ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ସରକାରୀ ଚାକିରିଆ ପାଇଛନ୍ତି କାଳିଆ ଟଙ୍କା। ୨୦ ହଜାର ସରକାରୀ ଚାକିରିଆ ଓ ପେନସନ ଭୋଗୀ ବି କାଳିଆ ଯୋଜନାରେ ଟଙ୍କା ପାଇଥିବା ନେଇ ଆଜି ସ୍ପଷ୍ଟ କରିଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ । ସେମାନଙ୍କୁ ଟଙ୍କା ଫେରାଇବାକୁ କୁହାଯିବ, ନହେଲେ ଦରମାରୁ ଭରଣା କରାଯିବ। ଖାଲି ସେତିକି ନୁହେଁ ଏହି ଯୋଜନାରେ ମୋଟ୍ ୩ ଲକ୍ଷ ୪୧ ହଜାର ଅଯୋଗ୍ୟ ହିତାଧିକାରୀ ଥିବା ସୂଚନା ମିଳିଛି। ଯେଉଁଥିରୁ ପ୍ରାୟ ୧୨ ହଜାର ବଡ଼ ଚାଷୀ ସହାୟତା ପାଇଛନ୍ତି ।
ସଂପୃକ୍ତ ବଡ଼ ଚାଷୀଙ୍କୁ ଟଙ୍କା ଫେରସ୍ତ କରିବାକୁ ପ୍ରବର୍ତ୍ତାଯିବ । ଏମିତିକି ୯ ହଜାର ନାବାଳକ ଓ ନାବାଳିକା ବି କାଳିଆ ସହାୟତା ପାଇଛନ୍ତି। ଏସବୁ ପରିବାରର ମୁଖ୍ୟ ସହାୟତା ପାଇଥିବାରୁ ପରବର୍ତ୍ତୀ କିସ୍ତିରେ ଏହା ବ୍ୟବସ୍ଥିତ ହେବ। ତା’ଛଡ଼ା ୩ ଲକ୍ଷ ଲୋକ ପରିବାରର ଏକାଧିକ ବ୍ୟକ୍ତି ଟଙ୍କା ପାଇଛନ୍ତି । ପରିବାରର ଜଣକୁ ସହାୟତା ମିଳିବ ଓ ପର କିସ୍ତିରେ ଏହାକୁ ଭରଣା କରାଯିବ ବୋଲି କହିଛନ୍ତି ମନ୍ତ୍ରୀ।।