କୋଠା ଦେଖିଲେ ପେଟ ପୁରିବନି, କୋଟିଆବାସୀ ଚାହାନ୍ତି ରୋଜଗାର

 

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା) : କୋଟିଆରେ ବାରମ୍ବାର ଆନ୍ଧ୍ରର ଅନୁପ୍ରବେଶ ପରେ ଏହା ଉପରେ ଓଡ଼ିଶା ସରକାରଙ୍କ ଶୁଭଦୃଷ୍ଟି ପଡିଥିଲା। ବିକାଶର ଛାଇ ଦେଖି ନ ଥିବା ଏହି ବିବାଦୀୟ ଅଂଚଳର ବିକାଶ ପାଇଁ ଟଙ୍କା ଅଜାଡି ଦେଇଥିଲେ ରାଜ୍ୟ ସରକାର। ୧୫୦ କୋଟି ଟଙ୍କାର ପ୍ୟାକେଜ ଦେଇ ଆରମ୍ଭ କରିଥିଲେ ଉନ୍ନୟନମୂଳକ କାମ। ଏହି ପାହାଡ ଖେରା ଆବିଦାସୀ ବହୁଳ ଅଂଚଳରେ ଏବେ ରାସ୍ତାଠୁ, ଥାନା, ଡାକ୍ତରଖାନା, କ୍ଲଷ୍ଟର କୋଠା ଆଦି ନିର୍ମାଣ ଚାଲିଛି। ଭିତ୍ତିଭୂମି ବିକାଶ ପାଇଁ ରାଜ୍ୟ ସରକାରଙ୍କ ଏହି ବ୍ୟାପକ ଯୋଜନାରେ କିନ୍ତୁ କୋଟିଆବାସୀଙ୍କ ପେଟ ପୁରୁନି। ବରଂ, ସେମାନଙ୍କ ଜୀବନଜୀବିକା ପାଇଁ ସରକାର କୌଣସି ଠୋସ ପଦକ୍ଷେପ ନେଇ ନ ଥିବାରୁ ମନ ଭିତରେ ଅସନ୍ତୋଷ ଦାନା ବାନ୍ଧିଛି। ଏପରିକି ଏଥିନେଇ ସରକାର ଏବେଠାରୁ ଧ୍ୟାନ ନ ଦଲେ ଆଗକୁ ସ୍ଥିତି ବିଗିଡିବାର ବି ଆଶଙ୍କା ରହିଛି।

