ସମ୍ୱଲପୁର (ଓଡ଼ିଶା ରିପୋର୍ଟର): ଡାକ୍ତରର ରାସଲୀଳା! ପ୍ରେମ କରି ଫସାଇଲା। ପରେ ଶ୍ରୀକ୍ଷେତ୍ର ଆଣି ଶଙ୍ଖା, ସିନ୍ଦୂର ଦେଇ ବାହାହେଲା। ଆଉ ତା’ପରେ ହୋଟେଲ୍ରେ ଉପଭୋଗ କଲା। ଯେତେବେଳେ ପ୍ରେମିକା ଗର୍ଭବତୀ ହୋଇଛି ବୋଲି ଜାଣିଲା, ସେତେବେଳେ ଗର୍ଭ ନଷ୍ଟ କରି ଧୋକ୍କା ଦେଇଦେଲା। ଆଉ କହିଥିଲା, ମୁଁ ତୋତେ ଚିହ୍ନିନି। ତୁ ମୋ ସହିତ ଲିଭ୍ ଇନ୍ ରିଲେସନ୍ସିପ୍ରେ ରହିବୁ କି? ଏପରି ଅଭିଯୋଗ ଆସିଛି ସମ୍ୱଲପୁରରୁ। ଏନେଇ ପୀଡ଼ିତା ଅଭିଯୋଗ କରିବା ପରେ ବୁର୍ଲା ଥାନା ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ରାଜ୍ୟରେ ଏକ ପ୍ରତିଷ୍ଠିତ ମେଡ଼ିକାଲ୍ କଲେଜରେ ପାଠ ପଢ଼ୁଥିଲେ ଜଣେ ଡାକ୍ତରୀ ଛାତ୍ର। ତାଙ୍କ ସହିତ ରଜନୀ(ଛଦ୍ମନାମ)ଙ୍କର ଦେଖା ହୋଇଥିଲା। ପ୍ରଥମ ଦେଖାରେ ତାଙ୍କ ପ୍ରେମରେ ପଡ଼ି ଯାଇଥିଲା ଡାକ୍ତର। ଉଭୟଙ୍କ ଭିତରେ ଗଢ଼ିଥିଲା ନିବିଡ଼ ସମ୍ପର୍କ। ଦୁଇ ତିନି ବର୍ଷ ପରେ ଡାକ୍ତର ତାଙ୍କୁ ପ୍ରପୋଜ୍ ମାରିଥିଲା। ଆଉ ବାହା ହେବା ପାଇଁ ପ୍ରସ୍ତାବ ଦେଇଥିଲା। ହେଲେ ରଜନୀ ଏଥିରେ ରାଜି ହୋଇନଥିଲେ। ଯଦି ତୁମେ ମୋତେ ବାହା ହେବାକୁ ଚାହୁଁଛ, ତାହାହେଲେ ବୈଦିକ ରୀତିନୀତି ଅନୁସାରେ ବିବାହ କର ବୋଲି ରଜନୀ ପ୍ରସ୍ତାବ ଦେଇଥିଲେ। ଉଭୟ ଭିନ୍ନ ଜାତିର ହୋଇଥିବାରୁ ପୁରୀ ଜଗନ୍ନାଥ ମନ୍ଦିରରେ ବାହା ହେବା ବୋଲି ଡାକ୍ତର ଯୁକ୍ତି କରିଥିଲା। ଆଉ ତାଙ୍କ କଥାରେ ରାଜି ହୋଇଯାଇଥିଲେ ରଜନୀ।
ଏ ନେଇ ପୀଡ଼ିତାଙ୍କ ଓକିଲ କହିଛନ୍ତି, “ଉଭୟ ରଜନୀ ଓ ଡାକ୍ତର ପୁରୀ ଆସିଥିଲେ। ପୁରୀରେ ଉଭୟ ବିବାହ କରିଥିଲେ। ଆଉ ରଜନୀଙ୍କ ମଥାର ସିନ୍ଦୂର ଓ ହାତରେ ଶଙ୍ଖା ଦେଇଥିଲେ ଡାକ୍ତର। ଏହା ପରେ ଉଭୟ ହୋଟେଲରେ ସ୍ୱାମୀ-ସ୍ତ୍ରୀ ଭଳି ରହିଥିଲେ। ପୁରୀରୁ ଉଭୟ ଫେରିଯାଇଥିଲେ ପୂର୍ବ ସ୍ଥାନକୁ। ଅର୍ଥାତ ରଜନୀ ବୁର୍ଲାକୁ ଓ ଡାକ୍ତର ନୂଆପଡ଼ାକୁ। ଦୂରରେ ରହିଲେ ମଧ୍ୟ ଉଭୟ ପରସ୍ପରକୁ ଦେଖାସାକ୍ଷାତ କରୁଥିଲେ। ସମ୍ପର୍କ ନିବିଡ଼ ରହିଥିଲା। ଏହାରି ଭିତରେ ରଜନୀ ଗର୍ଭବତୀ ହୋଇଗଲେ।”
