ହୀରାକୁଦରେ ବଢ଼ୁଛି ଜଳସ୍ତର, ନରାଜରେ ବିପଦ ସଙ୍କେତ ଟପିଲା ମହାନଦୀ

କଟକ(ଓଡ଼ିଶା ରିପୋର୍ଟର): ହୀରାକୁଦ ଜଳଭଣ୍ଡାରେ ଜଳସ୍ତର ବଢ଼ୁଥିବା ବେଳେ କଟକ ଜିଲ୍ଲା ନରାଜ ଠାରେ ମହାନଦୀ ବିପଦ ସଂକେତ ଟପିଛି। ନରାଜ ଠାରେ ବିପଦ ସଂକେତ  ୬.୪୧ ମିଟର ରହିଥିବା ବେଳେ ଏବେ ଜଳସ୍ତର ୨୬.୬୮ ମିଟର ରହିଛି। କେନ୍ଦ୍ରୀୟ ଜଳ ଆୟୋଗଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ହୀରାକୁଦ ଡ୍ୟାମରେ ୩୪ଟି ଗେଟ୍‌ ଖୋଲାଯାଇଥିବା ସତ୍ତ୍ୱେ ସେଠାରେ ଜଳସ୍ତର ବଢ଼ିଛି। ଆଜି ସକାଳ ୯ଟା ସୁଦ୍ଧା ହୀରାକୁଦ ଭଣ୍ଡାରର ଜଳସ୍ତର ୬୨୦.୧୨ ଫୁଟ୍ ରହିଛି। […]

Naraj

  • Published: Monday, 15 August 2022
  • , Updated: 15 August 2022, 02:57 PM IST

କଟକ(ଓଡ଼ିଶା ରିପୋର୍ଟର): ହୀରାକୁଦ ଜଳଭଣ୍ଡାରେ ଜଳସ୍ତର ବଢ଼ୁଥିବା ବେଳେ କଟକ ଜିଲ୍ଲା ନରାଜ ଠାରେ ମହାନଦୀ ବିପଦ ସଂକେତ ଟପିଛି। ନରାଜ ଠାରେ ବିପଦ ସଂକେତ  ୬.୪୧ ମିଟର ରହିଥିବା ବେଳେ ଏବେ ଜଳସ୍ତର ୨୬.୬୮ ମିଟର ରହିଛି। କେନ୍ଦ୍ରୀୟ ଜଳ ଆୟୋଗଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ହୀରାକୁଦ ଡ୍ୟାମରେ ୩୪ଟି ଗେଟ୍‌ ଖୋଲାଯାଇଥିବା ସତ୍ତ୍ୱେ ସେଠାରେ ଜଳସ୍ତର ବଢ଼ିଛି। ଆଜି ସକାଳ ୯ଟା ସୁଦ୍ଧା ହୀରାକୁଦ ଭଣ୍ଡାରର ଜଳସ୍ତର ୬୨୦.୧୨ ଫୁଟ୍ ରହିଛି। ଜଳଭଣ୍ଡାରକୁ ଅଧିକ ଜଳ ପ୍ରବେଶ କରୁଥିବାରୁ ଜଳସ୍ତର ବଢ଼ୁଛି ବୋଲି ସୂଚନା ମିଳିଛି। ଡ୍ୟାମକୁ ୮ ଲକ୍ଷ ୬୬ ହଜାର ୬୪୫ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୫ ଲକ୍ଷ ୭୧ ହଜାର ୫୫୦ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି।

ମହାନଦୀରେ ଆଜି ସନ୍ଧ୍ୟା ସୁଦ୍ଧା କଟକର ମୁଣ୍ଡଳି ଦେଇ ୧୦ରୁ ସାଢ଼େ ୧୦ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ ବୋଲି ଗତକାଲି ଏସ୍‌ଆରସି ସୂଚନା ଦେଇଥିବା ବେଳେ ଆଜି ମୁଖ୍ୟଶାସନ ସଚିବ ମଧ୍ୟ ଏହି ସୂଚନା ଦେଇଛନ୍ତି।