କୋରାପୁଟ ଜିଲ୍ଳା ପଟାଙ୍ଗୀ ବ୍ଲକ କୋଟିଆ ଗ୍ରାମ ପଞ୍ଚାୟତର ୨୧ଟି ଗାଁ ଓ ୭ଟି ପଡାକୁ ନେଇ ଓଡ଼ିଶା ଓ ଆନ୍ଧ୍ର ଭିତରେ ଦୀର୍ଘଦିନ ହେଲା ବିବାଦ ଲାଗି ରହିଛି। ୧୯୬୮ରୁ ଚାଲିଥିବା ଏହି ବିବାଦ ନେଇ ଅଦାଲତକୁ କଥା ଯାଇଥିଲାବେଳେ ସ୍ଥିତାବସ୍ଥା ବଜାୟ ରଖିବାକୁ ଅଦାଲତ କହିଛନ୍ତି। ଏପଟେ ଗତ ୨୦୧୮ ଜାନୁଆରୀରେ ଆନ୍ଧ୍ର ଏହି ବିବାଦୀୟ କୋଟିଆ ଅଂଚଳରେ ଅନୁପ୍ରବେଶ କରି ଭତ୍ତା ଓ ଅନ୍ୟାନ୍ୟ ସହାୟତା ବାଣ୍ଟିବା ପରେ ଚିହିଁକି ଉଠିଥିଲେ ଓଡ଼ିଶା ସରକାର। ଏହି ଅଂଚଳରେ ବିକାଶ ପାଇଁ ଓଡ଼ିଶା ସରକାର ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବା ସହ ପ୍ରାୟ ୧୫୦ କୋଟି ଟଙ୍କାର ପ୍ୟାକେଜ ଦେଇଥିଲେ। ଏହି ଟଙ୍କାରେ ଏବେ କୋଟିଆରେ ଉନ୍ନୟନମୂଳକ କାମ ଚାଲିଛି। ଥୁରିଆଠାରୁ କୋଟିଆ ପର୍ଯ୍ୟନ୍ତ ଚଉଡା ପିଚୁ ରାସ୍ତା କାମ ଶେଷ ହୋଇଥିଲାବେଳେ ବିଭିନ୍ନ ଗାଁକୁ ରାସ୍ତା କାମ ଚାଲିଛି। କୋଟିଆରେ ୩ ମହଲା ଥାନା ନିର୍ମାଣ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କ୍ଲଷ୍ଟର କୋଠା ଓ ଡାକ୍ତରଖାନା ନିର୍ମାଣ ମଧ୍ୟ ଶେଷ ହୋଇଛି। କୋଟିଆରେ ଠିଆ ହେଲେ ବିକାଶର ଚିତ୍ର ସ୍ପଷ୍ଟ ଦେଖା ଯାଉଛି। କିନ୍ତୁ କୋଟିଆବାସୀ ଏହାକୁ ନେଇ ବେଶୀ ଖୁସି ହୋଇ ପାରୁ ନାହାନ୍ତି। କାରଣ ସେମାନଙ୍କ ଜୀବନଜୀବିକାର ଉନ୍ନତି ପାଇଁ କୌଣସି ବଡ ପଦକ୍ଷେପ ନିଆଯାଇନି। ଆଗରୁ ଯେମିତି ଚଳୁଥିଲେ, ଏବେ ମଧ୍ୟ ସେମିତି। ବାହାରକୁ ଯାଇ କୁଲି କାମ କଲେ ଚୁଲି ଚଳୁଛି। କୋଟିଆରେ ବ୍ୟାପକ ସୁଯୋଗ ଥିବା ସତ୍ତ୍ୱେ ଏ ଦିଗରେ ପ୍ରଶାସନ ଧ୍ୟାନ ଦେଇ ନ ଥିବାରୁ ଲୋକଙ୍କ ଭିତରେ ଅସନ୍ତୋଷ ବଢୁଛି।

