ମହିଳାଙ୍କୁ ବ୍ୟବହାର କରି ପ୍ରଯୋଜକଙ୍କୁ ବ୍ଲାକମେଲ୍, ହାତେଇଥିଲେ ଅନ୍ତରଙ୍ଗ ମୁହୂର୍ତ୍ତର ନଗ୍ନ ଫଟୋ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାୟାବିନୀ ଅର୍ଚ୍ଚନା ନାଗ ଜଣେ ମହିଳାଙ୍କୁ ବ୍ୟବହାର କରି ଜନୈକ ଫିଲ୍ମ ପ୍ରଯୋଜକଙ୍କୁ ବ୍ଲାକ୍ ମେଲ କରୁଥିଲେ। ଫିଲ୍ମ ପ୍ରଯୋଜକଙ୍କ ସହ ମହିଳାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ନଗ୍ନ ଫଟୋ ଓ ଭିଡିଓକୁ ହାତେଇବା ପରେ ଏହାକୁ ବ୍ୟବାହାର କରି ଟଙ୍କା ଆଦାୟ କରୁଥିଲେ। ଟଙ୍କା ନ ଦେଲେ ବିଭିନ୍ନ ପ୍ରକାର ଧମକ ଚମକ ଦେଉଥିଲେ। ସମ୍ପୃକ୍ତ ଅଭିଯୋଗକାରୀ ମହିଳାଙ୍କ ଏତଲା ଆଧାରରେ ଅର୍ଚ୍ଚନାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଆଜି ଏନେଇ ସୂଚନା […]

lady

  • Published: Sunday, 09 October 2022
  • , Updated: 09 October 2022, 10:50 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାୟାବିନୀ ଅର୍ଚ୍ଚନା ନାଗ ଜଣେ ମହିଳାଙ୍କୁ ବ୍ୟବହାର କରି ଜନୈକ ଫିଲ୍ମ ପ୍ରଯୋଜକଙ୍କୁ ବ୍ଲାକ୍ ମେଲ କରୁଥିଲେ। ଫିଲ୍ମ ପ୍ରଯୋଜକଙ୍କ ସହ ମହିଳାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ନଗ୍ନ ଫଟୋ ଓ ଭିଡିଓକୁ ହାତେଇବା ପରେ ଏହାକୁ ବ୍ୟବାହାର କରି ଟଙ୍କା ଆଦାୟ କରୁଥିଲେ। ଟଙ୍କା ନ ଦେଲେ ବିଭିନ୍ନ ପ୍ରକାର ଧମକ ଚମକ ଦେଉଥିଲେ। ସମ୍ପୃକ୍ତ ଅଭିଯୋଗକାରୀ ମହିଳାଙ୍କ ଏତଲା ଆଧାରରେ ଅର୍ଚ୍ଚନାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଆଜି ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ୍‌ ସିଂହ।

ସେ ଗଣମାଧ୍ୟମକୁ କହିଛନ୍ତି, ୨ ଅକ୍ଟୋବରରେ ଜଣେ ମହିଳା ପୁଲିସର ଦ୍ୱାରସ୍ଥ ହୋଇଥିଲେ। ସେ ଅର୍ଚ୍ଚନାଙ୍କ ବିରୋଧରେ ଏତଲା ଦେଇଥିଲେ। ଯେଉଁଥିରେ ଜଣାଇଥିଲେ ଯେ, ତାଙ୍କ ସହ ଅର୍ଚ୍ଚନା ବନ୍ଧୁତା ଜରିଆରେ ଘନିଷ୍ଠତା ବଢ଼ାଇବା ପରେ କିଛି ନଗ୍ନ ଫଟୋ ହାତେଇ ନେଇଥିଲେ। ଏହା ଜରିଆରେ ତାଙ୍କୁ ସେ ବ୍ଲାକ୍ ମେଲ କରିଥିଲେ। ବଡ଼ବଡ଼ିଆ ଫିଲ୍ମ ପ୍ରଯୋଜକଙ୍କୁ ଯୋଜନାବଦ୍ଧ ଭାବେ ଫସାଇବା ପରେ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡ଼ିଓ ଆଣି ଦେବାକୁ କହୁଥିଲେ। ଏହା ପାଇବା ପରେ ଅର୍ଚ୍ଚନା ଏହା ଜରିଆରେ ବ୍ଲାକ୍ ମେଲ କରି ଟଙ୍କା ମାଗୁଥିଲେ। ଏଭଳି କରିବାକୁ ମନା କଲେ ବିଭିନ୍ନ ପ୍ରକାର ଡର, ଭୟ ଦେଖାଉଥିଲେ। ପୂରା ଯୋଜନାବଦ୍ଧ ଭାବେ ବ୍ଲାକମେଲ କରାଯାଉଥିଲା।

