ରଥଯାତ୍ରା ପ୍ରସଙ୍ଗରେ ସୁପ୍ରିମକୋର୍ଟରେ କ’ଣ ଯୁକ୍ତି ରଖିଲେ ରାଜ୍ୟ ସରକାରଙ୍କ ଓକିଲ ହରିଶ ସାଲଭେ

ଭୁବନେଶ୍ୱର/ପୁରୀ(ଓଡ଼ିଶା ରିପୋର୍ଟର) ଶ୍ରୀକ୍ଷେତ୍ରରେ ଶହ ଶହ ବର୍ଷର ପରମ୍ପରାରେ ବ୍ୟାଘାତ। ସବୁ ପ୍ରସ୍ତୁତି ସରିଥିବାବେଳେ ବନ୍ଦ ହେଲା ଏବର୍ଷ ମହାପ୍ରଭୁଙ୍କ ରଥଯାତ୍ରା । ମହାମାରୀ କରୋନା ସଂକ୍ରମଣ ବ୍ୟାପିବାର ଆଶଙ୍କା କରି କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଆସ୍ଥା ଓ ବିଶ୍ୱାସର ମହାପର୍ବ ଘୋଷଯାତ୍ରାକୁ ଅନୁମତି ଦେଲେନି ସୁପ୍ରିମକୋର୍ଟ । ତେବେ ଯାତ୍ରାକୁ ମଝିରେ ମାତ୍ର ୪ଦିନ ଥିବାବେଳେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିଲେ ବି ଭକ୍ତଶୂନ୍ୟ ରଥଯାତ୍ରା ଆୟୋଜନ ନେଇ ରାଜ୍ୟ ସରକାର କୋର୍ଟରେ ପଦୁଟିଏ ବି […]

790

Tapas Behera
  • Published: Thursday, 18 June 2020
  • , Updated: 19 June 2020, 04:08 PM IST

ଭୁବନେଶ୍ୱର/ପୁରୀ(ଓଡ଼ିଶା ରିପୋର୍ଟର) ଶ୍ରୀକ୍ଷେତ୍ରରେ ଶହ ଶହ ବର୍ଷର ପରମ୍ପରାରେ ବ୍ୟାଘାତ। ସବୁ ପ୍ରସ୍ତୁତି ସରିଥିବାବେଳେ ବନ୍ଦ ହେଲା ଏବର୍ଷ ମହାପ୍ରଭୁଙ୍କ ରଥଯାତ୍ରା । ମହାମାରୀ କରୋନା ସଂକ୍ରମଣ ବ୍ୟାପିବାର ଆଶଙ୍କା କରି କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଆସ୍ଥା ଓ ବିଶ୍ୱାସର ମହାପର୍ବ ଘୋଷଯାତ୍ରାକୁ ଅନୁମତି ଦେଲେନି ସୁପ୍ରିମକୋର୍ଟ । ତେବେ ଯାତ୍ରାକୁ ମଝିରେ ମାତ୍ର ୪ଦିନ ଥିବାବେଳେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିଲେ ବି ଭକ୍ତଶୂନ୍ୟ ରଥଯାତ୍ରା ଆୟୋଜନ ନେଇ ରାଜ୍ୟ ସରକାର କୋର୍ଟରେ ପଦୁଟିଏ ବି ପକ୍ଷ ନରଖିବା ପରୋକ୍ଷରେ ଯାତ୍ରା ବନ୍ଦ ପାଇଁ ବାଟ ଫିଟାଇ ଦେଲା କି ବୋଲି ଉଠିଛି ପ୍ରଶ୍ନ।

