ହୋଟେଲ୍‌ ଦେଖି ଅଟକିଗଲେ ଆମ୍ୱୁଲାନ୍ସ କର୍ମଚାରୀ! ମଉଳି ଗଲା କଅଁଳ କଢ଼ି

ବାରିପଦା(ମାଣିକଲାଲ୍‌ ପାଣି): ଏପଟେ କଅଁଳ କଢ଼ିଟିଏ ବଞ୍ଚିବା ପାଇଁ କରୁଥିଲା ସଂଘର୍ଷ। ସାଙ୍ଗରେ ଥିବା ବାପା-ମାଆ ଛୁଆର ଜୀବନ ପାଇଁ ଅସ୍ତବ୍ୟସ୍ତ ହୋଇଯାଉଥିଲେ। ୧୦୮ ଆମ୍ୱୁଲାନ୍ସ ବି ଆଗେଇ ଚାଲିଥିଲା। ହେଲେ ବାଟ ମଝିରେ ହିତାହିତ ଜ୍ଞାନ ହରାଇ ଆମ୍ୱୁଲାନ୍ସ କର୍ମଚାରୀମାନେ ହୋଟେଲ୍‌ ଦେଖି ଅଟକିଗଲେ। ଆଉ ତା’ପରେ ଆମ୍ୱୁଲାନ୍ସ ଠିଆ କରି ଅତି ଖାମ୍‌ଖିଆଲି ଢ଼ଙ୍ଗରେ ଖାଇବାକୁ ଚାଲିଗଲେ। ଏପଟେ କଢ଼ିଟିଏ ଫୁଲ ହୋଇ ଫୁଟିବା ପୂର୍ବରୁ ଜୀବନ ଯୁଦ୍ଧରେ ମଉଳିଗଲା। ଏମିତି ହୃଦୟ ବିଦାରକ […]

baripada

Manoranjan Sial
  • Published: Monday, 10 August 2020
  • , Updated: 10 August 2020, 11:13 PM IST

ବାରିପଦା(ମାଣିକଲାଲ୍‌ ପାଣି): ଏପଟେ କଅଁଳ କଢ଼ିଟିଏ ବଞ୍ଚିବା ପାଇଁ କରୁଥିଲା ସଂଘର୍ଷ। ସାଙ୍ଗରେ ଥିବା ବାପା-ମାଆ ଛୁଆର ଜୀବନ ପାଇଁ ଅସ୍ତବ୍ୟସ୍ତ ହୋଇଯାଉଥିଲେ। ୧୦୮ ଆମ୍ୱୁଲାନ୍ସ ବି ଆଗେଇ ଚାଲିଥିଲା। ହେଲେ ବାଟ ମଝିରେ ହିତାହିତ ଜ୍ଞାନ ହରାଇ ଆମ୍ୱୁଲାନ୍ସ କର୍ମଚାରୀମାନେ ହୋଟେଲ୍‌ ଦେଖି ଅଟକିଗଲେ। ଆଉ ତା’ପରେ ଆମ୍ୱୁଲାନ୍ସ ଠିଆ କରି ଅତି ଖାମ୍‌ଖିଆଲି ଢ଼ଙ୍ଗରେ ଖାଇବାକୁ ଚାଲିଗଲେ। ଏପଟେ କଢ଼ିଟିଏ ଫୁଲ ହୋଇ ଫୁଟିବା ପୂର୍ବରୁ ଜୀବନ ଯୁଦ୍ଧରେ ମଉଳିଗଲା। ଏମିତି ହୃଦୟ ବିଦାରକ ଘଟଣା ମୟୂରଭଞ୍ଜ ଜିଲ୍ଲାରେ ଘଟିଛି।

ରବିବାର ଆମ୍ୱଯୋଡ଼ା ଗାଁର ନିରଞ୍ଜନ ବେହେରାଙ୍କ ବର୍ଷକର ପୁଅ ଅସୁସ୍ଥ ହୋଇଥିଲେ। ତାକୁ ବାପା ନିରଞ୍ଜନ ଓ ମାଆ ଗୀତା ବାରିପଦା ରଘୁନାଥ ମୁର୍ମୁ ମେଡିକାଲ୍‌ କଲେଜ ଓ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। ଚିକିତ୍ସା ଚାଲିଥିବା ବେଳେ ତାର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଥିଲା। ଡାକ୍ତରଙ୍କ ପରାମର୍ଶରେ ୧୦୮ ଆମ୍ୱୁଲାନ୍ସରେ ବାପା-ମାଆ ଛୁଆକୁ ଧରି କଟକ ନେଉଥିଲେ। ୧୦୮ ଆମ୍ୱୁଲାନ୍ସ ବାରିପଦା ଛାଡ଼ିବାର କିଛି ସମୟରେ ବଞ୍ଚାବନ୍ଧା ନିକଟରେ ଅଟକିଥିଲା। ସେଠାରେ ଆମ୍ୱଲାନ୍ସ ଠିଆ କରି କର୍ମଚାରୀମାନେ ହୋଟେଲ୍‌କୁ ଖାଇବାକୁ ଯାଇଥିବା ଅଭିଯୋଗ ହୋଇଛି। ଦୀର୍ଘ ଦେଢ଼ ଘଣ୍ଟାରୁ ଅଧିକ ସମୟ ଧରି ଆମ୍ୱୁଲାନ୍ସ କର୍ମଚାରୀମାନେ ଖାଇଥିବା ଅଭିଯୋଗ ହୋଇଛି।

