ସୁରକ୍ଷା ଦେବାକୁ ଆସିଥିଲେ, ସୁଯୋଗ ଦେଖି ଅଣ୍ଟାରେ ହାତ ମାରିଦେଲା ପୁଲିସ!
ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର): ଭାଇକୁ ଫୋନ୍ କରି ଡାକୁଥିଲେ ଛାତ୍ରୀ। ଠିକ୍ ଏତିକିବେଳେ ସୁରକ୍ଷା ଦେବା ପାଇଁ ଆସିଥିବା ଖୋର୍ଦ୍ଧା ଶିଳ୍ପାଞ୍ଚଳର ଥାନା ଗାଡ଼ିର ଡ୍ରାଇଭର ଛାତ୍ରୀଙ୍କୁ ଦୁର୍ବ୍ୟବହାର କରିଥିଲେ। ଏପରିକି ତାଙ୍କ ଅଣ୍ଟାରେ ହାତ ମାରିଥିଲେ। ରକ୍ଷକରୁ ଭକ୍ଷକ ସାଜିଥିବା ପିସିଆର୍ ଭ୍ୟାନ୍ ଡ୍ରାଇଭରଙ୍କ ନାଁରେ ଆଜି ଫାଣ୍ଡିରେ ଅଭିଯୋଗ କରିଛନ୍ତି ପୀଡ଼ିତା ଓ ତାଙ୍କ ପରିବାର ଲୋକ।
ପୂରା ଘଟଣାଟି ଏମିତି। ଗତକାଲି ରାତିରେ ଖୋର୍ଦ୍ଧାରେ ଥିବା ଏକ ଇଞ୍ଜିନିୟରିଂ କଲେଜରେ ଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ। ଏଥିରେ କଲେଜର ସମସ୍ତ ଛାତ୍ରଛାତ୍ରୀ ଯୋଗଦେଇଥିଲେ। ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ସରିବା ପରେ ଛାତ୍ରୀ ଜଣକ କଲେଜ ଗେଟ୍ ବାହାରକୁ ଆସି ତାଙ୍କ ଭାଇକୁ ଫୋନ୍ କରୁଥିଲେ। ଏହି ସମୟରେ ସେଠାରେ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ଥିବା ଶିଳ୍ପାଞ୍ଚଳ ଫାଣ୍ଡିର ଗାଡ଼ି ଡ୍ରାଇଭର ଛାତ୍ରୀଙ୍କଠାରୁ ମୋବାଇଲ୍ ଛଡ଼ାଇ ନେଇଥିଲେ। ଏପରିକି ତାଙ୍କ ଅଣ୍ଟାରେ ହାତ ମାରି ଖରାପ ବ୍ୟବହାର କରିଥିଲେ। ପରେ ଛାତ୍ରୀ ଜଣକ କଲେଜ ଭିତରକୁ ଯାଇ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରୁଥିବା କାର୍ଯ୍ୟକର୍ତ୍ତାଙ୍କ ପାଖରେ ଅଭିଯୋଗ କରିଥିଲେ। ସେତେବେଳକୁ ସମ୍ପୃକ୍ତ ପୁଲିସ ଜଣକ ସେଠାରୁ ପଳାଇ ଯାଇଥିଲା।
ଆଜି ପୀଡ଼ିତା ଏନେଇ ଶିଳ୍ପାଞ୍ଚଳ ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ହେଲେ ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ପରିନି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।