ମହାମାରୀ ଉପରେ ଗଡ଼ିଲା ମହାପ୍ରଭୁଙ୍କ ରଥ, ପହଞ୍ଚିଗଲେ

ପୁରୀ(ଓଡ଼ିଶା ରିପୋର୍ଟର): ବିନା ଭକ୍ତରେ ଭାଇ-ଭଉଣୀଙ୍କୁ ସାଙ୍ଗରେ ଧରି ଘୋଷଯାତ୍ରାରେ ଗଲେ କାଳିଆ ସାଆନ୍ତ । ଯାହା କେବେ ହୋଇ ନଥିଲା, କୋଭିଡ୍  ପାଇଁ ଶାନ୍ତି ଶୃଙ୍ଖଳାର ସହ ସେଭଳି ନୂଆ ଇତିହାସ ରଚିଲା ଶ୍ରୀକ୍ଷେତ୍ର । ନିର୍ଧାରିତ ସମୟ ଭିତରେ ରଥ ଟଣା ହୋଇ ସଂଧ୍ୟାର ଢେର ଆଗରୁ ଗୁଣ୍ଡିଚା ମନ୍ଦିରରେ ବି ଲାଗିଗଲା ତିନିରଥ । ଆଗପଛ ହୋଇ ପ୍ରଥମେ ତାଳଧ୍ୱଜ, ଦର୍ପଦଳନ ଓ ଶେଷରେ ଗୁଣ୍ଡିଚା ମନ୍ଦିର ପହଞ୍ଚିଥିଲା ଜଗନ୍ନାଥଙ୍କ ନନ୍ଦିଘୋଷ। ଆଉ […]

6789

Tapas Behera
  • Published: Tuesday, 23 June 2020
  • , Updated: 23 June 2020, 08:06 PM IST

ପୁରୀ(ଓଡ଼ିଶା ରିପୋର୍ଟର): ବିନା ଭକ୍ତରେ ଭାଇ-ଭଉଣୀଙ୍କୁ ସାଙ୍ଗରେ ଧରି ଘୋଷଯାତ୍ରାରେ ଗଲେ କାଳିଆ ସାଆନ୍ତ । ଯାହା କେବେ ହୋଇ ନଥିଲା, କୋଭିଡ୍  ପାଇଁ ଶାନ୍ତି ଶୃଙ୍ଖଳାର ସହ ସେଭଳି ନୂଆ ଇତିହାସ ରଚିଲା ଶ୍ରୀକ୍ଷେତ୍ର । ନିର୍ଧାରିତ ସମୟ ଭିତରେ ରଥ ଟଣା ହୋଇ ସଂଧ୍ୟାର ଢେର ଆଗରୁ ଗୁଣ୍ଡିଚା ମନ୍ଦିରରେ ବି ଲାଗିଗଲା ତିନିରଥ । ଆଗପଛ ହୋଇ ପ୍ରଥମେ ତାଳଧ୍ୱଜ, ଦର୍ପଦଳନ ଓ ଶେଷରେ ଗୁଣ୍ଡିଚା ମନ୍ଦିର ପହଞ୍ଚିଥିଲା ଜଗନ୍ନାଥଙ୍କ ନନ୍ଦିଘୋଷ। ଆଉ ତିନି ରଥ ଶ୍ରୀଗୁଣ୍ଡିଚା ମନ୍ଦିର ପହଞ୍ଚିବା ପରେ  ସେବାୟତଙ୍କ ଗୀତଗୋବିନ୍ଦ ଗାନରେ ପ୍ରକମ୍ପିତ ହୋଇଥିଲା ପରିବେଶ । ଖେଳିଯାଇଥିଲା ଆଧ୍ୟାତ୍ମିକତାର ଅପୂର୍ବ ଶିହରଣ । ଯେଉଁଥିରେ ନିଜେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବି ସାମିଲ ହୋଇଥିଲେ। ସେପଟେ ଆଜି ରଥ ଉପରେ ରହିବା ପରେ ଆସନ୍ତାକାଲି ଆଡ଼ପ ମଣ୍ଡପକୁ ବିଜେ କରିବେ ତିନିଠାକୁର । ନିର୍ଦ୍ଧାରିତ ସମୟ ଆଗରୁ ରଥ ପ୍ରତିଷ୍ଠା ପରେ ପରେ ଘଣ୍ଟ ଘଣ୍ଟା କାହାଳୀରେ କମ୍ପି ଉଠିଲା ଶ୍ରୀମନ୍ଦିର।

ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ପରେ ଟାହିଆ ହଲାଇ ଝୁଲି ଝୁଲି ବାଇଶି ପାହାଚ ଦେଇ ଓହ୍ଲାଇ ଆସିଥିଲେ ବଡ଼ଭାଇ ବଳଭଦ୍ର । ପରେ ପରେ ରଥାରୂଢ ହୋଇଥିଲେ ଦେବୀ ସୁଭଦ୍ରା । ଆଉ ଶେଷରେ ଟାହିଆର ଅପୂର୍ବ ଦୋଳନରେ। ସୁନ୍ଦର ପଦ, ହୁନ୍ଦର ଗତିରେ ନନ୍ଦିଘୋଷକୁ ବିଜେ କରିଥିଲେ ଜଗତର ନାଥ ଜଗନ୍ନାଥ। ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥାରୁଢ଼ କରାଯିବା ପରେ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ଅନୁଗାମୀଙ୍କ ସହ ପହଞ୍ଚିଥିଲେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଜଗଦଗୁରୁ ନିଶ୍ଚଳାନନ୍ଦ ସରସ୍ୱତୀ।

ତାପରେ ଘୋଷଯାତ୍ରାର ଅନନ୍ୟ ପରମ୍ପରା ଛେରାପହଁରା ନୀତି ସଂପାଦନ ପାଇଁ ଶ୍ରୀନଅରରୁ ସିଂହଦ୍ୱାର ଅଭିମୁଖେ ତାମଯାନରେ ଆସିଥିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ।  ପ୍ରଥମେ ତାଳଧ୍ୱଜ, ତାପରେ ନନ୍ଦିଘୋଷ ଓ ଶେଷରେ ଦର୍ପଦଳନ ରଥରେ ଛେରାପହଁରା ସହ ବନ୍ଦାପନା କରିଥିଲେ ଗଜପତି। ଏହା ପରେ ଆସିଥିଲା ସେଇ ବହୁ ପ୍ରତୀକ୍ଷିତ ମୁହୂର୍ତ୍ତ।

କୋଭିଡ କଟକଣା ପାଇଁ- ରଥ ଫାଙ୍କା ଥିଲା,ପଥ ଥିଲା ଭକ୍ତ ଶୂନ୍ୟ। ଚାରମାଳ ଫିଟାଯାଇ ପ୍ରଥମେ ବଳଭଦ୍ରଙ୍କ ରଥକୁ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଟାଣିନେଇଥିଲେ ସେବାୟତ। ଏହାପରେ ମା ସୁଭଦ୍ରାଙ୍କ ଦେବଦଳନ ଆଉ ଶେଷରେ ଗଡ଼ିଥିଲା ବିଶ୍ୱାସର ନନ୍ଦିଘୋଷ।

Related story