କୋଟିଆ ଅଂଚଳରେ ଚାଷ ପାଇଁ ବ୍ୟାପକ ସୁଯୋଗ ରହିଛି। ଝରଣାରୁ ଅନବରତ ପାଣି ଆସୁଥିବାରୁ ଏହାକୁ ଚାଷ କାର୍ଯ୍ୟରେ ବ୍ୟବହାର କରାଯାଇପାରିବ। ଏହି ଝରଣା ପାଣିକୁ ବନ୍ଧ କରି ସଂରକ୍ଷିତ କରି ରଖିବାକୁ ଅଂଚଳବାସୀ ମଧ୍ୟ ବହୁତ ବାର ଅନୁରୋଧ କଲେଣି। ବନ୍ଧରେ ପାଣି ରହିଲେ, ଏହାକୁ ଚାଷ କାମରେ ବ୍ୟବହାର କରାଯାଇପାରିବ। ଏହି ଅଂଚଳରେ ଅଦା, ହଳଦୀ ସହ ପନିପରିବା ଚାଷ ହୋଇପାରିବ ବୋଲି ଲୋକମାନେ କହିଛନ୍ତି। କଫି ଚାଷ ପାଇଁ ମଧ୍ୟ ସୁଯୋଗ ରହିଛି। କିନ୍ତୁ ପାଣିକୁ ଗଛିତ ରଖିବା ପାଇଁ କୌଣସି ପଦକ୍ଷେପ ନିଆଯାଇ ନ ଥିବାରୁ ଏହା ଚାଷ କାମରେ ନ ଲାଗି ନଷ୍ଟ ହେଉଛି। ଏପଟେ ପର୍ଯ୍ୟଟନ ପାଇଁ ମଧ୍ୟ ବେଶ ସୁଯୋଗ ରହିଛି ଏହି ଅଂଚଳରେ। କୋଟିଆ ପଞ୍ଚାୟତ ଅଧୀନରେ ଦେଓମାଳି ରହିଥିଲାବେଳେ ଏହାର ପରିଚାଳନା ପାଇଁ ସ୍ଥାନୀୟ ଲୋକଙ୍କୁ ସୁଯୋଗ ଦେବାକୁ ଦାବି ଉଠିଛି। କେବଳ ଦେଓମାଳି ନୁହଁ, ପର୍ଯ୍ୟଟନ କ୍ଷେତ୍ରରେ ଭିତ୍ତିଭୂମି ବିକାଶ କରାଗଲେ ଲୋକେ ଜୀବନଜୀବିକା ପାଇ ପାରିବେ ବୋଲି କୋଟିବାସି ରଂଜିତ ପାଙ୍ଗୀ କହିଛନ୍ତି। ତାଙ୍କ କହିବାନୁଯାୟୀ, ଖାଲି ରାସ୍ତାଘାଟ କି କୋଠା କରିଦେଲେ ଲୋକଙ୍କ ପେଟ ପୁରିବନି। ଲୋକେ କେମିତି ରୋଜଗାର ପାଇବେ, ସମ୍ମାନର ସହ ଜୀବନ ଜିଇଁ ପାରିବେ ତାକୁ ଗୁରୁତ୍ୱ ଦେବା ଆବଶ୍ୟକ। ଚାଷ ପାଇଁ ଚେକଡ୍ୟାମ, ପୋଖରୀ ଆଦି ହେଲେ ଲୋକମାନଙ୍କର ସୁବିଧା ହେବ। ଲୋକେ ମାଛ ଚାଷ ମଧ୍ୟ କରିପାରିବେ। ଗାଇ, ଛେଳି, କୁକୁଡ ଚାଷ ପାଇଁ ମଧ୍ୟ ଲୋକଙ୍କୁ ପ୍ରୋତ୍ସାହନ ଦେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

କୋଟିଆ ଜଙ୍ଗଲରେ  ଶିଆଳି ପତ୍ର ଓ ଫୁଲଝାଡୁ ର ଗଛ ଭରି ହୋଇଛି  । ମହିଳା ମାନେ ଶିଆଳି ପତ୍ର ଓ ଝାଡୁକୁ ଅତି କମ ଦାମ୍ ରେ ବ୍ୟବସାୟୀଙ୍କ ହାତରେ ବିକ୍ରି କରିଦେଉଛନ୍ତି। ଏହି ସମସ୍ୟାକୁ ଅନୁଭବ କରି ଓରମାସ  ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ କୋଟିଆ ଅଂଚଳର ଆଦିବାସୀ ମହିଳାଙ୍କୁ  ଉତ୍ପାଦକ ଦଳ ଭାବେ ଏକାଠି କରି ଶିଆଳି ପତ୍ରରେ ଗ୍ରାହକଙ୍କ ଉପଯୋଗୀ ଖଲିପତ୍ର ପ୍ରସ୍ତୁତ କରାଯାଇପାରନ୍ତା। ସେହିପରି ଝାଡୁକୁ ପ୍ଲାଷ୍ଟିକ ଦୌଡିରେ ବାନ୍ଧି ତାର ମାନ ବୃଦ୍ଧି କରିବା ସହ ମେସିନ ଯୋଗେ ଖଲି ସିଲେଇ ତାଲିମ ଦିଆଗଲେ କୋଟିୟାର ମହିଳାମାନେ ଆହୁରି ବିକଶିତ ହୋଇପାରି ଥାନ୍ତା ବୋଲି କାପୋକର କର୍ମଚାରୀ କହିଛନ୍ତି ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।