ମୁଖ୍ୟ ଶାସନ ସଚିବ କହିଛନ୍ତି, ମହାନଦୀରେ ମଧ୍ୟମ ଧରଣର ବନ୍ୟା ହୋଇପାରେ। ହୀରାକୁଦ ଡ୍ୟାମରୁ ବହୁତ ପାଣି ଆସୁଛ। ତାକୁ ପରିଚାଳନା କରାଯାଉଛି। ଆଶା କରୁଛୁ ଆଜି ମୁଣ୍ଡଳିରେ ୧୦.୫ ଲକ୍ଷ କ୍ୟୁସେକ୍ ଜଳ ଅତିକ୍ରମ କରିବ।

ସେ ଆହୁରି କହିଛନ୍ତି, ବିଭିନ୍ନ ନଦୀବନ୍ଧ ଉପରେ ନଜର ରହିଛି। ବଡ଼ ଘାଇ ସମ୍ଭାବନା ନାହିଁ। ଆବଶ୍ୟକୀୟ ପଦକ୍ଷେପ ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ରହିଛି। ତଳିଆ ଅଞ୍ଚଳରେ ଲୋକଙ୍କ ଘରେ ପାଣି ପଶିଛି। ଆବଶ୍ୟକ ସ୍ଥଳେ ଲୋକଙ୍କୁ ସ୍ଥାନାନ୍ତର ପାଇଁ କୁହାଯାଇଛି।

ମହାନଦୀରେ ବନ୍ୟାଜଳ ଆସିବା ଫଳରେ କଟକ ଜିଲ୍ଲାର ଆଠଗଡ଼ ଅଞ୍ଚଳରେ ବିଭିନ୍ନ ରାସ୍ତା ଉପରେ ଚାଲୁଛି ବନ୍ୟାଜଳ। ପୁରୁଣା କଟକ-ସମ୍ବଲପୁର ରାସ୍ତାର ଦହିସରା ମାଧପୁର ଠାରେ ୩ ଫୁଟ୍‌ର ପାଣି ଚାଲୁଛି। ସେହିପରି ଘଣ୍ଟିଖାଲ ନିଧିପୁର ଗଡ଼ାରେ ୩ଫୁଟ ଏବଂ ଉତ୍ତରବାଙ୍କୀ ବ୍ଲକର ହୁଳୁହୁଳା ପୋଲ ଉପରେ ୧ ଫୁଟରୁ ଅଧିକ ଉଚ୍ଚର ପାଣି ପ୍ରବାହିତ ହେଉଛି। ମହାନଦୀର ପଛୁଆ ପାଣି ପଶିବା ଫଳରେ ଉତ୍ତରବାଙ୍କୀ ବ୍ଲକର ୫ଟି ଓ ତିଗିରିଆ ବ୍ଲକର ୬ଟି ପଞ୍ଚାୟତ ସହ ଆଠଗଡ ବ୍ଲକର ୨୦ଟି ଗାଁ ପ୍ରଭାବିତ ହେବା ଆଶଙ୍କା ରହିଛି। ଶହଶହ ଏକର ଚାଷ ଜମିରେ ମଧ୍ୟ ବନ୍ୟା ପାଣି ମାଡ଼ି ଗଲାଣି।

ସେହିପରି ବାଙ୍କୀର କେତେକ ସ୍ଥାନରେ ବନ୍ୟା ଜଳ ପ୍ରବେଶ କରିଛି। ରଣ ନଈ ଓ ଚନ୍ଦ୍ରମା ନାଳ ଯୋଗେ ପଛୁଆ ପାଣି ପଶି ବାଙ୍କୀ-ବୈଦେଶ୍ୱର ରାସ୍ତା ଜଳମଗ୍ନ ହୋଇଛି। ଫଳର କଇଁମୁଣ୍ଡି ଓ ଶୁଖୁଆଖେଳା ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି। ମହାନଦୀରେ ଆଉ ଜଳ ପତ୍ତନ ବୃଦ୍ଧି ପାଇଲେ ଡମପଡ଼ା ବ୍ଲକର ବହୁ ଅଞ୍ଚଳ ଜଳାର୍ଣ୍ଣବ ହେବ ବୋଲି ଆଶଙ୍କା କରାଯାଉଛି।

 

 

Related story