ଭୁବନେଶ୍ବର, (ସଂଦୀପ ନାୟକ ଓ ଲକ୍ଷ୍ମୀନାରାୟଣ କାନୁନ୍ଗୋ): ପ୍ଲାଂଟ ପାଇଁ ବାଆଁରାରେ ଦିଆଯାଇଛି ଶସ୍ତାରେ ଜମି! ଶିଳ୍ପ ବସାଇବା ପାଇଁ ଶାଗମାଛରେ ଦିଆଯାଉଛି ସରକାରୀ ଜମି। ରାଜସ୍ବ ବିଭାଗର ବେଞ୍ଚ ମାର୍କ ଭାଲ୍ୟୁଠାରୁ ବି କମୁଛି ଜମି ମୂଲ୍ୟ। ଶିଳ୍ପ ନୀତି ନାଁରେ ଅତି ଶସ୍ତାରେ ଦିଆଯାଉଛି ସରକାରୀ ଜମି। ଜମି ସହ ଶସ୍ତାରେ ବିଜୁଳି, ଋଣ ପାଇଁ ସୁଧରେ ବି ରିହାତି। ନିଯୁକ୍ତି ଦୃଷ୍ଟିରୁ କେତେ ଲାଭ ପାଉଛନ୍ତି ରାଜ୍ୟବାସୀ? କାହାକୁ ମିଳୁଛି ସହଜରେ ସରକାରୀ ଜମି ଓ ଅନ୍ୟ ରିହାତି?
କଟକ ଜିଲ୍ଲା ବାଙ୍କି ଡମପଡ଼ା ତହସିଲର ବାଆଁରା ପଂଚାୟତ। ଇଥାନଲ ପ୍ଲାଣ୍ଟ ବସିବାକୁ ବିରୋଧ କରୁଛନ୍ତି ସ୍ଥାନୀୟ ଲୋକେ।
ଚନ୍ଦକା ଡମପଡ଼ା ଜଙ୍ଗଲର ପ୍ରାୟ ୨ କିମି ଦୂରରେ ରହିଛି ଅନୁମୋଦନ ପାଇଥିବା ପ୍ଲାଣ୍ଟ ସାଇଟ୍। ଆଖୁ ରସରୁ ଦିନକୁ ୧୨୫ କିଲୋ ଲିଟର ଇଥାନଲ ପ୍ରସ୍ତୁତ ସହ ୪ ମେଗାଓ୍ବାଟର ଏକ ପାଓ୍ବାର ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଅନୁମତି ଦିଆଯାଇଛି। ପେଟ୍ରାଲ ସହ ଇଥାନଲ ମିଶି ଇନ୍ଦନ ତିଆରି ହୋଇପାରିବ। ଇଥାନଲ ପ୍ଲାଣ୍ଟ ବସିବା ପାଇଁ ୨୦୨୧ରେ ରାଜ୍ୟ ସ୍ତରୀୟ ସିଙ୍ଗଲ ଓ୍ବିଣ୍ଡୋ କମିଟି ଅନୁମୋଦନ ଦେବା ପରେ ଇଡକୋ ୨୫.୬ ଏକର ଜମି ଦେଇଛି। ଏଠାରେ ଏକର ପ୍ରତି ବଜାର ଜମି ମୂଲ୍ୟ ପ୍ରାୟ ଅଢ଼େଇ କୋଟି ଥିଲା ବେଳେ ଇଡକୋ ଜମି ଦେଇଛି ମାତ୍ର ୨ ଲକ୍ଷ ୩୦ ହଜାର ଟଙ୍କାରେ। ମାତ୍ର ୬୭.୨୧ ଲକ୍ଷ ଟଙ୍କାରେ ୯୦ ବର୍ଷ ଲିଜରେ ଜମି ପାଇଛି ପ୍ଲାଂଟ ପ୍ରତିଷ୍ଠା କରୁଥିବା ସଂସ୍ଥା ଦିଲ୍ଲୀର କଟକ ଆଗ୍ରିଭେଟ ପ୍ରାଇଭେଟ ଲିମିଟେଡ।
ବାଆଁରାର ବାସିନ୍ଦା ସସ୍ମିତା ବେହେରା ଓ ପ୍ରତାପ କୁମାର ବେଉରା ପ୍ରମୁଖ କୁହନ୍ତି, ଏହି ପ୍ଲାଂଟ ପରିବେଶକୁ ପ୍ରଦୂଷିତ କରିବ ତେଣୁ ଆମେ ଏହାକୁ ବିରୋଧ କରୁଛୁ। ବାଙ୍କିର ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ ମଧ୍ୟ ସ୍ଥାନୀୟ ନଭେମ୍ବର ୧୦ରେ କରିଥିବା ହରତାଳରେ ସାମିଲ ହୋଇ ପରିବେଶ ଦୃଷ୍ଟିରୁ ପ୍ଲାଂଟ ଅନୁକୂଳ ହେବ ନାହିଁ ବୋଲି କହିଛନ୍ତି।
