କିଡନୀ ରୋଗୀଙ୍କ ଧାରଣା: ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରସ୍ଥିତ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ସମ୍ମୁଖରେ ଧାରଣାରତ କିଡନୀ ରୋଗୀଙ୍କ ସମସ୍ୟାକୁ ତୁରନ୍ତ ସମଧାନ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। କିଡନୀ ରୋଗୀଙ୍କ ସମସ୍ୟାର ସମାଧାନ କିଭଳି କରିହେବ ସେ ନେଇ ବିଭାଗ ପକ୍ଷରୁ ଗୋଟିଏ ବୈଠକ ହୋଇସାରିଛି ଓ ଖୁବଶୀଘ୍ର ସମାଧାନର ବାଟ ବାହାରିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଆଶାବ୍ୟକ୍ତ କରିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଦାସ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି […]

Naba Das

Ordigital Desk
  • Published: Thursday, 10 November 2022
  • , Updated: 10 November 2022, 08:54 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରସ୍ଥିତ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ସମ୍ମୁଖରେ ଧାରଣାରତ କିଡନୀ ରୋଗୀଙ୍କ ସମସ୍ୟାକୁ ତୁରନ୍ତ ସମଧାନ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। କିଡନୀ ରୋଗୀଙ୍କ ସମସ୍ୟାର ସମାଧାନ କିଭଳି କରିହେବ ସେ ନେଇ ବିଭାଗ ପକ୍ଷରୁ ଗୋଟିଏ ବୈଠକ ହୋଇସାରିଛି ଓ ଖୁବଶୀଘ୍ର ସମାଧାନର ବାଟ ବାହାରିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଆଶାବ୍ୟକ୍ତ କରିଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଦାସ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, କିଡନୀ ରୋଗୀମାନଙ୍କର ଦାବି ସମ୍ପର୍କରେ ସେ ସଚେତନ ଅଛନ୍ତି । ସେମାନଙ୍କର ସମସ୍ୟାକୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ନିମନ୍ତେ ଗଣତାନ୍ତ୍ରିକ ଉପାୟରେ ପ୍ରତିବାଦ କରିବାର ସେମାନଙ୍କର ପୂର୍ଣ୍ଣ ଅଧିକାର ରହିଛି । ସେମାନେ ତାଙ୍କୁ ଭେଟି ନିଜର ସମସ୍ୟା ଜଣାଇ ପାରିବେ, ଏଥିପାଇଁ ସେମାନଙ୍କୁ ସ୍ୱାଗତ କରୁଛି । ସେ ଏହି ସମସ୍ୟାର ତୁରନ୍ତ ସମାଧାନ ପାଇଁ ବିଭାଗକୁ ନିର୍ଦ୍ଦେଶ ଦେଇସାରିଛନ୍ତି । ବିଭାଗ ମଧ୍ୟ ଗୋଟିଏ ଥର ବୈଠକ କରି ଏହାର ସମାଧାନ କିଭଳି ହେବ ତା’ର ବାଟ ଖୋଜୁଛି ।

ସୂଚନାଯୋଗ୍ୟ, ଡାକ୍ତରଙ୍କ ପରାମର୍ଶରେ ଦିଆଯାଉଥିବା ଔଷଧକୁ ମାଗଣା ଯୋଗାଇବା ଦାବିରେ ସୋମବାରଠାରୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଧାରଣାରେ ବସିଛନ୍ତି । ସରକାରୀ ହସ୍ପିଟାଲଗୁଡ଼ିକ ସେହି ଔଷଧ ଯୋଗାଉ ନାହାନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି । ଏପରିକି ନିଜର ଦାବି ନେଇ ଗତକାଲି ସ୍ୱାସ୍ଥ୍ୟ ସଚିବଙ୍କ ସହ ବୈଠକରେ କୌଣସି ନିର୍ଯ୍ୟାସ ନବାହାରିବାରୁ କିଡନୀ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଧାରଣା ଜାରି ରଖିଥିଲେ । ପୂର୍ବରୁ ସେମାନେ ମଧ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଅବଗତ କରିଥିଲେ ମଧ୍ୟ ସରକାରୀ ଡାକ୍ତରମାନେ ଦେଉଥିବା ମେଡିସିନ୍ ଖାଇବା ଓ ଯଦି କୌଣସି ସମସ୍ୟା ଦେଖାଦିଏ, ତାଙ୍କୁ ଜଣାଇବାକୁ ମନ୍ତ୍ରୀ କହିଥିବା ଧାରଣାରତ କିଡନୀ ରୋଗୀମାନେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ସରକାରୀ ଡାକ୍ତରମାନେ କଳାତାଲିକାଭୁକ୍ତ ହୋଇଥିବା ମେଡିସିନ୍ ଖାଇବାକୁ କହୁଛନ୍ତି ବୋଲି ଧାରଣାରତ କିଡନୀ ରୋଗୀ ଓ ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି । ସେହି ମେଡିସିନ୍ ଖାଇବା ଯୋଗୁ ୨୫ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୧୮ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ଖରାପ ହୋଇପଡ଼ିଛି ବୋଲି ସେମାନେ ଅଭିଯୋଗ କରିଛନ୍ତି ।

Related story