ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାହୁଲ ସାହୁ ସହ ଆମର ଭାବଗତ ସଂପର୍କ ଏତେ ବଢ଼ିଥିଲା ଯେ, ଶେଷ ୭୨ ଘଣ୍ଟା ପ୍ରାୟ ଖାଦ୍ୟ ଛାଡ଼ି ଦେଇଥିଲୁ। ଆଦୌ ଶୋଉନଥିଲୁ। ୧୦୦ ଘଣ୍ଟାର ସଫଳ ଅପରେସନ୍ ପରେ ଓଡ଼ିଶା ଫେରିଥିବା ପରେ କଟକ ମୁଣ୍ଡଳି NDRF କମାଣ୍ଡାଣ୍ଟ ବର୍ଦ୍ଧମାନ ମିଶ୍ରା ଆଜି ଏପରି କହିଛନ୍ତି।
ଛତିଶଗଡ଼ ଜାଞ୍ଜଗିରି-ଚାମ୍ପା ଜିଲ୍ଲାରେ ୬୦ ଫୁଟ୍ ଗଭୀର ବୋରୱେଲ୍ ଗାତରୁ ରାହୁଲ୍ ସାହୁଙ୍କୁ ସୁରକ୍ଷିତ ଉଦ୍ଧାର ପରେ ଓଡ଼ିଶା ଫେରିଛ ମୁଣ୍ଡଳି ଏନ୍ଡିଆର୍ଏଫ୍ ଟିମ୍। ଓଡ଼ିଶାରେ ପହଞ୍ଚିବା ପରେ ଏନ୍ଡିଆର୍ଏଫ୍ ଟିମ୍ର କମାଣ୍ଡାଣ୍ଟ ବର୍ଦ୍ଧମାନ ମିଶ୍ରା କହିଛନ୍ତି, ଜାଞ୍ଜଗିରି-ଚାମ୍ପା ଜିଲ୍ଲାର ପରିହି ଗାଁରେ ପହଞ୍ଚିବା ପରେ ଆମେ ୨ଟି ଟିମ୍ରେ ବିଭକ୍ତ ହୋଇଥିଲୁ। ଗୋଟିଏ ଟିମ୍ ଗାତ ମୁହଁରେ ବସି ରାହୁଲର ଖାଇବା ଓ ସ୍ୱାସ୍ଥ୍ୟାବସ୍ଥା ବୁଝୁଥିଲା। ଦ୍ୱିତୀୟ ଟିମ୍ ମାଟି ଖୋଳିବା ଓ ଟନେଲ କରିବା କାମରେ ଲାଗିଥିଲା। ସମାନ୍ତରାଳ ଭାବେ ମାଟି ଖୋଳିବା ପରେ ଗାତ ଯାଏ ଟନେଲ କରିଥିଲୁ। ଡୋଲାମାଇଟ୍ ଭଳି ଟାଣ ପଥରରେ ଆମେ ୨୫ ଫୁଟ ଟନେଇ କରିଥିଲୁ। ଅପରେସନର ଶେଷ ୭୨ ଘଣ୍ଟା ଆମ ପାଇଁ ଅତ୍ୟନ୍ତ ଚ୍ୟାଲେଞ୍ଜପୂର୍ଣ୍ଣ ଥିଲା ବୋଲି ସେ କହିଥିଲେ।
ସେ ଆହୁରି କହିଥିଲେ, ରାହୁଲ ସହ ଆମର ଭାବଗତ ସଂପର୍କ ଏତେ ବଢ଼ିଥିଲା ଯେ, ଆମେ ଖାଉନଥିଲୁ। ଶେଷ ୭୨ ଘଣ୍ଟା ପ୍ରାୟ ଆମେ ଖାଦ୍ୟ ଛାଡ଼ି ଦେଇଥିଲୁ। ଆଦୌ ଶୋଉନଥିଲୁ। ଶେଷ ପର୍ଯ୍ୟାୟ ଟନେଲ ଖୋଳା ବହୁତ କଷ୍ଟ ଦାୟକ ଓ ବିପଦପୂର୍ଣ୍ଣ ଥିଲା। କାନ୍ଧରେ ୫୦ କେଜି ଓଜନର ଡ୍ରିଲିଂ ମେସିନ ଧରି ଆମକୁ ଖୋଳିବାକୁ ପଡ଼ିଥିଲା। ଗାତ ଭିତରେ ସାପ ଥିବା ଆମେ ପ୍ରଥମରୁ ଜାଣିଥିଲୁ। କ୍ୟାମେରାରେ ଦେଖୁଥିଲୁ। କିନ୍ତୁ ପରିବାର ଓ ଲୋକମାନେ ଆତଙ୍କିତ ହେବେ ବୋଲି କହୁନଥିଲୁ। ରାହୁଲ ବହୁତ ଭାଗ୍ୟବାନ। ଜଗନ୍ନାଥଙ୍କ କୃପାରୁ ଉଦ୍ଧାର ହୋଇଗଲା ବୋଲି କମାଣ୍ଡାଣ୍ଟ କହିଥିଲେ।
ସୂଚନାରୁ ପ୍ରକାଶ, ରାହୁଲ ଖେଳୁଥିବା ବେଳେ ତାଙ୍କ ବାପା ଖୋଳିଥିବା ବୋରୱେଲ୍ରେ ଗଳିପଡ଼ିଥିଲେ। ଏ ସମ୍ପର୍କରେ ରାହୁଲଙ୍କ ପରିବାର ଲୋକ ଜାଣିବା ପରେ ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ। ଆଉ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ ଏନ୍ଡିଆର୍ଏଫ୍, ଏସ୍ଡିଆର୍ଏଫ୍ ଟିମ୍ ଓ ଜିଲ୍ଲା ପ୍ରଶାସନ ନିୟୋଜିତ ହୋଇଥିଲା। ଶେଷ ପର୍ଯ୍ୟାୟରେ ସେନା ସହଯୋଗରେ ହାତ ବଢ଼ାଇଥିଲା। ୫ ଦିନର ଅପରେସ୍ନ ପରେ ପଥର କାଟି ବୋରୱେଲ୍ ଗର୍ତ୍ତ ଭିତରୁ ରାହୁଲକୁ ଉଦ୍ଧାର କରାଯାଇଥିଲା।
ରାହୁଲ୍ ଉଦ୍ଧାର ପରେ ସବୁଠି ଓଡ଼ିଶାରୁ ଯାଇଥିବା ଏନ୍ଡିଆର୍ଏଫ୍ ଟିମ୍ର ହୋଇଥିଲା ଜୟ ଜୟକାର। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଉଦ୍ଧାରକାରୀ ଦଳକୁ ସମ୍ମାନିତ କରିବା ସହିତ ପ୍ରଶଂସା କରିଥିଲେ।
https://www.youtube.com/watch?v=9k4NbaSk-F8