ପଲସରବାଲା ଝାମ୍ପିନେଲା ଦୁଇ ଲକ୍ଷ ଟଙ୍କା

ଫୁଲବାଣୀ (ତ୍ରିନାଥ ସାହୁ): ପଲ୍‌ସରରେ ଆସି ଦୁଇ ଲକ୍ଷ ଟଙ୍କା ଝାମ୍ପି ନେଲେ ଦୁଇ ଦୁର୍ବୃତ୍ତ। ଆଜି ଏପରି ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲାରୁ। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

କନ୍ଧମାଳ ଜିଲ୍ଲା ଢିପାସାହିର ଲକ୍ଷ୍ମୀ ସାହୁ ଜମି କିଣିବା ପାଇଁ ଆଜି ଫୁଲବାଣୀରେ ଏକ ବ୍ୟାଙ୍କରୁ ଦୁଇ ଲକ୍ଷ ଟଙ୍କା ଉଠାଇ ଥିଲେ। ସେହି ଟଙ୍କା ଧରି ନିଜ ଦିଅର ସହିତ ସ୍କୁଟିରେ ସବ୍‌ ରେଜିଷ୍ଟ୍ରାର୍‌ ଅଫିସ୍‌କୁ ଯାଇଥିଲେ। ମାତ୍ର କୌଣସି କାରଣ ବଶତଃ ଜମି କ୍ରୟ ହୋଇପାରିଲା ନାହିଁ। ତେଣୁ ଲକ୍ଷ୍ମୀ ନିଜ ଦିଅରଙ୍କ ସହିତ ସ୍କୁଟିରେ ମାଷ୍ଟ୍ରପଡ଼ା ରାସ୍ତା ଦେଇ ଘରକୁ ଫେରୁଥିଲେ।

ମାଷ୍ଟ୍ରପଡ଼ା ଛକ ନିକଟରେ ଦୁଇ ଜଣ ଦୁର୍ବୃତ୍ତ ଏକ ପଲସରରେ ଆସି ଲକ୍ଷ୍ମୀ ଧରିଥିବା ଟଙ୍କା ବ୍ୟାଗଟିକୁ ଝାମ୍ପି ନେଇଥିଲେ। ଦୁର୍ବୃତ୍ତମାନେ ଝାମ୍ପି ନେଲା ବେଳେ ଲକ୍ଷ୍ମୀ ଭାରସାମ୍ୟ ହରାଇ ତଳେ ପଡ଼ି ଯାଇଥିଲେ। ଫଳରେ ସେ ଆହତ ହୋଇଛନ୍ତି। ଏନେଇ ଶ୍ରୀମତୀ ଲକ୍ଷ୍ମୀ ଫୁଲବାଣୀ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଖବର ଲେଖାହେବା ପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ପତ୍ତା ପୁଲିସ ପାଇନଥିବା ଜଣାପଡ଼ିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।