ରାଜଧାନୀରେ ଝଲସିବ କଶ୍ମୀର ଓ ପଦ୍ମାବତୀ ପ୍ୟାଲେସ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦଶହରା ଯେତିକି ପାଖେଇ ଆସୁଛି ରାଜଧାନୀର ପୂଜା ମଣ୍ଡପ ଗୁଡ଼ିକରେ କାରିଗରମାନେ ସେତିକି ଜୋରସୋରରେ ତୋରଣ କାମ କରୁଛନ୍ତି। ସବୁଥର ଭଳି ଏଥର ବି ରାଜଧାନୀର ଭିନ୍ନ ଭିନ୍ନ ଆକାର ଓ ସାଜସଜାର ତୋରଣ ଦେଖିବାକୁ ମିଳିବ।  ଏଥର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ ବମିଖାଲ ପୂଜା ମଣ୍ଡପର ୧୨୦ ଫୁଟ୍‌ ଚଉଡ଼ା ଓ ୮୦ଫୁଟ୍‌ ଉଚ୍ଚତା ବିଶିଷ୍ଟ କଶ୍ମୀର ପ୍ୟାଲେସ୍‌ ଆକୃତିର ତୋରଣ। ଏଥିସହ ତୋରଣରେ କୌଣସି ପ୍ଲାଷ୍ଟିକ କିମ୍ବା ପଲିଥିନ୍ ବ୍ୟବହାର […]

puja

Jyoshna Pradhan
  • Published: Monday, 30 September 2019
  • , Updated: 30 September 2019, 03:25 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦଶହରା ଯେତିକି ପାଖେଇ ଆସୁଛି ରାଜଧାନୀର ପୂଜା ମଣ୍ଡପ ଗୁଡ଼ିକରେ କାରିଗରମାନେ ସେତିକି ଜୋରସୋରରେ ତୋରଣ କାମ କରୁଛନ୍ତି। ସବୁଥର ଭଳି ଏଥର ବି ରାଜଧାନୀର ଭିନ୍ନ ଭିନ୍ନ ଆକାର ଓ ସାଜସଜାର ତୋରଣ ଦେଖିବାକୁ ମିଳିବ। 

ଏଥର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ ବମିଖାଲ ପୂଜା ମଣ୍ଡପର ୧୨୦ ଫୁଟ୍‌ ଚଉଡ଼ା ଓ ୮୦ଫୁଟ୍‌ ଉଚ୍ଚତା ବିଶିଷ୍ଟ କଶ୍ମୀର ପ୍ୟାଲେସ୍‌ ଆକୃତିର ତୋରଣ। ଏଥିସହ ତୋରଣରେ କୌଣସି ପ୍ଲାଷ୍ଟିକ କିମ୍ବା ପଲିଥିନ୍ ବ୍ୟବହାର କରାଯାଇ ନାହିଁ। ତା’ସହିତ ପ୍ଲାଷ୍ଟିକ୍‌ ଜିନିଷରେ ବା ପଲିଥିନରେ ଭୋଗ ଆଣିବାକୁ ମଧ୍ୟ ବାରଣ କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଶହେ ଜଣ ସ୍ୱେଚ୍ଛାସେବୀ ସାଙ୍ଗକୁ ୧୦ଟି ସିସିଟିଭି ଜଗିବେ। ଏଥିସହ ଷଷ୍ଠୀରୁ ଦଶମୀ ପର୍ଯ୍ୟନ୍ତ ପ୍ରତି ସନ୍ଧ୍ୟାରେ ପ୍ରସାଦ ସେବନ, ଭଜନ ସମାରୋହ ସାଙ୍ଗକୁ ଅର୍କେଷ୍ଟ୍ରା ହେବ। ସୂଚନାଯୋଗ୍ୟ, ବମିଖାଲ ଦୁର୍ଗାପୂଜାକୁ ଚଳିତ ବର୍ଷ ୫୬ ବର୍ଷ ପୂରୁଛି।

ବମିଖାଲ ଦୁର୍ଗାପୂଜା କମିଟି କୋଷାଧ୍ୟକ୍ଷ ବଣ୍ଟି ଜେନା କହିଛନ୍ତି, “ଏବର୍ଷ ଆମେ ଜମ୍ମୁ କଶ୍ମୀର ପ୍ୟାଲେସ୍ କରିଛୁ। ଏବେ ୩୭୦ ଧାରା ଚର୍ଚ୍ଚାର ବିଷୟ ପାଲଟିଥିବାରୁ ଲୋକମାନେ ଯେପରି ଏହାକୁ ମନେ ରଖିବେ ସେଥିପାଇଁ ଏହି ପ୍ୟାଲେସ୍ କରୁଛୁ। ଏଥିସହ କୋଲକତାରୁ ୮ଟା ଏଲଇଡି ଗେଟ୍‌ ଆଣିଛୁ। ଏହା ଆଲୋକ ସଜ୍ଜାରେ ନୂଆ ଆକର୍ଷଣ ପାଲଟିବ।”

ସେହପରି ୩୨ ବର୍ଷରେ ପଦାର୍ପଣ କରିଥିବା ନୟାପଲ୍ଲୀ ଦୁର୍ଗାପୂଜା କମିଟି ମଧ୍ୟ ରାଜଧାନୀବାସୀଙ୍କ ମନ ଜିଣିବା ଲାଗି ପଦ୍ମାବତୀ ପ୍ୟାଲେସକୁ ଅନୁକରଣ କରି ତୋରଣ କରୁଛି। ଆଉ ପରିବେଶକୁ ନଜରରେ ରଖି ଜଙ୍ଗଲରୁ ସଂଗୃହୀତ ଅଦରକାରୀ ସାମଗ୍ରୀରେ ତୋରଣ ତିଆରି ହେଉଛି। ଷଷ୍ଠୀରୁ ନବମୀ ପର୍ଯ୍ୟନ୍ତ ପ୍ରତି ସନ୍ଧ୍ୟାରେ ଭଜନ ସମାରୋହ ଏବଂ ମେଲୋଡି କାର୍ଯ୍ୟକ୍ରମ ରହିଛି। ଦଶମୀରେ ବିନା ଆତସବାଜିରେ ରାବଣ ପୋଡ଼ି କାର୍ଯ୍ୟକ୍ରମ ରହିଛି। ସୁରକ୍ଷା ଦୃଷ୍ଟିରୁ ମଣ୍ଡପକୁ ଦେଢଶହ ସ୍ୱେଚ୍ଛାସେବୀ ଏବଂ ୩୨ଟି ସିସିଟିଭି ଜଗିବେ।

ନୟାପଲ୍ଲୀ ଦୁର୍ଗାପୂଜା କମିଟି ଉପସଭାପତି ଚିତ୍ତରଂଜନ ବେହେରା କହିଛନ୍ତି, “ଅକ୍ଟୋବର ୨ରୁ ପ୍ଲାଷ୍ଟିକ୍‌ ବର୍ଜନ କରାଯାଉଥିବାରୁ ଅଦରକାରୀ ଫଳ, ଜଙ୍ଗଲ ସାମଗ୍ରୀକୁ ଆଣି ବେଙ୍ଗଲି କାରିଗରଙ୍କ ସହ ମିଶି ଏହି ତୋରଣ କରାଯାଉଛି।”

୨୦ବର୍ଷରେ ପଦାର୍ପଣ କରିଥିବା ବରମୁଣ୍ଡା ପୂଜା କମିଟି ମଧ୍ୟ ଏଥର ଦଶହରାରେ ଧମାକା କରିବ। ରାବଣ ପୋଡ଼ି ସାଙ୍ଗକୁ ଆତସବାଜିରେ ଚମକାଇବ। ଏହି ମଣ୍ଡପ  ନୂଆଦିଲ୍ଲୀର ଅକ୍ଷରଧାମ ଆକୃତିର ତୋରଣ କରୁଛି।  ପ୍ରତି ସନ୍ଧ୍ୟାରେ ପାରମ୍ପରିକ ନୃତ୍ୟ, ମେଲୋଡ଼ି ଏବଂ ପ୍ରସାଦ ସେବନ ରହିଛି।  ଏଠି ମଧ୍ୟ ସୁରକ୍ଷା ଲାଗି ସିସିଟିଭି ଲାଗିବ, ସ୍ୱେଚ୍ଛାସେବୀ ମୁତୟନ ହେବେ।

ବରମୁଣ୍ଡା ଦୁର୍ଗା ପୂଜା ମଣ୍ଡପ ସମ୍ପାଦକ ନରେନ୍ଦ୍ର ନାଥ ସାହୁ କହିଛନ୍ତି,“ ଆମ କମିଟି ଏପର୍ଯ୍ୟନ୍ତ ରାବଣ ପୋଡ଼ି, ଆକାଶବାଜି ହେଉ ଅବା ପୂଜା ଉତ୍ସବ ସୁରୁଖୁରରେ ପରିଚାଳନା କରି ଆସିଛି। ଚଳିତ ବର୍ଷ ମଧ୍ୟ ରବଣ ପୋଡ଼ି ଓ ଆତବାଜି ହେବ।”

ବର୍ଷା ସତ୍ତ୍ୱେ ତୋରଣ କାମ ଜୋରସୋରରେ ଚାଲିଥିବା ବେଳେ ଏଥର ସବୁ ପୂଜା ମଣ୍ଡପ ପ୍ଲାଷ୍ଟିକ ବର୍ଜନ ଉପରେ ଗୁରୁତ୍ୱ ଦେଇଛନ୍ତି।

Related story