ଅସ୍ତିତ୍ୱ ହରାଇଲା ଖଲ୍ଲିକୋଟ ୟୁନିର୍ଭସିଟି, ଅକ୍ଟୋବରରୁ ବ୍ରହ୍ମପୁର ୟୁନିର୍ଭସିଟିରେ ମିଶିବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ପ୍ରଥମ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ ଭାବେ ପରିଚିତ ଖଲ୍ଲିକୋଟ ୟୁନିର୍ଭସିଟି ସମ୍ପୂର୍ଣ୍ଣ ଭାବେ ଅସ୍ତିତ୍ୱ ହରାଇବ। ଆସନ୍ତା ଅକ୍ଟୋବର ପହିଲାରୁ ବ୍ରହ୍ମପୁର ୟୁନିର୍ଭିସିଟିରେ ଏହାର ସମ୍ପୂର୍ଣ୍ଣ ମିଶ୍ରଣ ହୋଇଯିବ । କିଭଳି ଭାବେ ମିଶ୍ରଣ ପ୍ରକ୍ରିୟା ହେବ ଓ କେବେସୁଦ୍ଧା ଏହି କାର୍ଯ୍ୟ ସରିବ ସେଥିପାଇଁ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଖଲ୍ଲିକୋଟ ୟୁନିର୍ଭସିଟି କୌଣସି ପ୍ରକାରର ନୂଆ ଆଡମିଶନ କରାଇ […]

7901

7901

Ordigital Desk
  • Published: Tuesday, 18 May 2021
  • Updated: 19 May 2021, 07:58 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ପ୍ରଥମ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ ଭାବେ ପରିଚିତ ଖଲ୍ଲିକୋଟ ୟୁନିର୍ଭସିଟି ସମ୍ପୂର୍ଣ୍ଣ ଭାବେ ଅସ୍ତିତ୍ୱ ହରାଇବ। ଆସନ୍ତା ଅକ୍ଟୋବର ପହିଲାରୁ ବ୍ରହ୍ମପୁର ୟୁନିର୍ଭିସିଟିରେ ଏହାର ସମ୍ପୂର୍ଣ୍ଣ ମିଶ୍ରଣ ହୋଇଯିବ । କିଭଳି ଭାବେ ମିଶ୍ରଣ ପ୍ରକ୍ରିୟା ହେବ ଓ କେବେସୁଦ୍ଧା ଏହି କାର୍ଯ୍ୟ ସରିବ ସେଥିପାଇଁ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଖଲ୍ଲିକୋଟ ୟୁନିର୍ଭସିଟି କୌଣସି ପ୍ରକାରର ନୂଆ ଆଡମିଶନ କରାଇ ପାରିବେ ନାହିଁ ବୋଲି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ବ୍ରହ୍ମପୁର ୟୁନିର୍ଭସିଟି ମଧ୍ୟ ଚଳିତ ଶିକ୍ଷାବର୍ଷରେ ଖଲ୍ଲିକୋଟ ୟୁନିର୍ଭିସିଟି ଦ୍ୱାରା ଦିଆଯାଉଥିବା ବିଷୟ ଓ କୋର୍ସରେ ନାମଲେଖା କରାଇପାରିବେ ନାହିଁ।

ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଜି ଜାରି ବିଜ୍ଞପ୍ତି ଅନୁସାରେ, ବ୍ରହ୍ମପୁର ନିକଟସ୍ଥ କୋନିଷିଠାରେ ଭଡ଼ା ଘରେ ଚାଲିଥିବା ଖଲ୍ଲିକୋଟ ୟୁନିର୍ଭସିଟି ଚଳିତବର୍ଷ ସେପ୍ଟେମ୍ବର ୩୦ତାରିଖରୁ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ। ୟୁନିର୍ଭସିଟିର ସମସ୍ତ ନିୟମିତ କର୍ମଚାରୀ ବ୍ରହ୍ମପୁର ୟୁନିର୍ଭିସିଟିର ନିୟମିତ କର୍ମଚାରୀ ଭାବେ କାର୍ଯ୍ୟ କରିବେ ଓ ସେମାନେ ଅକ୍ଟୋବର ପହିଲାରୁ ବ୍ରହ୍ମପୁର ୟୁନିର୍ଭସିଟି ଅଧୀନରେ ନିଜର ଦରମା ପାଇବେ। ଖଲ୍ଲିକୋଟ ୟୁନିର୍ଭସିଟିର ସମସ୍ତ ସମ୍ପତ୍ତିକୁ ସେପ୍ଟେମ୍ବର ୩୦ତାରିଖ ସୁଦ୍ଧା ବ୍ରହ୍ମପୁର ୟୁନିର୍ଭସିଟିକୁ ହସ୍ତାନ୍ତର କରାଯିବ।

