କେନ୍ଦୁଝର (ପ୍ରଣୟ ପାଣି): ପାରିବାରିକ କଳହକୁ କେନ୍ଦ୍ର କରି ସ୍ତ୍ରୀକୁ ମାରିଦେଲା ସ୍ୱାମୀ। ଆଜି ଏପରି ଅଭିଯୋଗ ଆସିଛି କେନ୍ଦୁଝର ସଦର ଥାନା ଅଞ୍ଚଳରୁ। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଆକ୍ରମଣ କରିଥିବା ସ୍ୱାମୀକୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି।
ପାରିବାରିକ କଳହକୁ ନେଇ ସଦର ଥାନା ଅନ୍ତର୍ଗତ ହାଣ୍ଡିଭଙ୍ଗା ଗାଁର ଜିତେସ ବାରିକ ଓ ତାଙ୍କ ସ୍ତ୍ରୀ ସରସ୍ୱତୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଧୀରେ ଧୀରେ ଏହା ଉଗ୍ରରୂପ ଧାରଣ କରିଥିଲା। ପରେ ଜିତେସ ଉତ୍କ୍ଷିପ୍ତ ହୋଇ ସରସ୍ୱତୀଙ୍କୁ ଆକ୍ରମଣ କରିଥିଲେ। ଫଳରେ ସେ ଗୁରୁତର ଆହତ ହୋଇଥିଲେ। ଗାଁ ଲୋକଙ୍କଠାରୁ ଖବର ପାଇ ସରସ୍ୱତୀଙ୍କୁ ତାଙ୍କ ବାପା ଓ ଭାଇ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ସ୍ୱାମୀ ଜିତେସ୍କୁ ଅଟକ ରଖିଛି।
ତେବେ ଜିତେସ୍ଙ୍କ କହିବା ଅନୁସାରେ ବାସନ ମଜାରୁ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ପାଟିତୁଣ୍ଡ ଆରମ୍ଭ ହୋଇଥିଲା। ପରେ ଏହା ଉଗ୍ର ରୂପ ଧାରଣ କରିଥିଲା। ତେବେ ମୃତକଙ୍କ ଭାଇ ଓ ସମ୍ପର୍କୀୟମାନେ ଜିତେସ୍ ଏବଂ ଦୁଇ ମାଆଙ୍କ ଉପରେ ଦୋଷା ଲଦିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।