ମନ୍ଦିର ଜମି ହଡ଼ପ ପଛରେ ସରକାରୀ ସାଜିସ୍‌!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଯୋଜନାବଦ୍ଧ ଭାବେ ହଡ଼ପ ହେଉଛି ମହାପ୍ରଭୁ ଲିଙ୍ଗରାଜଙ୍କ ଜମି। ମନ୍ଦିର ପ୍ରଶାସନ, ତହସିଲ ଓ ଦେବୋତ୍ତର ବିଭାଗ ସହ ଅସାଧୁ ସଂପର୍କ ରଖି ଜମି ମାଫିଆ ହଡ଼ପ କରୁଛନ୍ତି ମନ୍ଦିର ଜମି। ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଜମି ବିବାଦ ତେଜିବା ପରେ ପଦାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ। କେବଳ ସଦ୍ୟ କିଣାବିକା ହୋଇଥିବା ୨୨୮ ଡିସିମିଲ ଜମି ନୁହେଁ, ଇତିମଧ୍ୟରେ ହଡ଼ପ ହେଲାଣି ସେହି ମୂଳ ପ୍ଲଟର ୧ ଏକର ୧୬୦ ଡିସିମିଲ […]

lingaraj

Ordigital Desk
  • Published: Tuesday, 08 February 2022
  • , Updated: 08 February 2022, 08:12 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଯୋଜନାବଦ୍ଧ ଭାବେ ହଡ଼ପ ହେଉଛି ମହାପ୍ରଭୁ ଲିଙ୍ଗରାଜଙ୍କ ଜମି। ମନ୍ଦିର ପ୍ରଶାସନ, ତହସିଲ ଓ ଦେବୋତ୍ତର ବିଭାଗ ସହ ଅସାଧୁ ସଂପର୍କ ରଖି ଜମି ମାଫିଆ ହଡ଼ପ କରୁଛନ୍ତି ମନ୍ଦିର ଜମି। ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଜମି ବିବାଦ ତେଜିବା ପରେ ପଦାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ। କେବଳ ସଦ୍ୟ କିଣାବିକା ହୋଇଥିବା ୨୨୮ ଡିସିମିଲ ଜମି ନୁହେଁ, ଇତିମଧ୍ୟରେ ହଡ଼ପ ହେଲାଣି ସେହି ମୂଳ ପ୍ଲଟର ୧ ଏକର ୧୬୦ ଡିସିମିଲ ଜମି।

ସରକାରଙ୍କ ଜାଣନ୍ତରେ ହଡ଼ପ୍ ହେଉଛି ମହାପ୍ରଭୁ ଲିଙ୍ଗରାଜଙ୍କ କୋଟି କୋଟି ଟଙ୍କାର ଜମି। ଜମି ଉପରେ ଅନେକ ଲୋକଙ୍କ କବ୍‌ଜା ରହିଛି। ଆପତ୍ତି ଅଭିଯୋଗ ଏପରିକି କୋର୍ଟର ନିର୍ଦ୍ଦେଶକୁ ବି ଖାତିର କରୁନାହାନ୍ତି ପ୍ରଭାବଶାଳୀ ଜମି ମାଫିଆ। ଏୟାରପୋର୍ଟ ନିକଟସ୍ଥ ୨୨୮ ଡିସିମିଲି ଜମି ରାଜ୍ୟର ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଧର୍ମପତ୍ନୀ କିଣିବା ପରେ ପୁଣି ଥରେ ମହାପ୍ରଭୁ ଲିଙ୍ଗରାଜଙ୍କ ସମ୍ପତ୍ତିକୁ ନେଇ ତେଜିଛି ବିବାଦ। ସବୁ ମହଲରୁ ପ୍ରତିବାଦ ପରେ କିଣା ପ୍ଲଟର ପଟ୍ଟା ରଦ୍ଦ କରିବା ସହ ଜମି ଉପରେ ୧୪୪ ଧାରା ଲଗାଇଛି ପ୍ରଶାସନ। କିନ୍ତୁ ଏଠି ପ୍ରଶ୍ନ ଉଠୁଛି ମୋଟ ୧ ଏକର ୧୬୦ ଡିସିମିଲ ଜମିରେ ଗଢ଼ା ଯାଇଥିବା ନିର୍ମାଣର ଭବିଷ୍ୟତ କ’ଣ?

