ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ବିରୋଧୀ ବିଜେପି କ୍ଷମତାସୀନ ବିଜେଡି ସରକାର ବିରୋଧରେ ଅନେକ ଅଭିଯୋଗ ଆଣିଥିଲେ ସୁଦ୍ଧା ରାଜ୍ୟବାସୀ ନବୀନଙ୍କ ଉପରେ ସନ୍ତୁଷ୍ଟ । ଯାହା ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ତୁଳନାରେ ଢେ଼ର ଅଧିକ। ସେହିପରି ନବୀନ ସରକାର ବାରମ୍ୱାର କେନ୍ଦ୍ର ଅବହେଳାର ଡେଙ୍ଗୁରା ପିଟୁଥିବା ବେଳେ ସର୍ଭେ କିନ୍ତୁ ଆଉ କିଛି କହିଛି। ନବୀନଙ୍କ ଅଭିଯୋଗକୁ ସର୍ଭେରେ କଡ଼ା ଜବାବ ଦେଇଛନ୍ତି ରାଜ୍ୟବାସୀ। ଏହି ସର୍ଭେ ଅନୁଯାୟୀ ଓଡ଼ିଶାବାସୀ ଅନ୍ୟ ରାଜ୍ୟ ତୁଳନାରେ କେନ୍ଦ୍ରୀୟ ଯୋଜନାରେ ଅଧିକ ଖୁସିଥିବା ଜଣାପଡ଼ିଛି। ଓଡ଼ିଶାର ୯୧ ପ୍ରତିଶତ ଲୋକ କେନ୍ଦ୍ର କାମରେ ଖୁସିଥିବା ସର୍ଭେ ରିପୋର୍ଟରୁ ଜଣାପଡ଼ିଛି।
ଜାତୀୟ ଗଣମାଧ୍ୟମ ଆଇଏଏନଏସ ଓ ସି- ଭୋଟର ସର୍ଭେରେ ଏହି ରିପୋର୍ଟ ପ୍ରକାଶ କରିଛି। ଏହି ସର୍ଭେରେ ଦେଶର ସମସ୍ତ ୫୪୩ ଲୋକସଭା ଆସନରୁ ଲୋକମାନେ ଅଂଶଗ୍ରହଣ କରିଛନ୍ତି। ଏହି ସର୍ଭେରେ ୩୦ ହଜାରରୁ ଅଧିକ ଲୋକ ଜଡିତ ଅଛନ୍ତି। ଗତ ୧୨ ସପ୍ତାହ ମଧ୍ୟରେ ସର୍ଭେ ପ୍ରଶ୍ନର ଉତ୍ତର ନିଆଯାଇଛି।
ଏହି ସର୍ଭେ ମୁତାବକ ଦେଶର ଶ୍ରେଷ୍ଠ ୧୦ ମୁଖ୍ୟମନ୍ତ୍ରୀ ତାଲିକାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ସ୍ଥାନରେ ଅଛନ୍ତି। IANS-ସିଭୋଟର ସର୍ଭେରେ ପ୍ରଧାନମନ୍ତ୍ରୀ ଭାବେ କେଉଁ ପ୍ରାର୍ଥୀ ପସନ୍ଦ ସର୍ଭେରେ ମୋଦି ନଂ୧ରେ ରହିଛନ୍ତି। ମୋଦିଙ୍କୁ ଓଡ଼ିଶାରେ ସର୍ବାଧିକ ୮୭.୦୧% ଲୋକ ପସନ୍ଦ କରନ୍ତି। ଏହା ପଛକୁ ରହିଛି ହିମାଚଳ ପ୍ରଦେଶ। ଏହି ରାଜ୍ୟର ସର୍ବାଧିକ ୮୧.୦୩% ମୋଦୀଙ୍କୁ ପସନ୍ଦ କରୁଥିବା ସର୍ଭେରୁ ଜଣାଯାଇଛି।
𝗜𝗔𝗡𝗦 𝗖-𝗩𝗼𝘁𝗲𝗿 𝗦𝘁𝗮𝘁𝗲 𝗼𝗳 𝘁𝗵𝗲 𝗡𝗮𝘁𝗶𝗼𝗻 2021 𝘀𝘂𝗿𝘃𝗲𝘆
Prime Minister #NarendraModi's charisma has remained intact in most of the states across the country with 44.55 per cent of the people backing him, with #Odisha, #Goa and #Telangana leading the chart. pic.twitter.com/FtKfdtqBr0
— IANS Tweets (@ians_india) January 16, 2021