ସେ ଆହୁରି କହିଛନ୍ତି, “ରଜନୀ ଗର୍ଭବତୀ ହୋଇଥିବା ଜାଣିବା ପରେ ଡାକ୍ତର ସ୍ୱାମୀଙ୍କୁ ଜଣାଇଥିଲେ। ଏଥିସହ ବୈଦିକ ରୀତିନୀତିରେ ବାହା ହେବା ପାଇଁ ଜିଦ୍ ଧରିଥିଲେ ରଜନୀ। ମାତ୍ର ଏଥିରେ ଡାକ୍ତର ମହାଶୟ ରାଜି ହୋଇନଥିଲା। ଗର୍ଭବତୀ ଅଛୁ ବୋଲି ପରିବାର ଲୋକେ ଜାଣିଲେ ବାହାଘର କରାଇବେ ନାହିଁ, ତେଣୁ ଚାଲ ଗର୍ଭପାତ କରାଇଦେ ବୋଲି ଡାକ୍ତର ପ୍ରେମିକ କହିଥିଲା। ସ୍ୱାମୀଙ୍କ ଏପରି ପ୍ରସ୍ତାବରେ ରାଜି ହୋଇନଥିଲେ ରଜନୀ। ପରେ ନିଜର ମଧୁର ବଚନ ମାଧ୍ୟମରେ ରଜନୀକୁ ପଟାଇ ଦେଇଥିଲା ଡାକ୍ତର। ନିଜେ ଡାକ୍ତର ହୋଇଥିଲେ ମଧ୍ୟ ସେ ରଜନୀଙ୍କ ଗର୍ଭପାତ କରାଇପାରିନଥିଲା। ଏହା ପରେ ଦୁହେଁ ନୂଆପଡ଼ାରେ ଅନ୍ୟ ଡାକ୍ତରଙ୍କୁ ଦେଖାଇଥିଲେ। ରଜନୀ ଗର୍ଭବତୀ ଥିବା ସ୍ପଷ୍ଟ ହେବା ପରେ ଉଭୟ ରାୟପୁର ପଳାଇ ଯାଇଥିଲେ। ସେଠାରେ ତାଙ୍କର ଗର୍ଭପାତ କରାଯାଇଥିଲା।”
ପୀଡ଼ିତାଙ୍କ ଓକିଲ କହିଛନ୍ତି- “ରାୟପୁରରେ ଗର୍ଭପାତ ପରେ ଉଭୟ ଓଡ଼ିଶା ଫେରି ଆସିଥିଲେ। ଉଭୟଙ୍କ ଭିତରେ ସମ୍ପର୍କ ରହିଥିଲା। କିନ୍ତୁ ନଥିଲା ପୂର୍ବର ସେହି ନିବିଡ଼ ପ୍ରେମ ସମ୍ପର୍କ। ରଜନୀଙ୍କଠାରୁ ଡାକ୍ତର ଦୂରେଇବା ଆରମ୍ଭ କରିଥିଲା। ଧୀରେ ଧୀରେ ଫୋନ୍ କରିବା ବନ୍ଦ କରିଦେଲା। ଯାହାକୁ ନେଇ ଚିନ୍ତାରେ ପଡ଼ି ଯାଇଥିଲେ ରଜନୀ। ପରେ ବହୁ କଷ୍ଟରେ ଡାକ୍ତରଙ୍କ ଫୋନ୍ ଲାଗିଲା। କିନ୍ତୁ ସେ ବାହା ହେବାକୁ ମନା କଲା। ବରଂ ଲିଭ୍ ଇନ୍ ରିଲେସନ୍ରେ ରହିବାକୁ ଡାକ୍ତର ପରାମର୍ଶ ଦେଇଥିଲା।”
ପୀଡ଼ିତା ସବୁଆଡୁ ନିରାଶ ହେବା ପରେ ଆଇନ୍ର ଆଶ୍ରୟ ନେଇଥିଲେ। ଓକିଲ ମାଧ୍ୟମରେ ଡାକ୍ତର ସ୍ୱାମୀଙ୍କ ପାଖକୁ ଲିଗାଲ୍ ନୋଟିସ୍ ପଠାଇଥିଲେ। ତେବେ ଅଭିଯୋଗକୁ ଖଣ୍ଡନ କରିଥିଲେ ଡାକ୍ତର। ଶେଷରେ ମାମଲା ବୁର୍ଲା ଥାନାରେ ପହଞ୍ଚିଥିଲା। ଏନେଇ ବୁର୍ଲା ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତି କରି ପୁଲିସ ମାମଲା ରୁଜୁ କରି ପୀଡ଼ିତାଙ୍କ ବୟାନ୍ ରେକର୍ଡ କରିଛି।