ଜୟନ୍ତଙ୍କୁ ଜୁଏଲଙ୍କ ଜବାବ: କହିଲେ- ବିଧାୟକଙ୍କ ହିସାବ କିତାବ ଭୁଲ ହୋଇଛି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ବର୍ତ୍ତମାନ ଯେଉଁ ନିର୍ମାଣ କାର୍ଯ୍ୟ ଚାଲୁଛି, ତାହାକୁ ବିଜେପି ବିରୋଧ କରୁଥିବା ବେଳେ ତାଙ୍କରି ଦଳର ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଏହାକୁ ସମର୍ଥନ କରୁଛନ୍ତି। ଏହି ପ୍ରସଙ୍ଗରେ ତାଙ୍କ ମତ ସ୍ପଷ୍ଟ ବୋଲି ଜଣାଇବାକୁ କିଛି ଦିନ ତଳେ ଏକ ସାମ୍ବାଦିକ ସମ୍ମିଳନୀ ମଧ୍ୟ କରିଥିଲେ। ସେଥିରେ ସେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ସମର୍ଥନ କରୁଥିବା କହିଥିଲେ। ତା’ସହିତ ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବେ […]

Jeul Oram and Jayanta Sarangi

Jitendra Garnayak
  • Published: Sunday, 15 May 2022
  • , Updated: 15 May 2022, 01:42 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ବର୍ତ୍ତମାନ ଯେଉଁ ନିର୍ମାଣ କାର୍ଯ୍ୟ ଚାଲୁଛି, ତାହାକୁ ବିଜେପି ବିରୋଧ କରୁଥିବା ବେଳେ ତାଙ୍କରି ଦଳର ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଏହାକୁ ସମର୍ଥନ କରୁଛନ୍ତି। ଏହି ପ୍ରସଙ୍ଗରେ ତାଙ୍କ ମତ ସ୍ପଷ୍ଟ ବୋଲି ଜଣାଇବାକୁ କିଛି ଦିନ ତଳେ ଏକ ସାମ୍ବାଦିକ ସମ୍ମିଳନୀ ମଧ୍ୟ କରିଥିଲେ। ସେଥିରେ ସେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ସମର୍ଥନ କରୁଥିବା କହିଥିଲେ। ତା’ସହିତ ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବେ ତୁରନ୍ତ ଏହି ପ୍ରକଳ୍ପ କାମ ସାରିବାକୁ ସେ ନିବେଦନ କରିଥିଲେ।

ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କ ଏପରି ମତ ବିଭିନ୍ନ ବର୍ଗକୁ ଆଶ୍ଚର୍ଯ୍ୟ କରିଥିବା ବେଳେ ଆଜି ତାଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ତାଙ୍କରି ଦଳର ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ।

ଶ୍ରୀ ଓରାମ କହିଛନ୍ତି, ବିଧାୟକଙ୍କର ବୋଧେ ହିସାବ କିତାବରେ କିଛିଟା ଭୁଲ୍‌ ହୋଇଯାଇଛି। କିଛି ଲୋକ ବା ଏକ ଗ୍ରୁପ୍ ଏଭଳି ବେଆଇନ କାମକୁ ସମର୍ଥନ କରୁଛନ୍ତି। ବିଧାୟକଙ୍କ ଉପରେ ସେମାନଙ୍କ ପ୍ରଭାବ ପଡ଼ିଥାଇପାରେ। କିଛି ଲୋକେ ବୋଧେ ବିଧାୟକଙ୍କ ଉପରେ ଚାପ ପକାଉଛନ୍ତି। ବିଧାୟକଙ୍କୁ ଡାକି କଥାବାର୍ତ୍ତା କରିବା ରାଜ୍ୟ ବିଜେପି ସଭାପତିଙ୍କର ଦାୟିତ୍ୱ ବୋଲି ସେ କହିଛନ୍ତି।

ଏହା ସହିତ ଏହି ପ୍ରସଙ୍ଗରେ ସାଂସଦ ଶ୍ରୀ ଓରାମ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ସେଠାରେ ଯାହା ହେଉଛି, ତାହା ବେଆଇନ। ମୁଖ୍ୟମନ୍ତ୍ରୀଙ୍କୁ ଲୁଚେଇ ଅଫିସରମାନେ ପ୍ରକଳ୍ପ କାମ କରୁଛନ୍ତି। ଏହା ସ୍ଥଗିତ ହେବା ଦରକାର। ସୌନ୍ଦର୍ଯ୍ୟକରଣ ନାଁରେ ଏମାନେ ଓଲଟାସିଧା କାମ କରୁଛନ୍ତି। ହାଇକୋର୍ଟ ଏହା ଉପରେ ଷ୍ଟେ ଅର୍ଡର ଦେବାର ଆବଶ୍ୟକତା ରହିଛି।

ସେହିପରି ପୁରୀ ସାଂସଦ ପିନାକୀ ମିଶ୍ରଙ୍କୁ ମଧ୍ୟ ଜୁଏଲ ଓରାମ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି, ସାଂସଦ ପିନାକୀ ମିଶ୍ର ଏ ପ୍ରସଙ୍ଗରେ ଡାହା ମିଛ କହିଥିଲେ।

ସୂଚନାଯୋଗ୍ୟ, ବିଜେପିର ଦୁଇ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଓ ସାଂସଦ ଅପରାଜିତା ଷଡ଼ଙ୍ଗୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଚାଲିଥିବା ନିର୍ମାଣ କାର୍ଯ୍ୟ ବେଆଇନ ବୋଲି କହି ରାଜ୍ୟ ସରକାରଙ୍କୁ ସମାଲୋଚନା କରୁଥିବା ବେଳେ ପୁରୀ ବିଧାୟକ ଖୋଲାଖୋଲି କହିଛନ୍ତି ଯେ ସେ ଏହାକୁ ପ୍ରାରମ୍ଭରୁ ସମର୍ଥନ କରି ଆସୁଛନ୍ତି ଓ ଶେଷ ପର୍ଯ୍ୟନ୍ତ ସମର୍ଥନ କରିବେ।
https://www.youtube.com/watch?v=MIVn7vAWThw

Related story