କଳାହାଣ୍ଡିରେ ନବୀନଙ୍କୁ ୬୦ ମିଟର ଦୂରରୁ ଦେଖିବେ ନେତା, ମନ୍ତ୍ରୀ ଓ କର୍ମୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିରୋଧୀଙ୍କ କ୍ରମାଗତ ସମାଲୋଚନା ପରେ ପ୍ରାୟ ୯ ମାସରୁ ଅଧିକ ଦିନ ପରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମଥର ପାଇଁ ଚଳିତମାସ ୧୪ତାରିଖରେ କୌଣସି ଜିଲ୍ଲା(କଳାହାଣ୍ଡି) ଗସ୍ତରେ ଯିବେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ସଫଳ କରିବା ପାଇଁ ରାଜ୍ୟ ପ୍ରଶାସନ ଜୋରଦାର ଉଦ୍ୟମ କରିଥିବାବେଳେ ବିଜେଡି ମଧ୍ୟ ଦଳୀୟସ୍ତରରେ ବ୍ୟାପକ ଆୟୋଜନ କରିଛି। ତେବେ ଗତ ମାର୍ଚ୍ଚ ମାସରୁ ମୁଖ୍ୟମନ୍ତ୍ରୀଙ୍କୁ ଭର୍ଚୁଆଲ ମୋଡରେ ଦେଖୁଥିବା ନେତା, ମନ୍ତ୍ରୀ ଓ ଦଳୀୟ କର୍ମୀମାନେ […]

naveen-patnik

naveen-patnik

Manoranjan Sial
  • Published: Monday, 11 January 2021
  • Updated: 11 January 2021, 08:13 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିରୋଧୀଙ୍କ କ୍ରମାଗତ ସମାଲୋଚନା ପରେ ପ୍ରାୟ ୯ ମାସରୁ ଅଧିକ ଦିନ ପରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମଥର ପାଇଁ ଚଳିତମାସ ୧୪ତାରିଖରେ କୌଣସି ଜିଲ୍ଲା(କଳାହାଣ୍ଡି) ଗସ୍ତରେ ଯିବେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ସଫଳ କରିବା ପାଇଁ ରାଜ୍ୟ ପ୍ରଶାସନ ଜୋରଦାର ଉଦ୍ୟମ କରିଥିବାବେଳେ ବିଜେଡି ମଧ୍ୟ ଦଳୀୟସ୍ତରରେ ବ୍ୟାପକ ଆୟୋଜନ କରିଛି। ତେବେ ଗତ ମାର୍ଚ୍ଚ ମାସରୁ ମୁଖ୍ୟମନ୍ତ୍ରୀଙ୍କୁ ଭର୍ଚୁଆଲ ମୋଡରେ ଦେଖୁଥିବା ନେତା, ମନ୍ତ୍ରୀ ଓ ଦଳୀୟ କର୍ମୀମାନେ ୧୪ତାରିଖରେ କଳାହାଣ୍ଡିରେ ପାଖରେ ପାଇ ମଧ୍ୟ ପାଖ ମାଡ଼ିପାରିବେ ନାହିଁ। ଏପରିକି ମନ୍ତ୍ରୀ ଓ ବିଧାୟକମାନଙ୍କୁ ବି ମୁଖ୍ୟମନ୍ତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ମଂଚ ଉପରକୁ ଛଡ଼ାଯିବ ନାହିଁ ବୋଲି ଜଣାପଡ଼ିଛି। ନେତା,ମନ୍ତ୍ରୀ ଓ ଦଳୀୟ କର୍ମୀଙ୍କୁ ଅତିକମରେ ୬୦ମିଟର ଦୂରରୁ ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାକୁ ପଡ଼ିବ।

ମିଳିଥିବା ସୂଚନା ଅନୁସାରେ, ଭବାନୀପାଟଣାଠାରୁ ପ୍ରାୟ ୯୦କିମି ଦୂର ମୁଖୀଗୁଡ଼ାଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରାୟ ୮୦୦କୋଟି ଟଙ୍କାର ଇନ୍ଦ୍ରାବତୀ ମେଗା ଉଠା ଜଳସେଚନ ପ୍ରକଳ୍ପ, ସ୍ୱତନ୍ତ୍ର ବିଦ୍ୟୁତ ଗ୍ରୀଡକୁ ଲୋକାର୍ପଣ କରିବେ। ଏହାସହିତ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ପଂଚାୟତର ପ୍ରାୟ ୨ହଜାର କୋଟି ଟଙ୍କାର ନୂଆ ପ୍ରକଳ୍ପକୁ ମଧ୍ୟ ମୁଖ୍ୟମନ୍ତ୍ରୀ ସେହି ମଂଚରୁ ଅନୁମୋଦନ ଦେବେ। ମୁଖୀଗୁଡ଼ାଠାରେ ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ସଭାରେ ମୋଟ ୩ଟି ମଂଚ ତିଆରି ହେଉଛି। ଗୋଟିଏ ମଂଚରେ କେବଳ ମୁଖ୍ୟମନ୍ତ୍ରୀ ଓ ତାଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ଉପସ୍ଥିତ ରହିବେ। ଅନ୍ୟ ଗୋଟିଏ ମଂଚରେ ମନ୍ତ୍ରୀ,ବିଧାୟକ ଓ ଅଫିସର ଏବଂ ଅନ୍ୟ ଏକ ମଂଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ମୁଖ୍ୟମନ୍ତ୍ରୀଙ୍କ ମଂଚଠୁ ଅନ୍ୟ ଦୁଇ ମଂଚର ଦୂରତ୍ୱ ଅତିକମରେ ୬୦ମିଟର ରହିବ ବୋଲି ଜଣାପଡ଼ିଛି। ସାମାଜିକ ଦୂରତ୍ୱ ଓ କୋଭିଡ୍ ଗାଇଡଲାଇନ ପାଳନ ନିମନ୍ତେ ଏଭଳି ବ୍ୟବସ୍ଥା ହୋଇଥିବା ସୂଚନା ମିଳିଛି।

ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋଙ୍କ କାର୍ଯ୍ୟକ୍ରମର ସିଧାସଳଖ ପ୍ରସାରଣ ସମଗ୍ର କଳାହାଣ୍ଡି ଜିଲ୍ଲାରେ କରାଯିବାକୁ ବ୍ୟାପକ ପ୍ରସ୍ତୁତି ହୋଇଛି। ୨ଡଜନରୁ ଅଧିକ ମନ୍ତ୍ରୀ, ୭୦ରୁ ଅଧିକ ବିଧାୟକ ଓ ସାଂସଦ, ବିଜେଡିର ଆଗଧାଡ଼ିର ନେତାମାନେ ୧୪ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଆସନ୍ତାକାଲିଠୁ ଭବାନୀପାଟଣାରେ ଡେରା ପକାଇବେ। ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏହି ପ୍ରସ୍ତୁତିର ତଦାରଖ କରୁଥିବାବେଳେ ଦଳ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ନିମନ୍ତେ ପ୍ରାୟ ୫କୋଟି ଟଙ୍କାର ବଜେଟ୍ କରିଥିବା ସୂଚନା ମିଳିଛି। ୧୦୦ରୁ ଅଧିକ ପଂଚାୟତରେ ବଡ଼ ବଡ଼ ଏଲଇଡି ସ୍କ୍ରିନ ଲଗାଯାଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମର ସିଧାସଳଖ ପ୍ରସାରଣ(ଭର୍ଚୁଆଲ ମୋଡ୍‌) କରାଯିବ। ଆଉ ସମସ୍ତ କାର୍ଯ୍ୟକ୍ରମ ସ୍ଥଳରେ ଦଳୀୟ କର୍ମୀମାନଙ୍କ ପାଇଁ ଭୋଜିଭାତର ମଧ୍ୟ ଆୟୋଜନ ବ୍ୟବସ୍ଥା ହୋଇଛି।

୨୦୧୭ ପଂଚାୟତ ନିର୍ବାଚନରେ ବିଜେଡିକୁ କଳାହାଣ୍ଡି ଜିଲ୍ଲାରେ ଶୋଚନୀୟ ପରାଜୟର ସ୍ୱାଦ ଚାଖିବାକୁ ପଡ଼ିଥିଲା। ଜିଲ୍ଲାର ୩୬ଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ ବିଜେଡିକୁ ମାତ୍ର ଗୋଟିଏରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ବିଜେପି ୩୩ଟି ଓ କଂଗ୍ରେସକୁ ୨ଟି ଆସନ ମିଳିଥିଲା। ପଂଚାୟତ ନିର୍ବାଚନକୁ ଆଉ ବର୍ଷେ ଥିବାବେଳେ ବିଜେଡି ଏବେଠୁ କଳାହାଣ୍ଡିରେ ପଂଚାୟତ ନିର୍ବାଚନର ବିଗୁଲ ଫୁଙ୍କି ସଂଗଠନକୁ ସୁଦୃଢ଼ କରିବାକୁ ରଣନୀତି କରିଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ କଳାହାଣ୍ଡିରେ ଆୟୋଜନ କରି ବିଜେଡି ଗୋଟିଏ ଗୁଳିରେ ୨ଟି ଶିକାର କରିବାକୁ ଉଦ୍ୟମ କରିଛି। କରୋନା ମହାମାରୀ ପରେ ସ୍ଥିତିରେ ଆସିଥିବା ସୁଧାରକୁ ଦୃଷ୍ଟିରେ ରଖି ଦଳ ପ୍ରଥମଥର ପାଇଁ ଏତେବଡ଼ ବ୍ୟାପକ କାର୍ଯ୍ୟକ୍ରମ କରି ନିଜ ଦଳର ସୁପ୍ରିମୋଙ୍କୁ ମଇଦାନକୁ ଓହ୍ଲାଇଛି। ଆଉ ସୁପ୍ରିମୋଙ୍କ ଜିଲ୍ଲା ଗସ୍ତକୁ ସଫଳ କରାଇ ପଂଚାୟତ ନିର୍ବାଚନ ପାଇଁ ବିଜେଡି ଏବେଠୁ ପ୍ରସ୍ତୁତ ବୋଲି ମଧ୍ୟ ସନ୍ଦେଶ ଦେବାକୁ ଚାହିଁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos