ଲୁଟୁଥିବା ବେଳେ ଫୁଟିଲା ବୋମା, ଆଉ ତା’ପରେ…

କାମାକ୍ଷାନଗର (ବିଦ୍ୟାଧର ବରାଳ): ଦିନ ଦି’ ପହରରେ ବ୍ୟବସାୟୀଙ୍କୁ ଲୁଟିଲେ। ଠିକ୍‌ ଏହି ସମୟରେ ଲୋଟେରାମାନେ ଆଣିଥିବା ବୋମା ଫୁଟିଥିଲା। ଫଳରେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆଜି ଏପରି ଘଟଣା ଢେଙ୍କାନାଳ ଜିଲ୍ଲା ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଞ୍ଚଳରେ ଘଟିଛି। ବୋମା ବିସ୍ଫୋରଣରେ ଆହତ ଲୋଟେରାକୁ ତାଙ୍କୁ ସାଥୀମାନେ ବାଇକ୍‌ରେ ବସାଇ ନେଇଯାଇଥିବା ଜଣାପଡ଼ିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ପରଜଙ୍ଗ ଥାନା ମେଣ୍ଢାପଦା ଗାଁର ଅଭୟ ବିଶ୍ୱାଳ ବ୍ୟବସାୟ ସାରି ଘରକୁ ଫେରୁଥିଲେ। ଲୋଧଣୀ-ମେଣ୍ଢାପଦା ରାସ୍ତାର ଗଣ୍ଠି ନିକଟରେ ୩ ଜଣ ଲୁଟେରା ଏକ ପଲ୍‌ସରରେ ଆସି ବନ୍ଧୁକ ଦେଖାଇ ତାଙ୍କୁ ଅଟକାଇଥିଲେ। ସେମାନେ ଟଙ୍କା ଛଡ଼ାଇବାକୁ ଉଦ୍ୟମ କରିଥିଲେ। ମାତ୍ର ଅଭୟ ସେମାନଙ୍କୁ ବାଧା ଦେଇଥିଲେ। ଯେଉଁଥିପାଇଁ ଉଭୟଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା।

ଠେଲାପେଲା ଭିତରେ ଜଣେ ଲୋଟେରା ଅଭୟଙ୍କ ଉପରକୁ ବୋମା ଫିଙ୍ଗିଥିଲେ। ଦୁର୍ଭାଗ୍ୟକୁ ବୋମାଟି ଲୁଟେରା ଗୋଡ଼ ତଳେ ପଡି ବିସ୍ଫୋରଣ ହୋଇଥିଲା। ଫଳରେ ସେ ଗୁରୁତର ଆହତ ହୋଇଥିଲେ। ଅନ୍ୟ ଦୁଇ ଲୁଟେରାମାନେ ତାଙ୍କୁ ବାଇକରେ ବସାଇ ଚମ୍ପଟ ମାରିଥିଲେ। ଗଲା ବେଳେ ଅଭୟଙ୍କଠାରୁ ନଗଦ ୮ ହଜାର ଟଙ୍କା ଓ ମୋବାଇଲ ଛଡ଼ାଇ ନେଇଯାଇ ଥିଲେ।

ଅଭୟ ସ୍ଥାନୀୟ ଲୋକଙ୍କ ସହାୟତାରେ ପୁଲିସକୁ ଜଣେଇଥିଲେ। ପରେ ପୁଲିସ ଛାନଭିନ ଆରମ୍ଭ କରିଥିଲା। ଲୁଟେରାଙ୍କ ଭିତରେ ଜଣେ ଗୁରୁତର ହୋଇଥିବାରୁ ପୁଲିସ ଫୋକ୍‌ସରେ ମେଡିକାଲ୍‌କୁ ରଖିଥିଲା। ପ୍ରାଥମିକ ଅନୁସନ୍ଧାନରୁ ଲୁଟେରାମାନେ ବଅଁରପାଳ ଅଞ୍ଚଳରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ପୁଲିସ ଜାଣିବାକୁ ପାଇଥିଲା। ପରେ ସ୍ଥାନୀୟ ପୁଲିସର ସହାୟତାରେ ପରଜଙ୍ଗ ପୁଲିସ ଲୁଟେରାମାନଙ୍କୁ ଧରିବାରେ ସଫଳ ହୋଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।