କେନ୍ଦ୍ର ସରକାରଙ୍କ କାର୍ଯ୍ୟକୁ ପସନ୍ଦ କରିବାରେ ଓଡ଼ିଶା ନଂ ୧ରେ ଥିବା ବେଳେ ୭୫.୦୨% ଓଡ଼ିଶାବାସୀ ମୋଦି ସରକାରଙ୍କ କାର୍ଯ୍ୟକୁ ପସନ୍ଦ କରନ୍ତି। ଓଡ଼ିଶା ପଛକୁ ଗୋଆ ଏବଂ ତେଲେଙ୍ଗାନା ଲୋକ ମୋଦୀଙ୍କ କାର୍ଯ୍ୟକୁ ପସନ୍ଦ କରି ଦ୍ୱିତୀୟ ଓ ତୃତୀୟରେ ରହିଛନ୍ତି।
ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ବିବେଚିତ ହୋଇଥିବା ବେଳେ ଦ୍ୱିତୀୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ତୃତୀୟରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀ। ସେହିପରି ଚତୁର୍ଥରେ କେରଳ ମୁଖ୍ୟମନ୍ତ୍ରୀ, ପଞ୍ଚମରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଷଷ୍ଠରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ସିଂହ ବାଘେଲ, ସପ୍ତମରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଅଷ୍ଟମରେ ମଧ୍ୟପ୍ରଦେଶର ସିଏମ ଶିବରାଜ ସିଂହ ଚୌହ୍ୱାନ, ନବମରେ ଗୋଆ ସିଏମ ପ୍ରମୋଦ ସାୱନ୍ତ ଏବଂ ଦଶମରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନି ରହିଛନ୍ତି।
କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାରରେ କେଉଁ ରାଜ୍ୟର ଲୋକମାନେ କେତେ ଖୁସି? ଏହାର ଉତ୍ତରରେ ୬୬ ପ୍ରତିଶତ ଲୋକ ସାରା ଦେଶରେ ଖୁସି ଥିବାବେଳେ ୩୦ ପ୍ରତିଶତ ଅସନ୍ତୁଷ୍ଟ ଏବଂ ୪ ପ୍ରତିଶତ ଲୋକ କିଛି କହିପାରିବେ ନାହିଁ ବୋଲି ସର୍ଭେରୁ ଜଣାପଡ଼ିଛି। ତେବେ କେନ୍ଦ୍ର ସରକାରର କାମରେ ଓଡିଶାର ଲୋକମାନେ ଅଧିକ ଖୁସି ଥିବା ବେଳେ ପଞ୍ଜାବର ୬୪ ପ୍ରତିଶତ ଲୋକ ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି।
ତେବେ ସର୍ଭେରେ ପାଞ୍ଚଜଣ ଖରାପ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାୱତ ଏକ ନମ୍ବରରେ ଥିବା ବେଳେ ଦ୍ୱିତୀୟ ସ୍ଥାନରେ ହରିଆଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର, ତୃତୀୟରେ ପଞ୍ଜାବର କ୍ୟାପଟେନ ଅମରିନ୍ଦର ସିଂ, ଚତୁର୍ଥରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ଏବଂ ପଞ୍ଚମରେ ତାମିଲନାଡୁର ସିଏମ ପଲାନିସ୍ୱାମୀ ରହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।