ଆମ୍ୱୁଲାନ୍ସ ଭିତରେ ଛୁଆ। ଆଉ ତା’ପାଖରେ ବସିଛନ୍ତି ବାପା-ମାଆ। ଛୁଆର ଅବସ୍ଥା ବିଗୁଡ଼ୁଥିବା ଦେଖି ମାଆ ନିଜ କୋହ ସମ୍ଭାଳି ପାରୁନଥିଲେ। ଶେଷରେ ଆମ୍ୱୁଲାନ୍ସରୁ ଓହ୍ଲାଇ ହୋଟେଲରେ ଖାଉଥିବା କର୍ମଚାରୀଙ୍କ ପାଖକୁ ଯାଇଥିଲେ। ଛୁଆର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେଉଥିବା ମାଆ ଗୀତା ଆମ୍ୱୁଲାନ୍ସ କର୍ମଚାରୀଙ୍କୁ ଗୁହାରି କରିଥିଲେ। ହେଲେ ଆମ୍ୱୁଲାନ୍ସ କର୍ମଚାରୀମାନେ ତାଙ୍କ କଥା ଶୁଣିନଥିଲେ। ଛୁଆର ସ୍ୱାସ୍ଥ୍ୟ ଠିକ୍‌ ରହିଛି ବୋଲି ଆମ୍ୱୁଲାନ୍ସ କର୍ମଚାରୀମାନେ କହିଥିବା ଅଭିଯୋଗ ହୋଇଛି।

ହୋଟେଲରେ ଖାଇସାରିବା ପରେ ୧୦୮ କର୍ମଚାରୀମାନେ ଆମ୍ୱୁଲାନ୍ସ ନେଇ କଟକ ଅଭିମୁଖେ ଯାଉଥିଲେ। ତେବେ କୃଷ୍ଣଚନ୍ଦ୍ରପୁର ନିକଟରେ ଶିଶୁର ସ୍ୱାସ୍ଥ୍ୟ ଅବସ୍ଥା ଆହୁରି ବିଗିଡି ଯାଇଥିଲା। ଏହା ଜାଣିପାରି ୧୦୮ କର୍ମଚାରୀମାନେ ଆମ୍ୱୁଲାନ୍ସକୁ କୃଷ୍ଣଚନ୍ଦ୍ରପୁର CHCକୁ ନେଇ ଯାଇଥିଲେ। ସେତେବେଳକୁ ଶିଶୁର ମୃତ୍ୟୁ ହୋଇସାରିଥିଲା। ଡାକ୍ତର ଶିଶୁକୁ ମୃତ ଘୋଷଣା କରିଥିଲେ।

ଛୁଆର ମୃତଦେହ ଦେଖି କୋହ ସମ୍ଭାଳି ପାରିନଥିଲେ ବାପା-ମାଆ। ୧୦୮ ଆମ୍ୱୁଲାନ୍ସ କର୍ମଚାରୀଙ୍କ ଖାମ୍‌ଖିଆଲ୍‌ ନୀତି ସମ୍ପର୍କରେ କହିଥିଲେ। ଏହା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥିତି ବାହାରକୁ ଯାଇଥିବା ଦେଖି ୧୦୮ ଆମ୍ୱଲାନ୍ସ କର୍ମଚାରୀମାନେ ସେଠାରୁ ଚମ୍ପଟ ମାରିଥିଲେ। ପରେ ମୃତ ଶିଶୁର ମାଆ ଗୀତା ଏନେଇ କୃଷ୍ଣଚନ୍ଦ୍ରପୁର ଆଉଟ୍‌ ପୋଷ୍ଟରେ ଲିଖିତ ଅଭିଯୋଗ କରିଛନ୍ତି। ୧୦୮ ଆମ୍ୱୁଲାନ୍ସ କର୍ମଚାରୀଙ୍କ ଖାମ୍‌ଖିଆଲ୍‌ ନୀତି ପାଇଁ ଛୁଆର ମୃତ୍ୟୁ ହୋଇଥିବା ଏତଲାରେ ଦର୍ଶାଯାଇଛି।

ଅନ୍ୟପକ୍ଷରେ ୧୦୮ ଆମ୍ୱୁଲାନ୍ସ କର୍ମଚାରୀଙ୍କ ମାଡ଼ ମରାଯାଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ ହୋଇଛି।

Related story