ରଥଯାତ୍ରା ବନ୍ଦ ଲାଗି ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ଦାଏର ମାମଲାରେ ଶୁଣାଣି କରି ମୁଖ୍ୟ ବିଚାରପତି ଜଷ୍ଚିସ ଏସ.ଏ.ବୋବଡ଼େଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଶୁଣାଇଥିବା ରାୟରେ ଉଲ୍ଲେଖ କରିଛନ୍ତି-କରୋନା ମହାମାରୀ ସମୟରେ ରଥଯାତ୍ରା ଲାଗି ଲୋକଙ୍କୁ ଏକାଠି ହେବାକୁ ଅନୁମତି ଦିଆଯାଇ ପାରିବ ନାହିଁ । ଜନସ୍ୱାର୍ଥ୍ୟ ଓ ସୁରକ୍ଷା ଦୃଷ୍ଟିରୁ ରଥଯାତ୍ରା କିମ୍ବା ଏ ସଂପର୍କିତ ଅନ୍ୟାନ୍ୟ ବାହ୍ୟ ନୀତି ପାଇଁ ବି ଅନୁମତି ଦେଇ ହେବନି । ଯଦି ଏଭଳି ସମୟରେ ରଥଯାତ୍ରା ଆୟୋଜନ ପାଇଁ ଅନୁମତି ଦିଆଯାଏ ତାହାଲେ ମହାପ୍ରଭୁ ଜଗନ୍ନାଥ ଆମକୁ କ୍ଷମା ଦେବେନି।

ତେବେ ଏଠି ପ୍ରଶ୍ନ, ଚୂଡ଼ାନ୍ତ ପ୍ରସ୍ତୁତି ସତ୍ତ୍ୱେ କାହିଁକି ବନ୍ଦ ହେଲା ମହାପ୍ରଭୁଙ୍କ ଘୋଷଯାତ୍ରା ? କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଆସ୍ଥାର ପ୍ରତୀକ ଘୋଷ ଯାତ୍ରା । ଆୟୋଜନ ଲାଗି ସରକାରଙ୍କ ଆନ୍ତରିକତା ଥିଲା ନା ନାହିଁ ? ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ମାମଲା ଲଢୁଥିବା ଆଇନଜୀବୀ ମୁକୁଲ ରୋହତେଗୀ ରଥଯାତ୍ରା ବନ୍ଦ ସପକ୍ଷରେ ବଳିଷ୍ଠ ଯୁକ୍ତି ରଖୁଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ନିଯୁକ୍ତ ନାମୀଦାମୀ ଓକିଲ ହରିଶ୍ ସାଲଭେ ଯାହା ଯୁକ୍ତି ରଖିଲେ, ମାମଲା ବରଂ ଆବେଦନକାରୀଙ୍କ ସପକ୍ଷରେ ଗଲା।

ମାନ୍ୟବର ସୁପ୍ରିମକୋର୍ଟ ତାଙ୍କ ରାୟରେ ଏହା ମଧ୍ୟ ଦର୍ଶାଇଛନ୍ତି ଯେ, ରଥଯାତ୍ରାରେ ୧୦ରୁ ୧୨ଲକ୍ଷ ଲୋକ ସମାଗମ ହେବାର ସମ୍ଭାବନା ଥିବା ତଥ୍ୟକୁ ରାଜ୍ୟ ସରକାରଙ୍କ ସମେତ କୌଣସି ପକ୍ଷ ବିରୋଧ କରିନଥିଲେ । ସୂଚନା ଅନୁସାରେ ଜୁନ୍ ୧ ଓ ୭ ତାରିଖରେ ରାଜ୍ୟ ସରକାର ଲକଡାଉନ୍ ନେଇ ଜାରି କରିଥିବା ଦୁଇଟି ଗାଇଡଲାଇନ୍ସରେ ଧାର୍ମିକ ଅନୁଷ୍ଠାନରେ ସର୍ବସାଧାରଣଙ୍କ ପ୍ରବେଶ ଉପରେ କଟକଣା ଜାରି କରିବା ସହ ଧାର୍ମିକ ଅନୁଷ୍ଠାନ ବନ୍ଦ ଲାଗି ନିୟମ କରିଥିଲେ । ଆଉ ତାକୁ ଆଧାର କରି ରଥଯାତ୍ରା ବନ୍ଦ ପାଇଁ ଆବେଦନ କରିଥିଲେ ପ୍ରତିପକ୍ଷ।  ତେଣୁ ପ୍ରଶ୍ନ, ଯଦି ସରକାର ଏହି ଗାଇଡ୍ଲାଇନ୍ସକୁ ସଂଶୋଧନ କରି ସୁପ୍ରିମକୋର୍ଟରେ ପକ୍ଷ ରଖିଥାନ୍ତେ ତେବେ ହୁଏତ ରଥଯାତ୍ରା ହୋଇ ପାରିଥାନ୍ତା । ତା’ସହ ମାମଲାରେ ପକ୍ଷ ରଖିବା ଲାଗି ରାଜ୍ୟ ସରକାର ହରିଶ ସାଲଭେଙ୍କ ଭଳି ନାମୀ ଓକିଲଙ୍କୁ ନିୟୋଜିତ କରିଥିଲେ ବି ଅନଲାଇନ୍ ଶୁଣାଣିବେଳେ ଆଡଭୋକେଟ୍ ଜେନେରାଲ୍ କାହିଁକି ପକ୍ଷ ରଖିନଥିଲେ ?

କାଳେ ଏଜି ପକ୍ଷ ରଖିଲେ ସରକାରଙ୍କ ମୁଖା ଖୋଲିଯିବ ସେଥିପାଇଁ ହରିଶ୍ ସାଲଭେଙ୍କୁ ନିୟୋଜିତ କରାଯାଇଥିଲା କି ? ଖାଲି ସେତିକି ନୁହେଁ ଆଇନଜୀବୀ ସାଲଭେ ତାଙ୍କ ପକ୍ଷ ରଖିବାବେଳେ ପୂର୍ବରୁ ବିନାଭକ୍ତରେ ସୁରଖୁରୁରେ ସରିଥିବା ସ୍ନାନପୂର୍ଣ୍ଣମୀ ଓ ଭକ୍ତଶୂନ୍ୟ ରଥଯାତ୍ରା ଆୟୋଜନ ପାଇଁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ପଦୁଟିଏ ବି କହିନଥିଲେ। ଯାହାଫଳରେ କୋର୍ଟ ଭକ୍ତଶୂନ୍ୟ ରଥଯାତ୍ରା ଆୟୋଜନ ନେଇ ଆଦୌ ଅବଗତ ହୋଇ ପାରିନଥିଲେ ବୋଲି କୁହାଯାଉଛି।  ତେବେ ରଥଯାତ୍ରା ଉପରେ ପୂର୍ଣ୍ଣ କଟକଣା ନଲଗାଇ ବିନା ଭକ୍ତରେ ଠାକୁରଙ୍କ ନୀତିକାନ୍ତି କରିବା ଲାଗି ରାଜ୍ୟ ସରକାରଙ୍କ ହାତରେ ନିଷ୍ପତ୍ତି ଛାଡ଼ିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହଟ୍ଟା ମଧ୍ୟ କୋର୍ଟଙ୍କୁ ଅନୁରୋଧ କରିଥିଲେ।

ହେଲେ ହରିଶ୍ ସାଲଭେ ସିଧା ରଥଯାତ୍ରା ବନ୍ଦ ଲାଗି ନିବେଦନ କରିଥିଲେ । ତେଣୁ ଏହି ଆଧାରରେ ସୁପ୍ରିମକୋର୍ଟ ଏଥର ରଥଯାତ୍ରା ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଥିଲେ। ସେପଟେ ରଥଯାତ୍ରା ବନ୍ଦ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିର ବିକଳ୍ପ ନାହିଁ । ରାୟ ଶୁଣିବା ପରେ ଜଗନ୍ନାଥପ୍ରେମୀଙ୍କ ମନରେ କଷ୍ଟ ନିଶ୍ଚୟ ହେବ ହେଲେ ରାୟକୁ ସମ୍ମାନ ଦେବାକୁ ହେବ ବୋଲି ପ୍ରତିକ୍ରିୟା ରଖିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ। ବାହାରେ ରଥଯାତ୍ରା ନହେଲେ  ଶ୍ରୀମନ୍ଦିର ଭିତରେ କଣ ନୀତି ହୋଇପାରିବ ସେ ନେଇ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା କରାଯିବ ବୋଲି କହିଛନ୍ତି ଗଜପତି।

Related story