ଖଲ୍ଲିକୋଟ ୟୁନିର୍ଭସିଟି ପାଇଁ ରାଜ୍ୟ ସରକାର ଯୋଗାଇଥିବା ସରକାରୀ ଜମି ଏବେ ଯେଉଁ ଅବସ୍ଥାରେ ରହିଛି, ସେଭଳି ଭାବେ ଜିଲ୍ଲା ରାଜସ୍ୱ କର୍ତ୍ତୃପକ୍ଷଙ୍କୁ ସରେଣ୍ଡର କରାଯିବ। ଖଲ୍ଲିକୋଟ ୟୁନିର୍ଭସିଟି ଆସନ୍ତା ସେପ୍ଟେମ୍ବର ୩୦ତାରିଖ ସୁଦ୍ଧା ସମସ୍ତ ଅଣ୍ଡର ଗ୍ରାଜୁଏଟ, ପୋଷ୍ଟ ଗ୍ରାଜୁଏଟ ପରୀକ୍ଷା ସହ ବ୍ୟାକଲଗ ପରୀକ୍ଷା ଶେଷ କରି ତା’ର ଫଳାଫଳ ମଧ୍ୟ ନିଶ୍ଚିତ ଭାବେ ଏହି ଅବଧି ମଧ୍ୟରେ ପ୍ରକାଶ କରିବେ। ଏହାପରେ ସେହି ଛାତ୍ରଛାତ୍ରୀଙ୍କର ଉପସ୍ଥାନ ସ୍ୱତଃ ବ୍ରହ୍ମପୁର ୟୁନିର୍ଭସିଟି ଅଧୀନକୁ ଆସିଯିବ। ଖଲ୍ଲିକୋଟ ୟୁନିର୍ଭସିଟିରେ ଛାତ୍ରଛାତ୍ରୀଙ୍କୁ ମିଳିଥିବା ମାର୍କ ଓ ଗ୍ରେଡ୍ ବ୍ରହ୍ମପୁର ୟୁନିର୍ଭସିଟିରେ ସମାନ ରହିବ। ସେପ୍ଟେମ୍ବର ୩୦ତାରିଖ ପରେ ଖଲ୍ଲିକୋଟ ୟୁନିର୍ଭସିଟିରେ ରିସର୍ଚ୍ଚ ଡିଗ୍ରୀ କରୁଥିବା ଛାତ୍ରଛାତ୍ରୀମାନେ ବ୍ରହ୍ମପୁର ୟୁନିର୍ଭସିଟିକୁ ସ୍ଥାନାନ୍ତର ହେବେ କିନ୍ତୁ ସେମାନଙ୍କର ରେଜିଷ୍ଟ୍ରେସନ୍ ତାରିଖ ଓ ଥେସିସ୍ ସୁପରଭାଇଜର ପରିବର୍ତ୍ତନ ହେବେ ନାହିଁ।

ସେପ୍ଟେମ୍ବର ୩୦ତାରିଖ ପରେ ଖଲ୍ଲିକୋଟ ୟୁନିର୍ଭସିଟି ଛାତ୍ରଛାତ୍ରୀଙ୍କର ଡିଗ୍ରୀ, ସାର୍ଟିଫିକେଟ୍‌, ଟ୍ରାନ୍ସଫର, ଗ୍ରେଡ୍ ଓ ମାର୍କ ଆଦି ସମସ୍ତ ପ୍ରସଙ୍ଗ ବ୍ରହ୍ମପୁର ୟୁନିର୍ଭସିଟି ଦ୍ୱାରା ପରିଚାଳିତ ହେବ। କେବଳ ସେତିକି ନୁହେଁ ଖଲ୍ଲିକୋଟ ୟୁର୍ନିର୍ଭସିଟିକୁ ମିଳିଥିବା ସମସ୍ତ ସରକାରୀ ଅନୁଦାନ, ଉପକରଣ ଆଦି ମଧ୍ୟ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟକୁ ସ୍ଥାନାନ୍ତର ହେବ। ଖଲ୍ଲିକୋଟ ୟୁନିର୍ଭସିଟିର ରେଜିଷ୍ଟ୍ରାର ସମସ୍ତ ସରକାରୀ ଫାଇଲ, ରେକର୍ଡ ଓ ଦସ୍ତାବିଜକୁ ବ୍ରହ୍ମପୁର ୟୁନିର୍ଭସିଟିର ରେଜିଷ୍ଟ୍ରାରଙ୍କୁ ହସ୍ତାନ୍ତର କରିବେ ବୋଲି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ,ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟକୁ ୨୦୧୫ ମେ’ ମାସରେ ରାଜ୍ୟର ପ୍ରଥମ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ ଭାବେ ମାନ୍ୟତା ଦିଆଯାଇଥିଲା । ୨୦୨୦ ଫେବୃୟାରୀ ମାସରେ ଏହି ବିଶ୍ୱବିଦ୍ୟାଳୟକୁ ୟୁନିଟାରୀ ୟୁନିର୍ଭସିଟି ଭାବେ ରାଜ୍ୟ ସରକାର ସ୍ୱୀକୃତି ଦେଇଥିଲେ । ତେବେ ଏହି ବିଶ୍ୱବିଦ୍ୟାଳୟକୁ କାହିଁକି ବନ୍ଦ କରାଗଲା ସେ ନେଇ କୌଣସି ନିର୍ଦ୍ଦିଷ୍ଟ ସୂଚନା ମିଳିପାରିନି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos