ପ୍ରେମରେ ସନ୍ଦେହ! ପ୍ରେମିକାଙ୍କ ଗଳା କାଟିଦେଲା ପ୍ରେମିକ

ବଣାଇ(ରଞ୍ଜିତ ଚୌଧୁରୀ): ପ୍ରେମ ସମ୍ପର୍କରେ ସନ୍ଦେହ ଲଗାଇଲା ନିଆଁ। ଆଉ ତାତି ଗଲେ ପ୍ରେମିକ। ବିଚ୍‌ ରାସ୍ତାରେ ପ୍ରେମିକାଙ୍କ ଗଳା କାଟି ହତ୍ୟା କଲେ। ତା’ପରେ ନିଜେ ବିଷ ପିଇଦେଲେ ପ୍ରେମିକ। ଏପରି ଲୋମହର୍ଷଣକାରୀ ଘଟଣା ସୁନ୍ଦରଗଡ଼ା ଜିଲ୍ଲାରେ ଘଟିଛି।

ଚାନ୍ଦିପୋଷ ଥାନାର ବଡ଼ ଭୁଲତା ଗାଁର ଶୁକ୍ରୁ ଏକ୍କା ସେହି ଗ୍ରାମର ପୁଷୀ(ଛଦ୍ମନାମ)ଙ୍କୁ ଦୀର୍ଘ ଦିନ ଧରି ଭଲ ପାଉଥିଲେ। ପୁଷୀ ମଧ୍ୟ ତାଙ୍କୁ ଭଲ ପାଉଥିଲେ। ବାହା ହୋଇ ଘର ସଂସାର କରିବେ ବୋଲି କେତେ କ’ଣ ସ୍ୱପ୍ନ ଦେଖିଥିଲେ। ହେଲେ ଉଭୟଙ୍କ ଭଲ ପାଇବା ଭିତରେ ପଶିଥିଲା ସନ୍ଦେହ।

ପୁଷୀ କାହାକୁ ଫୋନ୍‌ରେ କଥା ହେଉଥିବା ଦେଖିବାକୁ ପାଇଥିଲେ ଶୁକ୍ରୁ। ଆଉ ସେହି ଦିନଠାରୁ ପୁଷୀଙ୍କୁ ସନ୍ଦେହ କରୁଥିଲେ କରୁଥିଲେ। ଯେଉଁଥିପାଇଁ ଉଭୟଙ୍କ ଭିତରେ ତିକ୍ତତା ଲାଗି ରହିଛି। ଆଜି ସକାଳେ ମଧ୍ୟ ଉଭୟଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା। ପରେ ଉଭୟ ନିଜ ନିଜ ଘରକୁ ଫେରିଯାଇଥିଲେ।

ଆଜି ଅପରାହ୍ନରେ ପୁଷୀ ଗାଁ ଦାଣ୍ଡରେ ଚାଲି ଚାଲି ଯାଉଥିଲେ। ଠିକ୍‌ ସେହି ସମୟରେ ଶୁକ୍ରୁ ଏକ ଛୁରୀରେ ପୁଷୀଙ୍କ ବେକକୁ କାଟି ଦେଇଥିଲେ। ଯାହାଫଳରେ ଘଟଣା ସ୍ଥଳରେ ପୁଷୀଙ୍କ ମୃତ୍ୟୁ ଘଟିଥିଲା। ପରେ ଶୁକ୍ରୁ ସେହିଠାରେ ବିଷ ପିଇ ଦେଇଥିଲା। ଫଳରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସ୍ଥାନୀୟ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ରାଉରକେଲା ସରକାରୀ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି।

ଅନ୍ୟପକ୍ଷରେ ଚାନ୍ଦିପୋଷ ଥାନା ପୁଲିସ ଖବର ପାଇଁ ଗାଁରେ ପହଞ୍ଚିଥିଲା। ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।