ସ୍ତ୍ରୀ ସହିତ ଝଗଡ଼ା କଲା, ଝିଅର ତଣ୍ଟି କାଟି ଦେଲା

ବାରିପଦା (ମାଣିକ ଲାଲ୍‌ପାଣି): ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅନ୍ତର୍ଗତ ଗୋବଦ୍ଧନଶୋଳ ଗାଁରେ। ନିଜ ୧୦ ବର୍ଷର ଝିଅକୁ  ଅତି ନିର୍ମମ ଭାବେ ହତ୍ୟା କରିଛି ବାପା। ଅଭିଯୁକ୍ତ ସୋନିଆ ଦେହୁରୀକୁ ପୋଲିସ ଗିରଫ କରିଛି।

ସୂଚନାଅନୁସାରେ, ଗତକାଲି ରାତିରେ ସୋନିଆ ଓ ତା’ ସ୍ତ୍ରୀ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା। ଏହାପରେ  ସେ ଝିଅକୁ  ଘର ଭିତରକୁ ଟାଣି ନେଇ  କବାଟ  ବନ୍ଦ କରି ଦେଇଥିଲା। ତେବେ ଝିଅର ଚିତ୍କାର ଶୁଣି ପାଖ ପଡ଼ୋଶୀ ସେଠାକୁ ଆସିବା ସହ ପୋଲିସକୁ ଖବର ଦେଇଥିଲେ। ଆଜି ସକାଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି  କବାଟ ଖୋଲି ଝିଅର ମୃତଦେହ ଉଦ୍ଧାର କରିଥିଲା।  ଝିଅର ପାଦରେ ଲୁହା ଶିକୁଳି ଓ ହାତ ବନ୍ଧା ହୋଇଥିବା ଦେଖିବାକୁ ମିଳିଥିଲା। ଘଟଣାସ୍ଥଳରୁ ପୋଲିସ ଏକ ଦାଆ ମଧ୍ୟ ଜବତ କରିଛି।

କେଉଁ କାରଣରୁ ସୋନିଆ ନିଜ ଝିଅକୁ ହତ୍ୟା କଲା ସେନେଇ ପୋଲିସ ତଦନ୍ତ କରୁଛି।

ବାରିପଦା ଏସ୍‌ଡିପିଓ  ଅଭିମନ୍ୟୁ ନାୟକ କହିଛନ୍ତି,“ସୋନିଆ ଦେହୁରୀ ତା’ ଝିଅକୁ ହତ୍ୟା କରି କବାଟ ବନ୍ଦ କରି ଦେଇଥିଲା। ସେ ଧନୁ ତୀର ସାହାଯ୍ୟରେ ସ୍ଥାନୀୟ ଲୋକଙ୍କୁ ଓ ପୋଲିସକୁ ଆକ୍ରମଣ କରିବାକୁ ଛପି ରହିଥିଲା। ଆଜି ସକାଳେ ଆମେ ତାକୁ ଗିରଫ କରିଛୁ। ଏନେଇ ସଦର ଥାନାରେ ଏକ ମାମଲା ରୁଜୁ କରାଯାଇଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ତଦନ୍ତ ପରେ ଜଣାପଡ଼ିବ ସୋନିଆ କ’ଣ ପାଇଁ ତା ଝିଅକୁ ହତ୍ୟା କରିଛି।”