ପ୍ରାୟ ୨୨ଟି ପରିବାର ଏହି ପୁରା ପ୍ଲଟ ଉପରେ ଘର କରି ରହୁଛନ୍ତି। ମୋଟ୍ ଜମିରୁ ୧୯୭୦ରେ ମାତ୍ର ୩୮ ଡିସିମିଲ ଜମି କିଣି ଘର କରି ରହୁଛନ୍ତି ଅନ୍ନପୂର୍ଣ୍ଣା ଭୋଇ। ତାଙ୍କ ନାଁରେ ପଟ୍ଟା ଅଛି। ସେ ସରକାରଙ୍କୁ ଖଜଣା ମଧ୍ୟ ଦେଉଥିବା କହିଛନ୍ତି। ସେହିପରି ବ୍ୟାଙ୍କ ଅଫ୍ ବରୋଦା ଥିବା ଜମିରେ ଘର କରିଥିବା ସରସ୍ୱତୀ ପାତ୍ର ମଧ୍ୟ ୨୦୦୩ରୁ ଦଖଲରେ ଅଛନ୍ତି। ଉଭୟଙ୍କୁ ରାଜ୍ୟ ସରକାର ହିଁ ପଟ୍ଟା ଦେଇଛନ୍ତି। ଏବେ ଲିଙ୍ଗରାଜଙ୍କ ଜମି କହି ତାଙ୍କୁ ବେଦଖଲ କରାଯିବା ଅନ୍ୟାୟ ବୋଲି ସେମାନେ ଅଭିଯୋଗ କରିଛନ୍ତି। ଯାହାକୁ ନେଇ ଜବାବ ରଖିଛନ୍ତି ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ। ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଭବାନୀ ମିଶ୍ର କହିଛନ୍ତି, “ରାଜସ୍ୱ ବିଭାଗ ନିର୍ଦ୍ଦେଶ କ୍ରମେ ମନ୍ଦିର ଏହି ୧.୬୦ ଏକର ଜମି ଉପରେ ରିଭିଜନ୍ କେସ କରିଛି। କାରଣ ଏହି ସମ୍ପତ୍ତିର ମୂଳ ମାଲିକ ଲିଙ୍ଗରାଜ। ଏବେ କୋର୍ଟରେ କେସ ଅଛି। ଯାହା କୋର୍ଟର ନିର୍ଦ୍ଦେଶ ହେବ, ସେହି ହିସାବରେ ହିଁ ମନ୍ଦିର ପଦକ୍ଷେପ ନେବ। ଆଇନ ଅନୁଯାୟୀ ହିଁ ସବୁ ହେବ।”

୧୯୬୨ର ସାବିକ ରେକର୍ଡ ଅଫ୍ ରାଇଟ୍ସ ବା ପଟ୍ଟା ଅନୁଯାୟୀ ଖାତା ନମ୍ବର-୧୯୩୫ର ମୋଟ୍ ୧ ଏକର ୧୬୦ ଡିସିମିଲର ଜମିର ମାଲିକ ଲିଙ୍ଗରାଜ ମହାପ୍ରଭୁ ମାର୍ଫତ୍ ଟଷ୍ଟ୍ରିବୋର୍ଡ ଓ ମଧ୍ୟସତ୍ତ୍ୱାଧିକାରୀ ସୁଦର୍ଶନ ଭାରତୀ ଗୋସ୍ୱାମୀ ମଠ। କଟକ-ପୁରୀ-ବାଲେଶ୍ୱର ଜିଲ୍ଲା ରିଭିଜନ୍ ବନ୍ଦୋବସ୍ତ ନିମନ୍ତେ କିସ୍ତାୱାର ଓ ଖାନପୁରୀ ନିୟାମାବଳୀ ୧୯୬୪ ଅନୁୟାୟୀ ଏହା କେବଳ ମହାପ୍ରଭୁଙ୍କ ସମ୍ପତ୍ତି। କୌଣସି ସେବାୟତ କିମ୍ବା ଜମିରେ ଚାଷ କରୁଥିବା ବ୍ୟକ୍ତିଙ୍କ ନାଁରେ ଜମି ହୋଇ ପାରିବ ନାହିଁ। କିନ୍ତୁ ମନ୍ଦିର ଜମିକୁ ଭଡ଼ାରେ ନେଇ ଚାଷ କରୁଥିବା ଲିଙ୍ଗା ପ୍ରଧାନ ଓ ବ୍ରଜ ପ୍ରଧାନଙ୍କ ଉତ୍ତରାଧିକାରୀମାନେ ଜମିକୁ ନିଜ ନାଁରେ ପଟ୍ଟା କରି ବିକି ଦେଇଛନ୍ତି। ମନ୍ଦିର ସମ୍ପତ୍ତି ସୁରକ୍ଷା ଦାୟିତ୍ୱରେ ଥିବା ଟ୍ରଷ୍ଟ ବୋର୍ଡ ଓ ଦେବୋତ୍ତର ବିଭାଗର ନିଷ୍କ୍ରିୟତା ପାଇଁ ଲିଙ୍ଗରାଜଙ୍କର କୋଟି କୋଟି ଟଙ୍କାର ସମ୍ପତ୍ତି ହଡ଼ପ ହୋଇ ଚାଲିଛି।