ମହିଳାଙ୍କ ଅଭିଯୋଗ ଆଧାରରେ ଖଣ୍ଡଗିରି ଥାନାରେ ୪୯୬/୨୨ରେ ମାମଲା କରାଯାଇ ତଦନ୍ତ ଆରମ୍ଭ ହୋଇଛି। ଅର୍ଚ୍ଚନାଙ୍କୁ ଗିରଫ କରାଯିବା ପରେ ତାଙ୍କ ଘରକୁ ପୁଲିସ ଯାଇ ମୋବାଇଲ, ଟାବ୍‌ଲେଟ, ଲାପଟପ, ପେନ୍‌ଡ୍ରାଇଭ ପ୍ରଭୃତି ସମସ୍ତ ପ୍ରକାର ବୈଦ୍ୟୁତିକ ଯନ୍ତ୍ରପାତି ଜବତ କରି ଆଣିଛି। ଏହାକୁ ଯାଞ୍ଚ କରାଯାଉଛି। ତାଙ୍କ ପାସ୍ ବୁକ୍ ଓ ଅନ୍ୟାନ୍ୟ ଦସ୍ତାବିଜ୍ ଜବତ କରାଯାଇଛି। ତାଙ୍କୁ ପଚରାଉଚରା ପାଇଁ ରିମାଣ୍ଡରେ ଅଣାଯିବ। ତାଙ୍କ ବ୍ୟାଙ୍କ ଓ ସମ୍ପତ୍ତିର ଯାଞ୍ଚ କରାଯିବ। ବ୍ୟାଙ୍କ କାରବାର, ଫିକ୍ସ ଡିପୋଜିଟ୍ ପ୍ରଭୃତି ବାବଦରେ ତଥ୍ୟ ଦେବାକୁ ଆରବିଆଇକୁ ଚିଠି କରାଯାଇଛି। ତାଙ୍କ ନାମରେ କମ୍ପାନୀ ରହିଛି ନା ନାହିଁ, ଥିଲେ ଏ ବାବଦରେ ତଥ୍ୟ ଦେବାକୁ ରେଜିଷ୍ଟର ଅଫ୍ କମର୍ସକୁ ଚିଠି କରାଯାଇଛି। ଜମିଜମା ତଥ୍ୟ ଜାଣିବାକୁ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହାୟତା ଲୋଡ଼ା ଯାଇଛି। ତାଙ୍କ ସ୍ୱାମୀଙ୍କୁ ମଧ୍ୟ ହାଜର ହେବାକୁ ନୋଟିସ୍ କରାଯାଇଛି। ତାଙ୍କ ବିରୋଧରେ ୩୮୭, ୪୨୦, ୫୦୬ ଓ IT ଆକ୍ଟରେ ମାମଲା ରୁଜୁ ହୋଇଛି । ଖଣ୍ଡଗିରି ଥାନା ଆଇଆଇସି ନିଜେ ଘଟଣାର ତଦନ୍ତ କରୁଛନ୍ତି।

ଏହି ଘଟଣାକୁ ନେଇ ଅର୍ଚ୍ଚନାଙ୍କ ନାମରେ ୨ଟି ମାମଲା କରାଯାଇଛି। ଗୋଟିଏ ଖଣ୍ଡଗିରି ଓ ଅନ୍ୟଟି ନୟାପଲ୍ଲୀ ଥାନାରେ ରହିଛି। ତାଙ୍କ ସହ ଏହି ମାମଲାରେ ଅନ୍ୟ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ ଧରିବାକୁ ଚେଷ୍ଟା କରାଯାଉଛି ବୋଲି ଡିସିପି କହିଛନ୍ତି। ତେବେ ଅଭିଯୋଗକାରୀ ମହିଳା କିମ୍ବା ପରଦା ପଛରେ ଥିବା ଫିଲ୍ମ ପ୍ରଯୋଜକଙ୍କ ନାଁ ଗଣମାଧ୍ୟମ ଆଗରେ ଡିସିପି ସ୍ପଷ୍ଟ କରିନାହାନ୍ତି।

