ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ: ୫ ଓଏଏସଙ୍କୁ ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ବିଭିନ୍ନ ରେଳ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନିମନ୍ତେ ରାଜ୍ୟ ସରକାର ଆଜି ୫ ଜଣ ଓଏଏସ ଅଫିସରଙ୍କୁ ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ ଭାବେ ନିଯୁକ୍ତି ଦେଇଛନ୍ତି । ସମସ୍ତ ଅଫିସରଙ୍କୁ ତତ୍କାଳ ପ୍ରଭାବରୁ ଦାୟିତ୍ୱ ତୁଲାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଆଠଗଡ଼ ତହସିଲଦାର ତପନ କୁମାର ଖୁଣ୍ଟିଆଙ୍କୁ ତାଳଚେର-ସମ୍ବଲପୁର ରେଳ ପ୍ରକଳ୍ପର ଦୋହରୀକରଣ […]

Railway Track

Ordigital Desk
  • Published: Tuesday, 28 September 2021
  • , Updated: 28 September 2021, 09:37 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ବିଭିନ୍ନ ରେଳ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନିମନ୍ତେ ରାଜ୍ୟ ସରକାର ଆଜି ୫ ଜଣ ଓଏଏସ ଅଫିସରଙ୍କୁ ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ ଭାବେ ନିଯୁକ୍ତି ଦେଇଛନ୍ତି । ସମସ୍ତ ଅଫିସରଙ୍କୁ ତତ୍କାଳ ପ୍ରଭାବରୁ ଦାୟିତ୍ୱ ତୁଲାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।

ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଆଠଗଡ଼ ତହସିଲଦାର ତପନ କୁମାର ଖୁଣ୍ଟିଆଙ୍କୁ ତାଳଚେର-ସମ୍ବଲପୁର ରେଳ ପ୍ରକଳ୍ପର ଦୋହରୀକରଣ ପାଇଁ ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ ଭାବେ ସମ୍ବଲପୁରକୁ ବଦଳି କରାଯାଇଛି। ସେ ସମ୍ବଲପୁର-ଟିଟିଲାଗଡ଼ ରେଳ ପ୍ରକଳ୍ପର ଦୋହରୀକରଣ ପାଇଁ ମଧ୍ୟ ଜମି ଅଧିଗ୍ରହଣ ଅଧିକାରୀ ଭାବେ କାର୍ଯ୍ୟ କରିବେ। ସେହିପରି ଖୋର୍ଦ୍ଧା ତହସିଲଦାର ପଦ୍ମଚରଣ ସାହୁଙ୍କୁ ହରିଦାସପୁର-ପାରାଦୀପ ରେଳ ପ୍ରକଳ୍ପ ନିମନ୍ତେ ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ ଭାବେ କେନ୍ଦ୍ରାପଡ଼ା ବଦଳି କରାଯାଇଛି। ତାଙ୍କୁ ମଧ୍ୟ ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ରେଳଲାଇନ୍ ଏବଂ ଶାଳଗାଁ-ବୁଢ଼ାପଙ୍କ ତୃତୀୟ ଓ ଚତୁର୍ଥ ରେଳଲାଇନ ପ୍ରକଳ୍ପ ନିମନ୍ତେ ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ ଭାବେ ଅବସ୍ଥାପିତ କରାଯାଇଛି। ଆଠଗଡ଼ ଅତିରିକ୍ତ ତହସିଲଦାର ସୁଧାଂଶୁ ଶେଖର ସାଓଙ୍କୁ ତାଳଚେର-ସମ୍ବଲପୁର ରେଳପ୍ରକଳ୍ପର ଦୋହରୀକରଣ ପାଇଁ ଜମି ଅଧିଗ୍ରହଣ ନିମନ୍ତେ ଜୋନ୍ ଅଫିସର ଭାବେ ଅନୁଗୁଳ ବଦଳି କରାଯାଇଛି। ସେ ମଧ୍ୟ ବୁଢ଼ାପଙ୍କ-ଝାରପଡ଼ା ତୃତୀୟ ଓ ଚତୁର୍ଥ ରେଳ ଲାଇନ୍ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟର ତଦାରଖ କରିବେ।

ସେହିପରି ସୋନପୁର ଡେପୁଟି ଜିଲ୍ଲାପାଳ ମୁକ୍ତେଶ୍ୱର ପାଣିଗ୍ରାହୀଙ୍କୁ ଲାଞ୍ଜିଗଡ଼ ରୋଡ୍‌-ଜୁନାଗଡ଼ ନୂଆ ରେଳଲାଇନ୍ ପ୍ରକଳ୍ପର ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଫିସର ଭାବେ ଭବାନୀପାଟଣା ବଦଳି କରାଯାଇଛି। ତାଙ୍କୁ ବିଜୟନଗରମ୍‌-ଟିଟିଲାଗଡ଼ ତୃତୀୟ ରେଳଲାଇନ୍ ପ୍ରକଳ୍ପର ଜମି ଅଧିଗ୍ରହଣ ଅଧିକାରୀ ଭାବେ ଦାୟିତ୍ୱ ନ୍ୟସ୍ତ ହୋଇଛି। ସେହିପରି ଜଗତସିଂହପୁର ଡେପୁଟି ଜିଲ୍ଲାପାଳ ଅଜୟ କୁମାର ମହାନ୍ତିଙ୍କୁ ଜୟପୁର-ନବରଙ୍ଗପୁର ଏବଂ ଜୟପୁର-ମାଲକାନଗିରି ନୂଆ ରେଳଲାଇନ୍ ପ୍ରକଳ୍ପର ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଫିସର ଭାବେ ଜୟପୁର ବଦଳି କରାଯାଇଛି।

Related story