୨୦୨୦ ସେପ୍ଟେମ୍ବରରୁ ଏହି ସମସ୍ତ ସମ୍ପତ୍ତିର ଅସଲି ମାଲିକ ମହାପ୍ରଭୁ ଲିଙ୍ଗରାଜ ବୋଲି ଜଣାପଡ଼ିଛି। କିନ୍ତୁ ନକଲି ମାଲିକଙ୍କ କବ୍‌ଜାରେ ରହିଯାଇଛି ଏହି ପୂରା ଅଞ୍ଚଳ। ସେପଟେ ଲିଙ୍ଗରାଜ ମହାପ୍ରଭୁ ନୁହଁନ୍ତି ବରଂ ଭାରତୀ ମଠ ହିଁ ବିବାଦୀୟ ଜମିର ଅସଲି ମାଲିକ କହି ବିବାଦରେ ମୋଡ଼ ବୁଲାଇବାକୁ ଚେଷ୍ଟା କଲେଣି ମଠ ମହନ୍ତ। ସେ କହିଛନ୍ତି, ‘ସେ ସମ୍ପତ୍ତିର ମୂଳ ମାଲିକ ମଠ, ଲିଙ୍ଗରାଜ ମହାପ୍ରଭୁ ନୁହନ୍ତି। ଭାରତୀ ମଠ ହିଁ ସମସ୍ତ ସମ୍ପତ୍ତି ଫେରି ପାଇବ। କୋର୍ଟରେ କେସ ପେଣ୍ଡିଂ ଅଛି। କୋର୍ଟ ଯାହା ନିର୍ଦ୍ଦେଶ ଦେବେ। ମଠ କାହାକୁ ବି କୌଣସି ସମ୍ପତ୍ତି ବିକ୍ରି କରି ନାହିଁ। ଏହାକୁ ଲୋକ ମାଡ଼ି ବସିଛନ୍ତି। ଆଉ ଅନୈତିକ ଭାବେ ନିଜ ନାଁରେ ସମ୍ପତ୍ତି କରି ଦେଇଛନ୍ତି। ପ୍ରାୟ ୩୦ରୁ ୪୦ ବର୍ଷ ପୂର୍ବେ ଏମିତି ହୋଇଛି ଫ୍ରଡ ପଟ୍ଟା ହୋଇଛି।’

ସେପଟେ ମନ୍ଦିର ସମ୍ପତ୍ତି ଅସାଧୁ ଉପାୟରେ ଲୋକ ମାଡି ବସିଥିବା ଘଟଣା ଲୋକଲୋଚନକୁ ଆଣିଥିବା ସାମାଜସେବୀ ମମତା ସାମନ୍ତରାୟ କହିଛନ୍ତି, “ମନ୍ଦିର ଓକିଲ କୁପରାମର୍ଶ ଦେଉଛନ୍ତି। ତାଙ୍କ ପାଇଁ ଠାକୁର ମରିଯାନ୍ତୁ, ଠାକୁର ହାରନ୍ତୁ। କିନ୍ତୁ ଠାକୁର ସମ୍ପତ୍ତି ଖାଇ ଜମି ମାଫିଆ ଜିତନ୍ତୁ। ମନ୍ଦିରର ଦୁର୍ବଳ ପ୍ରଶାସକଙ୍କ ପାଇଁ ଜମି ଫେରି ପାଉନାହାନ୍ତି ଲିଙ୍ଗରାଜ ମହାପ୍ରଭୁ। ଏଥିରେ ଦେବୋତ୍ତର ବିଭାଗ କମିଶନ, ଆଇନ ବିଭାଗର ମନ୍ତ୍ରୀବି ସଂପୃକ୍ତି ଅଛନ୍ତି। ମିଛ ଆଇନ ଆଣି ଲିଙ୍ଗରାଜଙ୍କ ଜମି ହଡପ୍ କରିବାକୁ ବସିଛନ୍ତି ସରକାର।”

ମହାପ୍ରଭୁ ଲିଙ୍ଗରାଜଙ୍କ ନାଁରେ ଏମିତି ଏକର ଏକର ଜମି ଉପରେ ରାଜ କରୁଛନ୍ତି କିଛି ନକଲି ମାଲିକ। ସରକାରୀ କଳ ଓ ସରକାରୀ ଦଳର ଫନ୍ଦି ଫିକର ଭିତରେ ମୁଷ୍ଟିମେୟ ପ୍ରଭାବଶାଳୀ ବ୍ୟକ୍ତି ଏହାର ଫାଇଦା ମଧ୍ୟ ଉଠାଉଛନ୍ତି। ରାଜସ୍ୱ ବିଭାଗ ଓ ମନ୍ଦିର ଦାୟିତ୍ୱରେ ଥିବା ଆଇନ ବିଭାଗର ସହ ଅସାଧୁ ସଂପର୍କ ରଖି ଜାଲ୍‌ କାଗଜପତ୍ର ଜରିଆରେ ମନ୍ଦିର ଜମିକୁ ବିକ୍ରି କରାଯାଉଛି। ଏହାର ସଦ୍ୟ ନମୁନା ହେଉଛି ଏୟାରପୋର୍ଟ ନିକଟସ୍ଥ ଏହି ବହୁ ମୂଲ୍ୟ ଜମି।

Related story