କାନ୍ଧରେ ଶବ ବୋହିବା ଘଟଣା: ଦାନ ମାଝିଙ୍କ ପାଇଁ ଓଟିଭି ପ୍ରତିନିଧି ସାଜିଲେ ଦେବଦୂତ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଡାକ୍ତରଖାନାରୁ ପତ୍ନୀର ମୃତଦେହକୁ ଦାନ ମାଝି ନିଜ କାନ୍ଧରେ ୧୦ କି.ମି. ବୋହି ନିଜ ଗାଁକୁ ନେଉଥିବା ଖବର ସମଗ୍ର ଭାରତରେ ଚର୍ଚ୍ଚାର ବିଷୟ ପାଲଟିଛି। ବିଦେଶୀ ମିଡିଆରେ ମଧ୍ୟ ଏହା ଖବରର ଶିରୋନାମା ପାଲଟିଛି। ଏଥିପାଇଁ ଓଡ଼ିଶାକୁ ଲଜ୍ଜିତ ହେବାକୁ ପଡିଛି। ଏହା ଏକ ଋଗଣ ମାନସିକତାର ପରିଚୟ ବୋଲି ଚାରିଆଡେ ଆଲୋଚନା ହେଉଛି। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା କିଛି ବ୍ୟକ୍ତି ପ୍ରଶ୍ନ ଉଠାଇଛନ୍ତି ଯେ ଓଟିଭି ରିପୋର୍ଟର ଦାନ […]

ajit-shing

Rakesh Mallick
  • Published: Saturday, 27 August 2016
  • , Updated: 27 August 2016, 07:43 PM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଡାକ୍ତରଖାନାରୁ ପତ୍ନୀର ମୃତଦେହକୁ ଦାନ ମାଝି ନିଜ କାନ୍ଧରେ ୧୦ କି.ମି. ବୋହି ନିଜ ଗାଁକୁ ନେଉଥିବା ଖବର ସମଗ୍ର ଭାରତରେ ଚର୍ଚ୍ଚାର ବିଷୟ ପାଲଟିଛି। ବିଦେଶୀ ମିଡିଆରେ ମଧ୍ୟ ଏହା ଖବରର ଶିରୋନାମା ପାଲଟିଛି। ଏଥିପାଇଁ ଓଡ଼ିଶାକୁ ଲଜ୍ଜିତ ହେବାକୁ ପଡିଛି। ଏହା ଏକ ଋଗଣ ମାନସିକତାର ପରିଚୟ ବୋଲି ଚାରିଆଡେ ଆଲୋଚନା ହେଉଛି।

ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା କିଛି ବ୍ୟକ୍ତି ପ୍ରଶ୍ନ ଉଠାଇଛନ୍ତି ଯେ ଓଟିଭି ରିପୋର୍ଟର ଦାନ ମାଝିଙ୍କୁ ସାହାଯ୍ୟ କରିବା ବଦଳରେ ଭିଡିଓ ରେକଡିଂ କରୁଥିଲେ କିପରି? କିନ୍ତୁ ସେମାନେ ଜାଣନ୍ତିନାହିଁ ଯେ ଓଟିଭିର ଭାବାନୀପାଟଣା ପ୍ରତିନିଧି ଅଜିତ ସିଂହଙ୍କ ବ୍ୟକ୍ତିଗତ ଉଦ୍ୟମ ଫଳରେ ହିଁ ଶେଷରେ ଆମ୍ୱୁଲାନ୍ସଟିଏ ପହଞ୍ଚିଥିଲା ଓ ଦାନ ମାଝି, ତାଙ୍କ ୧୨ ବର୍ଷର ଝିଅ ଓ ତାଙ୍କ ମୃତ ପତ୍ନୀଙ୍କ ଶବକୁ ଅବଶିଷ୍ଟ ୫୦ କିମି ରାସ୍ତା ନେଇଥିଲା।

ଦାନ ମାଝି କାନ୍ଧରେ ପତ୍ନୀଙ୍କ ଶବ ବୋହି ଘରକୁ ନେଉଥିବା ବିଷୟରେ ଓଟିଭିର ଭବାନୀପାଟଣା ପ୍ରତିନିଧି ଅଜିତ ପ୍ରଥମେ ଖବର ପାଇଥିଲେ। ଗତ ବୁଧବାର ସକାଳେ ଜଣେ ବ୍ୟକ୍ତି କାନ୍ଧରେ ଶବ ବୋହି ଯାଉଥିବା ଅଜିତ ଖବର ପାଇ ଶଗଡ଼ାରେ ପହଞ୍ଚି ଥିଲେ। ସେଠାରେ ସେ ଦେଖିବାକୁ ପାଇଲେ ଦାନ ସ୍ତ୍ରୀର ମୃତଦେହକୁ କାନ୍ଧରେ ବୋହି ଚାଲିଚାଲି ଯାଉଥିଲେ। ପଛରେ ତାଙ୍କ ଝିଅ କାନ୍ଦି କାନ୍ଦି ଯାଉଥିଲେ। ଦାନଙ୍କ ଘର ଭବାନୀପାଟଣା ଜିଲ୍ଲା ଡାକ୍ତରଖାନାରୁ ୬୦ କି.ମି. ହୋଇଥିବା ବେଳେ ସେ ପ୍ରାୟ ୨ ଘଣ୍ଟା ଚାଲି ୧୦ କି.ମି. ଶବ ବୋହି ନେଇ ଆସିଥିଲେ।

