ଗଛ ପାଇଁ ବଡ଼ ଭାଇକୁ ମାରି ଦେଲା ସାନ ଭାଇ

ଆନନ୍ଦପୁର (ମୁନା ସିଂହ): କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଅନ୍ତର୍ଗତ ମହୁଲଡ଼ିହା ଗାଁର ମାରାଣ୍ଡି ସାହିରେ ଗଛ ପାଇଁ ଜଣେ ବ୍ୟକ୍ତି ତାଙ୍କ ବଡ଼ ଭାଇକୁ କାଠ ଫାଳିଆରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ତା’ସହିତ ସେ ତା’ ଭାଉଜ ଓ ପୁତୁରାଙ୍କୁ ମଧ୍ୟ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସେମାନଙ୍କ ଅବସ୍ଥା ଗୁରୁତର ରହିଛି।

ମୃତ ବ୍ୟକ୍ତିଙ୍କ ନାଁ ଜିତେନ୍ ହୋ। ତାଙ୍କ ସାନ ଭାଇ ତଥା ଅଭିଯୁକ୍ତର ନାଁ ସମରା ହୋ। ସେ ଫେରାର ହୋଇଯାଇଛି।

ଏକ ମହୁଲ ଗଛକୁ ନେଇ ଗତକାଲି ରାତିରେ ଦୁଇ ଭାଇଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପାଟିତୁଣ୍ଡ ଧୀରେ ଧୀରେ ଉଗ୍ରରୂପ ନେଇଥିଲା। ସେହି ସମୟରେ ସମରା ଉତ୍‌କ୍ଷିପ୍ତ ହୋଇ ଏକ କାଠ ଫାଳିରେ ଜିତେନଙ୍କୁ ଆକ୍ରମଣ କରିଥିଲା ଓ ନିର୍ମମ ଭାବେ ହତ୍ୟା କରିଥିଲା। ଜିତେନଙ୍କୁ ବଞ୍ଚାଇବାକୁ ଆସିଥିବା ତାଙ୍କ ସ୍ତ୍ରୀ ଗେଜିରୀ ହୋ ଓ ୧୦ ବର୍ଷର ପୁଅକୁ ମଧ୍ୟ ସମରା ମରଣାନ୍ତକ ଆକ୍ରମଣ କରିଥିଲା। ସେମାନେ ଗୁରୁତର ଅବସ୍ଥାରେ ଆନନ୍ଦପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଏ ଘଟଣାରେ ଆନନ୍ଦପୁର ପୁଲିସ୍ ଦୁଇ ଜଣଙ୍କୁ ଅଟକ ରଖିଥିବା ବେଳେ ଫେରାର ମୁଖ୍ୟ ଅଭିଯୁକ୍ତ ସମରାକୁ ଧରିବାକୁ ପ୍ରାୟାସ କରୁଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।