ପୁରୀ(ଓଡ଼ିଶା ରିପୋର୍ଟର): ଗତକାଲି ଥିଲା ଦେବସ୍ନାନ ପୂର୍ଣ୍ଣିମା। ୧୦୮ କୁମ୍ଭ ଜଳରେ ଗାଧୋଇଥିଲେ ଶ୍ରୀଜିଉ। ଅତ୍ୟଧିକ ସ୍ନାନ ଯୋଗୁଁ ଚତୁର୍ଦ୍ଧାବିଗ୍ରହ ଜ୍ୱରରେ ପୀଡିତ ହୋଇଛନ୍ତି। ଫଳରେ ରତ୍ନ ସିଂହାସନ ଛାଡ଼ି ଚତୁର୍ଦ୍ଧାମୂର୍ତ୍ତି ଏବେ ଅଣସର ଘରେ ଅଛନ୍ତି। ଦଇତାପତି ସେବାୟତମାନେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଗୁପ୍ତନୀତି ସେବା କରୁଛନ୍ତି।
ଆଜିଠାରୁ ୧୫ ଦିନ ଯାଏଁ ଗୁପ୍ତ ଅନବସର ନୀତି ଚାଲିବ। ଏହି ସମୟରେ ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ସମ୍ପୂର୍ଣ୍ଣ ବନ୍ଦ ରହିବ। ତାଙ୍କ ସ୍ଥାନରେ ତିନି ବାଡ଼ରେ ପୂଜା ପାଉଛନ୍ତି ପଟିଦିଅଁ। ଶ୍ରୀଜଗନ୍ନାଥଙ୍କ ବାଡ଼ରେ ପ୍ରଭୁ ନାରାୟଣ, ବଳଭଦ୍ରଙ୍କ ବାଡ଼ରେ ଅନନ୍ତ ବାସୁଦେବ ଓ ସୁଭଦ୍ରାଙ୍କ ବାଡ଼ରେ ପୂଜା ପାଉଛନ୍ତି ଭୁବନେଶ୍ୱରୀ।
ଅନବସର ନୀତି ଯୋଗୁଁ ଶ୍ରୀମନ୍ଦିରରେ ଶ୍ରୀଜିଉ ଦର୍ଶନ ଦେଉ ନ ଥିବାରୁ, ଏହି ସମୟରେ ବ୍ରହ୍ମଗିରି ସ୍ଥିତ ଅଲାରନାଥଙ୍କୁ ଦର୍ଶନ କଲେ କୋଟିପୂଣ୍ୟ ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।