ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଘର ହେଉ କି ମଣ୍ଡପ । ବିବାହ ପାର୍ଟି ଆୟୋଜନ କରୁଥିଲେ ରାଜଧାନୀବାସୀ ସାବଧାନ। କାରଣ ଆଖି ପିଛୁଳାକେ ସବୁ ଟଙ୍କା, ଗହଣା ଧରି ଗାଏବ ହୋଇଯାଇପାରନ୍ତି ସ୍ମାର୍ଟ ସିଟିର ସ୍ମାର୍ଟ ଚୋର । ଗତକାଲି ଚନ୍ଦ୍ରଶେଖରପୁର ଅଞ୍ଚଳରେ ଏଭଳି ଘଟଣା ସାମ୍ନାକୁ ଆସିଥିଲା ଆଉ ଆଜି କମିଶନରେଟ୍ ପୁଲିସ ପୂର୍ବରୁ କୋଳଥିଆ ଅଞ୍ଚଳରେ ଘଟିଥିବା ସମାନ ଢଙ୍ଗର ଅନ୍ୟ ଏକ ଚୋରି ମାମଲାରେ ମାଷ୍ଟରମାଇଣ୍ଡକୁ ଧରିବାରେ ସଫଳ ହେବା ପରେ ଏଭଳି ଏକାଧିକ ଲୁଟେରା ମାତିଥିବା ସ୍ପଷ୍ଟ ହୋଇଛି।
ଏଭଳି ଚୋରିର ଜଣେ ପୁରୁଣା ରିଙ୍ଗ୍ ମାଷ୍ଟରକୁ ଧରିବାରେ ସଫଳ ହୋଇଛି କମିଶନରେଟ୍ ପୁଲିସ। ଗାଡ଼ିରେ ଇଣ୍ଡିଆନ୍ ଆର୍ମି ଲେଖି ନିର୍ଭୟରେ ଲୁଟ୍ କରି ଖସିଯାଉଥିବା ଜଣେ ଚୋରର ନାଁ ହେଉଛି ଅବଦୁଲ ଲତିଫ୍। ଘର ଖୋର୍ଦ୍ଧାର କେରଙ୍ଗ ଅଞ୍ଚଳରେ। ଖଣ୍ଡଗିରି ପୁଲିସ ତାକୁ ଗିରଫ କରିବା ପରେ ତା’ଠୁ ଜବତ ହୋଇଛି ପ୍ରାୟ ୪ଲକ୍ଷ ନଗଦ ଟଙ୍କା, ଦୁଇ ଲକ୍ଷ ଟଙ୍କାର ସୁନା ଓ ରୁପା ଗହଣା ସମେତ ବହୁ ଗିଫ୍ଟ ଖାମ୍।
ତେବେ ଚନ୍ଦ୍ରଶେଖପୁର ଅଞ୍ଚଳରେ ମଣ୍ଡପରୁ ଲୁଟ୍ ଘଟଣାରୁ ଚୋରର ଚେହେରା ସ୍ପଷ୍ଟ ବାରି ହେଉଥିଲେ ବି ତାକୁ ଧରିବାରେ ଏଯାଏଁ ସଫଳ ହୋଇପାରିନି କମିଶନରେଟ୍ ପୁଲିସ। ଏପଟେ ରାଜଧାନୀରେ ଏଭଳି ତରିକାରେ ଲୁଟର ସଂଖ୍ୟା ବଢୁଥିବାରୁ ଏମାନଙ୍କ ରାକେଟର ଆଉ କେତେ ଲୁଟେରା ସକ୍ରିୟ ଅଛନ୍ତି, ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା।