗ ବିଲରୁ ବୋମା ମଧ୍ୟ ମିଳିଥିଲା। ଏପରି ସ୍ଥିତିରେ ଭଙ୍ଗା ମାଟି କାନ୍ଥର ଘରେ କହିବାକୁ ଡର ଲାଗୁଛି।”

ସୁଶାନ୍ତଙ୍କ ପତ୍ନୀ ଅନିତା କହିଛନ୍ତି, “ଯୁଧିଷ୍ଠିର ସାମନ୍ତରାୟକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଉ। ମୋ ସଂସାର ଉଜାଡି ଦେଲେ। ଏବେ କେମିତି ଚଳିବୁ, ୩ଟି ପିଲାଙ୍କ ଭବିଷ୍ୟତ କ’ଣ ହେବ ସେହି ଚିନ୍ତାରେ ରହୁଛୁ।”

ଯୁଧିଷ୍ଠିର ସାମନ୍ତରାୟଙ୍କ ବୋହୂ ଭାଗ୍ୟଲକ୍ଷ୍ମୀ ସାମନ୍ତରାୟ କହିଛନ୍ତି, “ଘର ପୁରୁଷଶୂନ୍ୟ ହୋଇଯାଇଛି। ବିନା ଦୋଷରେ ତାଙ୍କୁ ଗିରଫ କରାଯାଇଛି। ଆଇନ ଉପରେ ଭରଷା ଅଛି। ଆମ ଜୀବନ ପ୍ରତି ବିପଦ ରହିଛି। ଆମକୁ ସୁରକ୍ଷା ଯୋଗାଇ ଦିଆଯାଉ।”

ପିପିଲି ଏସ୍‌ଡିପିଓ ଜୟନ୍ତ କୁମାର ମହାପାତ୍ର କହିଛନ୍ତି, “ସୁଶାନ୍ତ ମିଶ୍ର ହତ୍ୟା ଘଟଣାରେ ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କୁ ଗିରଫ କରାଯାଇ ନିମାପଡ଼ା ଜେଲରେ ରଖାଯାଇଛି। ପିପିଲି ଅଞ୍ଚଳରେ ସେମିତି କିଛି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇନାହିଁ। ତଥାପି ସୁରକ୍ଷାକୁ ଦୃଷ୍ଟିରେ ରଖି ୫ ପ୍ଲାଟୁନ୍‌ ଫୋର୍ସ ମୁତୟନ କରୁଛୁ। ଦୁଇ ପରିବାରର ଲୋକେ ସୁରକ୍ଷା ଦାବି କରିଛନ୍ତି। ସେମାନଙ୍କ ଜୀବନ ପ୍ରତି ସେମିତି କିଛି ବିପଦ ନାହିଁ। ଦୁଇ ଗାଁରେ ମଧ୍ୟ ଫୋର୍ସ ମୁତୟନ କରାଯାଇଛି।”

ଗତ ଜାନୁୟାରୀ ୩ ତାରିଖ ଦିନ ସୁନ୍ଦରପଦା-ହରିରାଜପୁର ରାସ୍ତାରେ ଥିବା ଏକ ଇଂଜିନିୟରିଂ କଲେଜ ନିକଟରେ ପିପିଲି ଜମ୍ୱିଲା ଗ୍ରାମର ସୁଶାନ୍ତଙ୍କୁ ଯୋଜନାବଦ୍ଧ ଭାବରେ ହତ୍ୟା କରାଯାଇଥିଲା। ଏ ନେଇ ଯୁଧିଷ୍ଠିରଙ୍କ ସମେତ ୨୮ ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ପୂର୍ବରୁ ୬ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଗତକାଲି ଯୁଧିଷ୍ଠିରଙ୍କୁ ଗିରଫ କରାଯାଇଛି।

Related story