ରାଜଧାନୀରେ ରାସ୍ତା ଉପରେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁଣି ରକ୍ତରଞ୍ଜିତ ହୋଇଛି ରାଜଧାନୀ ଭୁବନେଶ୍ୱର। ଚାଲି ଯାଇଛି ଜଣେ ଯୁବକଙ୍କ ଜୀବନ। ଆଉ ଜଣେ ଆହତ ହୋଇ ଡାକ୍ତରଖାନାରେ ପଡ଼ିଛନ୍ତି। ଆଜି ସନ୍ଧ୍ୟାରେ ସହରର ଜନଗହଳିପୂର୍ଣ୍ଣ ପ୍ରେସ୍ ଛକରେ ଘଟିଛି ଏହି ଘଟଣା। ମୃତ ଯୁବକଙ୍କ ନାଁ ନିରଞ୍ଜନ ପରିଡ଼ା (୧୯)। ତାଙ୍କ ଘର ଗାଡ଼କଣା ଅଞ୍ଚଳରେ।

ମିଳିଥିବା ସୂଚନା ଅନୁଯାୟୀ, ମୃତ ନିରଞ୍ଜନ ଓ ଆହତ ଯୁବକଙ୍କ ସହିତ ଆଉ ତିନି ଜଣ ଯୁବକ ଥିଲେ। ସେମାନେ ଏକ ଦୋକାନରେ ଜଳଖିଆ ଖାଉଥିଲେ। ସେହି ସମୟରେ ସେମାନଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା। ଆଉ ତା’ପରେ ତିନି ଜଣ ଯୁବକ ଅନ୍ୟ ଦୁଇ ଜଣଙ୍କୁ ଆକ୍ରମଣ କରିଥିଲେ। ସେମାନେ ନିରଞ୍ଜନଙ୍କୁ ଗୋଡ଼ାଇ ଗୋଡ଼ାଇ ତାଙ୍କ ଶରୀରରେ ଛୁରୀ ଭୁସି ଦେଇଥିଲେ। ଛୁରୀମାଡ଼ରେ ଘଟଣାସ୍ଥଳରେ ହିଁ ନିରଞ୍ଜନଙ୍କର ମୃତ୍ୟୁ ଘଟିଥିଲା। ଆହତ ଜଣଙ୍କୁ ଏକ ଘରୋଇ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ଏହି ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇପାରି ନାହିଁ। ଜଳଖିଆ ଖାଇବା ବେଳେ ସେମାନଙ୍କ ମଧ୍ୟରେ ବଚସା ହୋଇଥିବା କୁହାଯାଉଛି। କିନ୍ତୁ କେଉଁ କଥାକୁ ନେଇ ବଚସା ହୋଇଥିଲା, ତାହା ଜଣାପଡ଼ି ନାହିଁ। ସେହିଭଳି କୁହାଯାଉଛି, ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ। ପୂର୍ବ ଶତ୍ରୁତାରୁ ଘଟିଛି ଏହି ହତ୍ୟାକାଣ୍ଡ। ପୂରା ହତ୍ୟାକାଣ୍ଡର ଦୃଶ୍ୟ ନିକଟସ୍ଥ ସିସିଟିଭିରେ କଏଦ ହୋଇଛି। ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନାଯୋଗ୍ୟ, ଗତ ୧୫ ଦିନରେ ରାଜଧାନୀରେ ତିନିଟି ହତ୍ୟାକାଣ୍ଡ ଘଟିଲାଣି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।