ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ନିଜର ସମସ୍ତ ସରକାରୀ ଅଫିସଗୁଡ଼ିକରେ ଅଧିକାରୀ ଓ କର୍ମଚାରୀମାନଙ୍କ ବୈଠକ ଓ ସାକ୍ଷାତ ନିମନ୍ତେ ଆଜି ଏକ ସ୍ୱତନ୍ତ୍ର ପ୍ରୋଟୋକଲ ଜାରି କରିଛନ୍ତି। ବୈଠକର ଅଧିକ ସର୍ବାଧିକ ୩୦ମିନିଟ୍ ଓ ଅଫିସ୍ ଚାମ୍ବର ମଧ୍ୟରେ ଏକକାଳୀନ ୩ଜଣରୁ ଅଧିକ ନରହିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏପରିକି ମିଟିଙ୍ଗବେଳେ ଚା’ ଓ କଫି ପ୍ରଦାନ କରାଯିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି।
ରାଜ୍ୟ ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବ ସଞ୍ଜିବ ଚୋପ୍ରା ଆଜି ସରକାରୀ ଅଫିସଗୁଡ଼ିକରେ ବୈଠକ ଓ ଅଫିସରଙ୍କ ସହ ଆଲୋଚନା ସମୟରେ ଏହି ୮ସୂତ୍ରୀୟ ପ୍ରୋଟୋକଲକୁ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି। ସରକାରୀ ଅଫିସଗୁଡ଼ିକ ପାଇଁ ଜାରି ନିର୍ଦ୍ଦେଶାବଳୀ ଅନୁସାରେ, ଅଧିକ ସଂଖ୍ୟକ କର୍ମଚାରୀ ଅବା ଲୋକଙ୍କୁ ବସାଇ ମିଟିଙ୍ଗ୍ କରିବାକୁ ପ୍ରୋତ୍ସାହନ କରାଯିବା ଉଚିତ୍ ନୁହେଁ। ଯଦି ଅତ୍ୟନ୍ତ ଜରୁରୀ ଥାଏ ତା’ହେଲେ ସର୍ବାଧିକ ୧୦ଜଣ(ସହାୟକ କର୍ମଚାରୀଙ୍କୁ ମିଶାଇ)ଙ୍କୁ ନେଇ ବୈଠକ କରାଯାଇପାରିବ। ଯଦି ଜରୁରୀ ନଥାଏ ବୈଠକରେ ରାଜ୍ୟ ବାହାରର ସଦସ୍ୟଙ୍କୁ ସାମିଲ ନକରିବା ଉଚିତ୍। ସରକାରୀ ଅଫିସ ବ୍ୟତୀତ ଅନ୍ୟ କୌଣସି ସଂସ୍ଥା ବା ସଂଗଠନର ସଦସ୍ୟଙ୍କ ଉପସ୍ଥିତି ଜରୁରୀ ଥିଲେ ସେହି ବୈଠକକୁ ଅନଲାଇନରେ ସମ୍ପାଦନ କରିବାକୁ କୁହାଯାଇଛି।
ଅଧିକ ସମୟର ମିଟିଙ୍ଗ ହେଲେ ସଂକ୍ରମଣର ଆଶଙ୍କା ରହୁଥିବାରୁ ୩୦ମିନିଟ୍ ଭିତରେ ବୈଠକକୁ ସୀମିତ ରଖାଯିବ। ବୈଠକ ହେଉଥିବା ସ୍ଥାନରେ ବାୟୁ ଚଳାଚଳ ଠିକ୍ ହେଉଥିବା ଆବଶ୍ୟକ । ବୈଠକବେଳେ ଦ୍ୱାର ଓ ଝରକା ଖୋଲା ରହିବା ଭଲ। ବୈଠକ ଖୋଲା ସ୍ଥାନରେ କରାଯିବା ଆହୁରି ଭଲ। କବାଟଝରକା ବନ୍ଦ ଥିବା ଏସି ରୁମରେ ଦୀର୍ଘସମୟର ବୈଠକ କରିବାରୁ ଦୂରେଇ ରହିବାକୁ ସରକାର ପରାମର୍ଶ ଦେଇଛନ୍ତି।
ସେହିପରି କୌଣସି ସରକାରୀ ଅଫିସ୍ ଚାମ୍ବରରେ ଏକସମୟରେ ୩ଜଣ ବ୍ୟକ୍ତିରୁ ଅଧିକ ବୈଠକ କିମ୍ବା ଆଲୋଚନା କରିପାରିବେ ନାହିଁ। ବୈଠକ ସମୟରେ ସମସ୍ତ ସଦସ୍ୟଙ୍କୁ ଡାକି ବସାଇବା ପରିବର୍ତ୍ତେ ଯାହାର ଯେତେବେଳେ ଆବଶ୍ୟକ ସେହି ଅନୁସାରେ ସମ୍ପୃକ୍ତ କର୍ମଚାରୀଙ୍କୁ ଡାକିବେ। ବୈଠକ ସମୟରେ ୨ମିଟରର ସାମାଜିକ ଦୂରତ୍ୱ ରକ୍ଷା କରି ବସିବା ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।