ଅଜିତଙ୍କ କହିବା ଅନୁସାରେ ସେ ସଙ୍ଗେ ସଙ୍ଗେ କଳାହାଣ୍ଡି ଜିଲ୍ଲାପାଳ ଡି. ବୃନ୍ଦାଙ୍କୁ ଫୋନ୍‌ରେ ଯୋଗାଯୋଗ କରିଥିଲେ। ଗୋଟିଏ ଗାଡ଼ି ଠିକ୍ କରିବାକୁ ସିଡିଏମ୍‌ଓଙ୍କୁ କହୁଛି ବୋଲି ଜିଲ୍ଲାପାଳ ତାଙ୍କୁ କହିଥିଲେ। ପରେ ଅଜିତ ସିଡିଏମ୍‌ଓଙ୍କ ସହ ଯୋଗାଯୋଗ କରିବାରୁ ତାଙ୍କ ଫୋନ୍‌ ନେଟ୍‌ୱାର୍କ ବାହାରେ ଥିବା ଜାଣିବାକୁ ପାଇଥିଲେ। ହୁଏତ ସେହି କାରଣରୁ ତାଙ୍କ ପାଖକୁ କୌଣସି ଫୋନ୍‌ ଆସି ନ ଥିବା ସେ ଅଜିତଙ୍କୁ କହିଥିଲେ। ସେ ଅବଶ୍ୟ ଆଶ୍ୱାସନା ଦେଇଥିଲେ ଯେ ସେ ଆମ୍ୱୁଲାନ୍ସ ବ୍ୟବସ୍ଥା କରିବା ପାଇଁ ଏଡିଏମ୍‌ଓଙ୍କୁ କହିବେ। ପ୍ରକୃତରେ ଏଡିଏମ୍‌ଓଙ୍କୁ କିଛି କହିଲେ କି ନାହିଁ ଏବଂ ଯଦି କହିଲେ ତେବେ ଏଡିଏମ୍‌ଓ ସେଦିଗରେ କଣ ଚେଷ୍ଟା କଲେ ଜଣାନାହିଁ।  ଆମ୍ୱୁଲାନ୍ସ କିନ୍ତୁ ପହଞ୍ଚିଲା ନାହିଁ।

ଏହା ପରେ ଅଜିତ ଲାଞ୍ଜିଗଡ଼ ବିଧାୟକ ବଳଭଦ୍ର ମାଝିଙ୍କୁ ଘଟଣା ସମ୍ପର୍କରେ ଅବଗତ କରିବା ପରେ ବିଧାୟକଙ୍କ ଆଞ୍ଚଳିକ ପ୍ରତିନିଧି ଗୋବିନ୍ଦ ପ୍ରଧାନ ସେଠାରେ ପହଞ୍ଚିଲେ। କିନ୍ତୁ ସେ ମଧ୍ୟ ଆମ୍ୱୁଲାନ୍ସ ବ୍ୟବସ୍ଥା କରିପାରିଲେ ନାହିଁ।

ଶେଷରେ ଅଜିତ ବାଲାଜୀ ମନ୍ଦିର ସୁରକ୍ଷା ସମିତିକୁ ଫୋନ୍‌ କରିବାରୁ ସଂସ୍ଥା ତରଫରୁ ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଥିଲା। ଏଥିପାଇଁ ସ୍ଥାନୀୟ ବ୍ୟବସାୟୀ ପ୍ରମୋଦ କୁମାର ଖମାରୀ ଆର୍ଥିକ ସହାୟତା ଦେଇଥିଲେ।

ଦୁଃଖର କଥା ଦାନ ମାଝୀକୁ ଜିଲ୍ଲା ପ୍ରଶାସନ ସାହାଯ୍ୟ ନ କରିଥିଲେ ସୁଦ୍ଧା ତା’ ଉପରକୁ କେହି ଆଙ୍ଗୁଠି ନିର୍ଦ୍ଦେଶ କରୁନାହାନ୍ତି। ହେଲେ ଦାନକୁ ସାହାଯ୍ୟ କରିଥିବା ବ୍ୟକ୍ତିଙ୍କ ଉପରେ କାହିଁକି ଭିଡିଓ ରେକଡିଂ କରୁଥିଲ ବୋଲି ଆରୋପ ଲଗାଯାଉଛି। ଆଜି ଏହି ଭିଡିଓ ପାଇଁ ପ୍ରଶାସନର ଅବହେଳା ପଦାରେ ପଡିଛି। ସାରା ବିଶ୍ୱ ଆଜି ଜଣେ ଗରିବ ଓଡ଼ିଆ ଆଦିବାସୀର କରୁଣ କାହାଣୀ ଜାଣିବାକୁ ଓ ଦେଖିବାକୁ ପାଇଛି। ଏପରି ଆରୋପ ଓ ପ୍ରତ୍ୟାରୋପକୁ ନେଇ ବୁଦ୍ଧିଜୀବି ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

Related story