ଧାର୍ଯ୍ୟଲକ୍ଷ୍ୟଠୁ ବି ବେଶୀ ଆସିବ ନିବେଶ: ମିଳିଲା ୭.୨୬ଲକ୍ଷ କୋଟିର ୧୪୫ଟି ନିବେଶ ପ୍ରତିଶ୍ରୁତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତକାଲିଠୁ ଆରମ୍ଭ ହୋଇଥିବା ମେକ୍ ଇନ ଓଡ଼ିଶା କନକ୍ଲେଭର ତୃତୀୟ ସଂସ୍କରଣରେ ରାଜ୍ୟ ସରକାରଙ୍କ ଧାର୍ଯ୍ୟଲକ୍ଷ୍ୟଠୁ ବି ଅଧିକ ପୁଞ୍ଜିନିବେଶର ପ୍ରସ୍ତାବ ପାଇଁ ପ୍ରତିଶ୍ରୁତି ମିଳିଛି । ରାଜ୍ୟ ସରକାର ଚଳିତ ମେକ୍ ଇନ୍ ଓଡ଼ିଶାରେ ମୋଟ ୬ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିବ ବୋଲି ଆକଳନ କରିଥିବାବେଳେ ଏବେ ୭.୨୬ଲକ୍ଷ କୋଟି ଟଙ୍କାର ମୋଟ ୧୪୫ଟି ପୁଞ୍ଜିନିବେଶ ପ୍ରସ୍ତାବ ଓଡ଼ିଶାକୁ ମିଳିଛି । ଏଥିରେ ଗତ ୬ମାସ ମଧ୍ୟରେ ବିଭିନ୍ନ ସ୍ଥାନରେ […]

Make In Odisha

Ordigital Desk
  • Published: Thursday, 01 December 2022
  • , Updated: 01 December 2022, 10:19 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତକାଲିଠୁ ଆରମ୍ଭ ହୋଇଥିବା ମେକ୍ ଇନ ଓଡ଼ିଶା କନକ୍ଲେଭର ତୃତୀୟ ସଂସ୍କରଣରେ ରାଜ୍ୟ ସରକାରଙ୍କ ଧାର୍ଯ୍ୟଲକ୍ଷ୍ୟଠୁ ବି ଅଧିକ ପୁଞ୍ଜିନିବେଶର ପ୍ରସ୍ତାବ ପାଇଁ ପ୍ରତିଶ୍ରୁତି ମିଳିଛି । ରାଜ୍ୟ ସରକାର ଚଳିତ ମେକ୍ ଇନ୍ ଓଡ଼ିଶାରେ ମୋଟ ୬ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିବ ବୋଲି ଆକଳନ କରିଥିବାବେଳେ ଏବେ ୭.୨୬ଲକ୍ଷ କୋଟି ଟଙ୍କାର ମୋଟ ୧୪୫ଟି ପୁଞ୍ଜିନିବେଶ ପ୍ରସ୍ତାବ ଓଡ଼ିଶାକୁ ମିଳିଛି । ଏଥିରେ ଗତ ୬ମାସ ମଧ୍ୟରେ ବିଭିନ୍ନ ସ୍ଥାନରେ ହୋଇଥିବା ରୋଡ୍ ଶୋ’ ମାଧ୍ୟମରେ ୧.୪୦ଲକ୍ଷ କୋଟି ଟଙ୍କାର ୭୮ଟି ପୁଞ୍ଜିନିବେଶ ପ୍ରସ୍ତାବର ପ୍ରତିଶ୍ରୁତି ମଧ୍ୟ ସାମିଲ ଅଛି ।

ଆଜି ଗଣମାଧ୍ୟମକୁ ସୂଚନା ଦେଇ ରାଜ୍ୟ ଶିଳ୍ପ ସଚିବ ହେମନ୍ତ ଶର୍ମା କହିଛନ୍ତି ଯେ, ଆଜି ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ମୋଟ ୨୧ଟି ନିବେଶ ସଂକ୍ରାନ୍ତ ଏମଓୟୁ ସ୍ୱାକ୍ଷରିତ ହୋଇଛି । ଉଭୟ ନିବେଶ ଓ ଅଣନିବେଶ କ୍ଷେତ୍ର ମିଶି ମୋଟ ୬୭ଟି ପୁଞ୍ଜିନିବେଶ ପ୍ରସ୍ତାବକୁ ରାଜ୍ୟ ସରକାର ଗ୍ରହଣ କରିଛନ୍ତି । ଏହି ୬୭ଟି କ୍ଷେତ୍ରରୁ ମୋଟ ୫,୮୫,୭୪୨.୨୬ଲକ୍ଷ କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି ମିଳିଛି । ଏଥିଯୋଗୁ ରାଜ୍ୟରେ ୨ଲକ୍ଷ ୪୭ହଜାର ୮୯୨ଜଣଙ୍କୁ ନିଯକ୍ତି ସୁଯୋଗ ମିଳିବ । ସେହିପରି ଗତ ୬ମାସ ମଧ୍ୟରେ ବିଭିନ୍ନ ସ୍ଥାନରେ ହୋଇଥିବା ରୋଡ୍ ଶୋ’ ମାଧ୍ୟମରେ ଓଡ଼ିଶାରେ ୧ଲକ୍ଷ ୪୦ହଜାର ୩୮୬ କୋଟି ୧୯ଲକ୍ଷ ଟଙ୍କାର ମୋଟ ୭୮ଟି ନିବେଶ ପ୍ରସ୍ତାବ ପ୍ରତିଶ୍ରୁତି ମିଳିଛି । ଏହା ଦ୍ୱାରା ୭୨ହଜାର ୮୪୯ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବାର ସମ୍ଭାବନା ରହିଛି । ଏହି ଉଭୟ ନିବେଶ ପ୍ରସ୍ତାବକୁ ମିଶାଇଲେ ରାଜ୍ୟକୁ ମୋଟ ୭ଲକ୍ଷ ୨୬ହଜାର ୧୨୮କୋଟି ୪୫ଲକ୍ଷ ଟଙ୍କାର ୧୪୫ଟି ପୁଞ୍ଜିନିବେଶ ପ୍ରସ୍ତାବର ପ୍ରତିଶ୍ରୁତି ମିଳିଛି।

ମେକ୍ ଇନ୍ ଓଡ଼ିଶା କନକ୍ଲେଭକୁ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବା ପରେ ଆଜି ସକାଳେ ନରୱେ, ଜାପାନ, ଜର୍ମାନୀ ଓ ନେପାଳର ବୈଦେଶିକ ପ୍ରତିନିଧିମାନଙ୍କ ସମେତ ଦେଶର ୪୦ଜଣ ପ୍ରମୁଖ ଶିଳ୍ପପତିମାନଙ୍କ ସହ ପୁଞ୍ଜିନିବେଶ ପ୍ରସ୍ତାବ ଉପରେ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ । ସେମାନଙ୍କ ସହ ମୁଖ୍ୟମନ୍ତ୍ରୀ ବ୍ରେକଫାଷ୍ଟ ମଧ୍ୟ କରିଥିଲେ ।ଆଜିର ପ୍ରଥମ ଅଧିବେଶନରେ ୫୪ଜଣ ପ୍ରମୁଖ ଶିଳ୍ପପତିମାନେ ଉପସ୍ଥିତ ଥିବାବେଳେ ଶିଳ୍ପ କ୍ଷେତ୍ରରେ କାର୍ଯ୍ୟ କରୁଥବା ପ୍ରାୟ ୨ହଜାରରୁ ଊର୍ଦ୍ଧ୍ୱ ଉଦ୍ୟୋଗୀମାନେ ଯୋଗ ଦେଇଥିଲେ । ଆଜି ମୋଟ ୧୩ଟି ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ଓ ଅନ୍ୟ ଦେଶରୁ ୨୧୨ଟି ସଂସ୍ଥା ଅଂଶଗ୍ରହଣ କରିଥିବାବେଳେ ଜାପାନ, ଜର୍ମାନୀ, ନରୱେ, ନେପାଳ, ବାଂଲାଦେଶ, ଅଷ୍ଟ୍ରେଲିଆ, ଇଣ୍ଡୋନେସିଆ, ସିଙ୍ଗାପୁର, ଚୀନ, ଥାଇଲ୍ୟାଣ୍ଡ ଆଦି ଦେଶ ସାମିଲ ହୋଇଛନ୍ତି ।

ଶିଳ୍ପପତି ଲକ୍ଷ୍ମୀନାରାୟଣ ମିତ୍ତଲ, ସଜ୍ଜନ ଜିନ୍ଦଲ, କୁମାର ମଙ୍ଗଳମ ବିର୍ଲା, ନବୀନ ଜିନ୍ଦଲ ପ୍ରମୁଖ ଶିଳ୍ପପତି ଆଜି କନକ୍ଲେଭରେ ସାମିଲ ହୋଇଥିଲେ ।ଆସନ୍ତାକାଲି ମେକ୍ ଇନ୍ ଓଡ଼ିଶା କନକ୍ଲେଭର ଦ୍ୱିତୀୟ କାର୍ଯ୍ୟ ଦିବସରେ ସ୍କିଲଡ୍ ଇନ୍ ଓଡ଼ିଶା ଓ ଅନ୍ୟାନ୍ୟ କ୍ଷେତ୍ରରେ ଆଇଟିଇଏସ୍‌, ସିଙ୍ଗାପୁର ସହ ଏମଓୟୁ ସ୍ୱାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଛି । ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ଏମଓୟୁ ସ୍ୱାକ୍ଷର ହେବ । ଆସନ୍ତାକାଲି ମୋଟ ୧୦ଟି ଅଧିବେଶନ ଅନୁଷ୍ଠିତ ହେବ ବୋଲି ଶିଳ୍ପ ସଚିବ ଶ୍ରୀ ଶର୍ମା ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ଗତ ୩ଦିନ ତଳେ ଏକ ସାମ୍ବାଦିକ ସମ୍ମିଳନୀରେ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ ଚଳିତ ମେକ୍ ଇନ୍ ଓଡ଼ିଶା କନକ୍ଲେଭରୁ ରାଜ୍ୟକୁ ପ୍ରାୟ ୬ଲକ୍ଷ କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି ମିଳିବ ବୋଲି ଆଶାବ୍ୟକ୍ତ କରିଥିଲେ । ୨୦୧୬ ଓ ୨୦୧୮ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ରାଜ୍ୟକୁ ଯଥାକ୍ରମେ ୨.୦୩ଲକ୍ଷ କୋଟି ଟଙ୍କାର ୮୪ଟି ପୁଞ୍ଜିନିବେଶ ପ୍ରସ୍ତାବ ଓ ୪.୨୩ଲକ୍ଷ କୋଟି ଟଙ୍କାର ୨୦୨ଟି ପ୍ରସ୍ତାବ ପ୍ରତିଶ୍ରୁତି ମିଳିଥିବାବେଳେ ସେଥିରୁ ଆଜିସୁଦ୍ଧା ଯଥାକ୍ରମେ ୬୯% ଓ ୫୩% ନିବେଶ ପ୍ରତିଶ୍ରୁତି ପ୍ରସ୍ତାବକୁ ସରକାରୀ ଭାବେ ଅନୁମୋଦନ ମିଳିଛି ।

Related story