ବାଆଁରା ଗ୍ରାମାଂଚଳରେ ଏକର ପ୍ରତି ଜମିର ମୂଲ୍ୟ ପ୍ରାୟ ଅଢ଼େଇ କୋଟି ପର୍ଯ୍ୟନ୍ତ ରହିଛି। ରାଜସ୍ବ ବିଭାଗର ଆଇଜିଆର ଓ୍ବେବସାଇଟରେ ବି ଏ ଅଚଂଳରେ ଜମି ମୂଲ୍ୟ ଏକର ପ୍ରତି ୧୪.୩ ଲକ୍ଷରୁ ଆରମ୍ଭ କରି ୬୬ ଲକ୍ଷ ପର୍ଯ୍ୟନ୍ତ ରହିଛି। ଇଡକୋର ଲ୍ୟାଣ୍ଡ ରେଟ ବି ଦେଖନ୍ତୁ। କଟକ ଜିଲ୍ଲାରେ ବିଭିନ୍ନ ଶିଳ୍ପାଂଚଳରେ ରହିଥିବା ଲ୍ୟାଣ୍ଡ୍ ବ୍ୟାଙ୍କ ଜମିର ମୂଲ୍ୟ ମଧ୍ୟ ଅତି କମରେ ଦଶ ଲକ୍ଷରୁ ଆରମ୍ଭ କରି ୭୫ ଲକ୍ଷ ପର୍ଯ୍ୟନ୍ତ ରହିଛି। ମାତ୍ର ୨୦୧୫ର ଶିଳ୍ପନୀତିରେ ବାଙ୍କି ଗ୍ରାମାଞ୍ଚଳରେ ଏକର ପ୍ରତି ଜମିର ଲିଜ ମୂଲ୍ୟ ମାତ୍ର ୨ ଲକ୍ଷ ଟଙ୍କା ରଖାଯାଇଛି। ଏବେ ପ୍ରଶ୍ନ ଉଠୁଛି ଏତେ ଶସ୍ତାରେ ଜମି ଲିଜ ପାଇବା ସହ ବିଜୁଳି, ଋଣ ଓ ସୁଧରେ ରିହାତି ପାଉଥିବା ଏଭଳି ଶିଳ୍ପ ସଂସ୍ଥା ଦ୍ବାରା ରାଜ୍ୟବାସୀ କେତେ ଉପକୃତ ହେଉଛନ୍ତି?
ବରିଷ୍ଠ ସାମ୍ବାଦିକ ରବି ଦାସ କୁହନ୍ତି, ଏହା ଦ୍ବାରା ଲୋକଙ୍କର କେତେ ଲାଭ ହେଉଛି ତାର ନିୟମିତ ସମୀକ୍ଷା ହେଉନାହିଁ। କେବଳ ଯୋଗାଯୋଗ ଥିବା ଲୋକ ଶିଳ୍ପ ପ୍ରତିଷ୍ଠା କରିପାରୁଛନ୍ତି। ପୂର୍ବତନ ସାଂସଦ ବାଳଗୋପାଳ ମିଶ୍ର କୁହନ୍ତି, ଏହି ଶିଳ୍ପ ନୀତି ଶିଳ୍ପ ପାଇଁ ନୁହେଁ, ଶିଳ୍ପପତିଙ୍କ ସ୍ବାର୍ଥ ପାଇଁ ହେଉଛି। ପରେ ଅନେକ ଶିଳ୍ପ ବନ୍ଦ ହେବା ଓ ରିୟଲ ଇଷ୍ଟେଟ ଭାବେ ବିକ୍ରି ହେବା ବି ଦେଖାଯାଇଛି।
୨୦୧୬ ଓ ୨୦୧୮ରେ ଦୁଇଟି ‘ମେକ ଇନ୍ ଓଡ଼ିଶା’ କନକ୍ଲେଭ ଜରିଆରେ ୨୮୬ଟି ପ୍ରକଳ୍ପକୁ ଏକକ-ବାତାୟନ ପ୍ରଣାଳୀରେ ଅନୁମୋଦନ ଦିଆଯାଇଥିଲା। ୭.୨୯ ଲକ୍ଷ ଲୋକ ନିଯୁକ୍ତି ପାଇବେ ବୋଲି ଆକଳନ କରାଯାଇଥିଲା। ମାତ୍ର ନିକଟରେ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ ବିଧାନସଭାରେ ଉତ୍ତର ଦେବା ବେଳେ ସ୍ବୀକାର କରିଛନ୍ତି ଯେ, ଏଥିରୁ ମାତ୍ର ୧୬ଟି ବଡ଼ ଶିଳ୍ପ ଆଂଶିକ ବା ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି ଆଉ ଏହା ଜରିଆରେ ମାତ୍ର ୫,୮୭୮ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ଏ ନେଇ ଆମେ ଇଡକୋ ଏମଡି ଭୁପେନ୍ଦ୍ର ସିଂ ପୁନିଆ ଓ କଟକ ଆଗ୍ରିଭେଟ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶଶକଙ୍କୁ ଯୋଗାଯୋଗ କରିଥିଲେ ସୁଦ୍ଧା ପ୍ରତିକ୍ରିୟା ମିଳିପାରିନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।