ସେପଟେ, ରହସ୍ୟମୟୀ ଅର୍ଚ୍ଚନାଙ୍କ ସହ ବଡ଼ବଡ଼ିଆଙ୍କ ଲିଙ୍କ୍ ପଦାକୁ ଆସିବା ପରେ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ। କେଉଁ ଦଳର କେଉଁ ରାଜନେତା ଘଟଣାରେ ସଂପୃକ୍ତ ଅଛନ୍ତି ଏବଂ କେଉଁ IAS, IPS ଏଥିରେ ସଂପୃକ୍ତ ଅନୁସନ୍ଧାନ କରି କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସେ ଦାବି କରିଛନ୍ତି।

ଅନ୍ୟପଟେ ଅର୍ଚ୍ଚନାଙ୍କ ସ୍ୱାମୀଙ୍କ ସହ ନିଜ ଫଟୋ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା। ସେ କହିଛନ୍ତି, ସେ କିଏ, କଣ; ମୁଁ ଦେଖିନି କି ଜାଣିନି, କହିବି କ’ଣ ? କିଏ, କେଉଁଠି, କେମିତି ଫଟୋ ଉଠାଇଛି ତାହାବି ଜାଣନି ବୋଲି ଶ୍ରୀ ସାରକା କହିଛନ୍ତି।

ତେବେ ଏହି ମାମଲାରେ ବିଜେପି ନେତା ବାବୁ ସିଂହ ବିସ୍ଫୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଲେଡି ବ୍ଲାକମେଲରଙ୍କ ଘରକୁ ଯାଇଥିଲେ ବିଜେଡିର ୨୫ ନେତା ଓ ମନ୍ତ୍ରୀ। ଅନେକ ବଡ଼ବଡ଼ିଆ ଏହି ମାମଲାରେ ସଂଶ୍ଲିଷ୍ଟ ଅଛନ୍ତି। ଏହି ଘଟଣାରେ ପୁଲିସର ନିରବତାକୁ ନେଇ ସାଧାରଣ ଲୋକ ପ୍ରଶ୍ନ କରୁଛନ୍ତି। ଏତେ କମ୍ ସମୟରେ ସେ କେମିତି କୋଟିପତି ହେଲେ ପୁଲିସ ତାହାକୁ ସାମ୍ନାକୁ ଆଣୁ। ପୁଲିସ ଚାପରେ ନ ରହି ତଦନ୍ତ କରୁ ବୋଲି ଶ୍ରୀ ସିଂହ ଦାବି କହିଛନ୍ତି।

ପୁଲିସ୍‌ ସୂଚନା ଅନୁସାରେ ଅର୍ଚ୍ଚନା ନାଗ ଓ ତାଙ୍କ ଫେରାର୍‌ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଭୁବନେଶ୍ୱରର ସତ୍ୟବିହାର ଅଂଚଳରେ ୨୦୨୧ ଜାନୁଆରୀ ମାସରେ ଏକ ଆଲିଶାନ୍ ଘରର ପ୍ରତିଷ୍ଠା ଉତ୍ସବ ପାଳନ କରିଥିଲେ । ତତ୍କାଳୀନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏହି ପ୍ରତିଷ୍ଠା ଉତ୍ସବରେ ସାମିଲ ହୋଇ ଫିତା କାଟିଥିବା ଫଟୋ ପଦାକୁ ଆସିଛି । କେବଳ ସେତିକି ନୁହେଁ, ଜଗବନ୍ଧୁ ଓ ତାଙ୍କ ପତ୍ନୀ ଅର୍ଚ୍ଚନାଙ୍କ ସହ ବିଜେଡିର ଅନେକ ବରିଷ୍ଠ ବିଧାୟକଙ୍କ ଘନିଷ୍ଠତା ରହିଥିଲା । ସୂର୍ଯ୍ୟ ପାତ୍ର ବାଚସ୍ପତି ଥିବାବେଳେ ବିଧାନସଭା ବାଚସ୍ପତିଙ୍କ ଚାମ୍ବରକୁ ମଧ୍ୟ ଏହି ପତି-ପତ୍ନୀ ଯାଇଥିବାର ଫଟୋଚିତ୍ର ସୋସିଆଲ ମିଡିଆରେ ଘୁରି ବୁଲୁଛି ।

Related story